ବୋଫର୍ସ ସ୍କାମ: ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ,କଂଗ୍ରେସ ଆଶ୍ୱସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ବୋଫର୍ସ ସ୍କାମ: ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ,କଂଗ୍ରେସ ଆଶ୍ୱସ୍ତ

ନୂଆଦିଲ୍ଲୀ: କଂଗ୍ରେସ ଶାସନ ସମୟରେ ହୋଇଥିବା ବହୁଚର୍ଚ୍ଚିତ ବୋଫର୍ସ ତଦନ୍ତ ଉପରେ ସୁପ୍ରିମକୋର୍ଟ ଆଜି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଘଟଣାର ପୁନଃ ତଦନ୍ତ ପାଇଁ ସିବିଆଇ କରିଥିବା ଆବେଦନକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାର ଶୁଣାଣି କରି ୨୦୦୫ରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ଏହାର ୧୩ ବର୍ଷ ପରେ ସିବିଆଇ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ସିବିଆଇ ଦୀର୍ଘ ୪୫୨୨ ଦିନ ପରେ ଏପରି ଆବେଦନ କରିଥିବାରୁ ଖଣ୍ଡପୀଠ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ତତ୍କାଳ ଆବେଦନ କରିଥିବା ବିଜେପି ନେତା ତଥା ଆଇନ୍‌ଜୀବୀ ଅଜୟ ଅଗ୍ରୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି। ଯଦି ସିବିଆଇ ଚାହିଁବ, ଏହି ଶୁଣାଣି ବେଳେ ନିଜର ପକ୍ଷ ରଖିପାରିବ।

ନିୟମ ଅନୁସାରେ ହାଇକୋର୍ଟଙ୍କ ରାୟର ୯୦ ଦିନ ମଧ୍ୟରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। ହେଲେ ସିବିଆଇ ଏହାର ଢେର ଦିନ ପରେ ବୋଫର୍ସ ଦୁର୍ନୀତିର ଫାଇଲ ଖୋଲିବାକୁ ଆବେଦନ କରିଥିଲା। ସେହିପରି ସିବିଆଇ ଯେଉଁ ସବୁ କାରଣ ଦର୍ଶାଇ ବୋଫର୍ସ ଫାଇଲ୍‌ ଖୋଲିବାକୁ ଚାହୁଁଛି ବୋଲି କହୁଛି, ସେଥିରେ ସର୍ବୋଚ୍ଚ ଅଦାଲତ ଏକମତ ହୋଇପାରୁ ନାହାନ୍ତି। ତେଣୁ ସିବିଆଇର ଆବେଦନ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି।

୧୯୮୬ ମସିହା ମାର୍ଚ୍ଚ ୨୪ରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତୀୟ ସେନା ପାଇଁ ସ୍ୱିଡେନର ବୋଫର୍ସ ଏବି କମ୍ପାନୀ ୧,୪୩୭ କୋଟି ଟଙ୍କାରେ ୪୦୦ଟି ୧୫୫ ଏମ୍‌ଏମ୍‌ ହ୍ୱିଜର ବନ୍ଧୁକ ଦେବ ବୋଲି ଡିଲ୍‌ କରିଥିଲା। ତେବେ ୧୯୮୭ ମସିହା ଏପ୍ରିଲ ୧୬ରେ ସ୍ୱିଡେନ୍‌ର ଏକ ରେଡିଓ ଚ୍ୟାନେଲ୍‌ ଏହି ଡିଲ୍‌ ପାଇଁ କମ୍ପାନୀ ଭାରତର ବରିଷ୍ଠ ରାଜନେତା ଓ ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କୁ ଲାଞ୍ଚ ଦେଇଛି ବୋଲି ଏକ ରିପୋର୍ଟ ପ୍ରସାରଣ କରିଥିଲା।

ଏହି ଅଭିଯୋଗ ପରେ ରାଜନୀତିକ ହଟଚମଟ ଦେଖାଯାଇଥିଲା। ୧୯୯୦ ମସିହା ଜାନୁଆରୀ ୨୨ରେ ଏବି ବୋଫର୍ସ କମ୍ପାନୀର ସଭାପତି ଓ ମଧ୍ୟସ୍ଥି ସାଜିଥିବା ୱିନ୍‌ ଚଢା ଏବଂ ହିନ୍ଦୁଜା ବ୍ରଦର୍ସଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରିଥିଲା।

ସିବିଆଇ ଘଟଣାର ତଦନ୍ତ କରି ୧୯୯୯ ମସିହା ଅକ୍ଟୋବର ୨୨ରେ ଚଢା, ଏବି ବୋଫର୍ସ ସଭାପତି, ତତ୍କାଳୀନ ପ୍ରତିରକ୍ଷା ସଚିବ ଏସ୍‌କେ ଭଟ୍ଟନାଗର ଓ ବୋଫର୍ସ କମ୍ପାନୀ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହାପରେ ୨୦୦୦ ମସିହା ଅକ୍ଟୋବର ୯ରେ ସିବିଆଇ ହିନ୍ଦୁଜା ବ୍ରଦର୍ସ ବିରୋଧରେ ମଧ୍ୟ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲା। ତେବେ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରି ହିନ୍ଦୁଜା ବ୍ରଦର୍ସଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।

ତେବେ ଏହା ବିରୋଧରେ ସିବିଆଇ କୌଣସି ଆବେଦନ କରି ନଥିଲା। କୁହାଯାଉଥିଲା, କଂଗ୍ରେସ ସରକାର କ୍ଷମତାରେ ଥିବାରୁ ସିବିଆଇ ଏଭଳି ରାୟକୁ ଚ୍ୟାଲେଞ୍ଜ କରି ନଥିଲା। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ୨୦୧୭ ଫେବୃଆରୀ ମାସରେ ସିବିଆଇ ପୁଣିଥରେ ମାମଲାର ତଦନ୍ତ କରିବାକୁ ଆଗ୍ରହ ପ୍ରକାଶ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା। କିନ୍ତୁ ଆଜି ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି।



from Odisha Reporter https://ift.tt/2ET9RFw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages