
ଦୁବାଇ: ଟେଷ୍ଟ ମ୍ୟାଚ୍ ହୋଇଥିଲେ ହେଁ ଦର୍ଶକମାନେ ଟି-୨୦ର ରୋମାଞ୍ଚ ଦେଖିଛନ୍ତି। ଆବୁଧାବିରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ ୪ ରନ୍ରେ ଜିତି ନେଇଛି।

ମ୍ୟାଚ୍ ଜିତିବାକୁ ପାକିସ୍ତାନ ମାତ୍ର ୧୭୬ ରନ୍ର ଟାର୍ଗେଟ ପାଇଥିଲେ ହେଁ ଦଳ ମାତ୍ର ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡେବ୍ୟୁ କରୁଥିବା ଭାରତରେ ଜନ୍ମିତ ବାମହାତୀ ସ୍ପିନର୍ ଏଜାଜ୍ ପଟେଲ୍ ପାକିସ୍ତାନ ଲାଇନ୍ ଅପ୍କୁ ସଂପୂର୍ଣ୍ଣ ଛାରଖାର କରିଦେବା ସହ ପଦାର୍ପଣ ମ୍ୟାଚ୍ରେ ୫ ୱିକେଟ୍ ଦଖଲ କରିବାର ରେକର୍ଡ କରିଛନ୍ତି।

ପଟେଲ୍ଙ୍କ ସମେତ ନୀଲ୍ ୱାଗନର ଓ ଇଶ୍ ଶୋଢ଼ି ୨ଟି ଲେଖାଏ ୱିକେଟ୍ ନେଇ ବିଜୟ ପାଇଁ ଦଳକୁ ଭରପୂର ସହଯୋଗ କରିଥିଲେ। ଏକଦା ପାକିସ୍ତାନ ୪ ୱିକେଟ୍ରେ ୧୪୭ ରନ୍ କରି ବିଜୟ ନିକଟବର୍ତ୍ତୀ ହୋଇଥିଲା।

କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବୋଲର୍ମାନେ ଠିକଣା ସମୟରେ କମ୍ବ୍ୟାକ୍ କରି ଦଳକୁ ଏକ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ।
ପାକିସ୍ତାନ ପକ୍ଷରୁ ଆଝାର ଅଲ୍ଲୀ ଏକାକୀ ଶେଷ ପର୍ଯ୍ୟନ୍ତ ଲଢ଼ି କରି ଶେଷ ବ୍ୟାଟସ୍ମ୍ୟାନ୍ ଭାବେ ୬୫ ରନ୍ରେ ଆଉଟ୍ ହୋଇଥିଲେ।
ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଟେଷ୍ଟ ସିରିଜ୍ରେ ନ୍ୟୁଜିଲ୍ୟାଣ୍ଡ ୧-୦ରେ ଆଗୁଆ ହୋଇଯାଇଛି।

ଗତକାଲିର ବିନା ୱିକେଟ୍ରେ ୩୭ ରନ୍ କରିଥିବା ପାକିସ୍ତାନ ଆଜି ବେଶ ସତର୍କତାର ସହ ଇନିଂସ୍ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୪୦ ଥିବା ବେଳେ ଇମାମ ଉଲ ହକ(୨୭) ଏଜାଜ ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ।

ଏହାପରେ ୪୪ ରନ୍ରେ ମହମ୍ମଦ ହାଫିଜ, ୪୮ ରନ୍ରେ ଏଚ୍ ଶୋହାଲି ଆଉଟ୍ ହୋଇ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। କିନ୍ତୁ ୪ର୍ଥ ୱିକେଟ୍ ପାଇଁ ଅସଦ ଶଫିକ ଓ ଆଝାର ଅଲ୍ଲୀଙ୍କ ମଧ୍ୟରେ ୮୨ ରନ୍ର ଭାଗୀଦାରୀ ହୋଇଥିଲା।
ଦଳୀୟ ସ୍କୋର ୧୩୦ ଥିବା ବେଳେ ଅସଦଙ୍କୁ ୱାଗନର ଆଉଟ୍ କରି ବଡ଼ ସଫଳତା ହାସଲ କରିଥିଲେ। ଏହି ବିପର୍ଯ୍ୟୟରୁ ଉଠି ପାରିନଥିବା ପାକିସ୍ତାନ ରନ ଆଉଟ ହୋଇଥିବା ବାବର ଆଜମଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା।

କିନ୍ତୁ ଅସଲ ବିପର୍ଯ୍ୟୟ ଅଧିନାୟକ ସର୍ଫରାଜ ଅହମ୍ମଦ(୩) ଆଉଟ୍ ହେବା ପରେ ସୃଷ୍ଟି ହୋଇଥିଲା। ଦଳ ୧୫୪ ରନ୍ରେ ୫ଟି ୱିକେଟ୍ ହରାଇଥିଲା। ଏହାପରେ ୩ ଜଣ ବ୍ୟାଟସ୍ମ୍ୟାନ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରି ଯାଇଥିଲେ।
ତେବେ ଗୋଟିଏ ପଟେ ଆଝାର ଅଲ୍ଲୀ ଥିବାରୁ ପାକିସ୍ତାନ ବିଜୟ ସୁନିଶ୍ଚିତ ଲାଗୁଥିଲା। ହେଲେ ତାଙ୍କୁ ୬୫ ରନ୍ରେ ଶେଷ ୱିକେଟ୍ ଭାବେ ପଟେଲ୍ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଭେଟି ଦେଇଥିଲେ।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍ରେ ୧୫୩ ରନ୍ କରିଥିବା ବେଳେ ପାକିସ୍ତାନ ୨୨୭ ରନ୍ କରିଥିଲା। ସେହିପରି ଦ୍ଵିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ୨୪୯ ରନ୍ କରିଥିବା ବେଳେ ପାକିସ୍ତାନ ୧୭୧ ରନ୍ କରି ମ୍ୟାଚ ହାରି ଯାଇଥିଲା।
from Odisha Reporter https://ift.tt/2QZV7qc
No comments:
Post a Comment