
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତାଲିମ୍ ଦେଇ ଗ୍ରାମାଞ୍ଚଳ ଝିଅଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ସରକାର। ସେଥିପାଇଁ ଦୂରଦୂରାନ୍ତରୁ ତାଲିମ୍ ନେବାକୁ ଧାଇଁ ଆସୁଛନ୍ତି ଝିଅମାନେ। ହେଲେ ହଷ୍ଟେଲ୍ରେ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି। ତାଲିମ୍ ନେଉଥିବା ସଂସ୍ଥାର ନିର୍ଦ୍ଦେଶକ ବିଭିନ୍ନ ବାହାନା କରି ଝିଅମାନଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ମାରୁଛନ୍ତି ! ଏପରିକି ସନ୍ଧ୍ୟା ବେଳେ ହଷ୍ଟେଲ ଆସି ନିର୍ଦ୍ଦେଶକ ଲୁଚିଛପି ଝିଅଙ୍କ ଡ୍ରେସ୍ ଚେଞ୍ଜ କରିବାର ଦୃଶ୍ୟ ଦେଖୁଛନ୍ତି। ରାଉରକେଲା ସିଭିଲ ଟାଉନଶିପରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ନାଁରେ ଆସିଛି ଏପରି ଗୁରୁତର ଅଭିଯୋଗ। ଯାହାକୁ ନେଇ ଝିଅଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପୂରା ଘଟଣା ଏମିତି। ରାଉରକେଲା ସିଭିଲ ଟାଉନଶିପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାମୀଣ ସ୍ୱରୋଜଗାର ଯୋଜନାର ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି। ଏଠାରେ ସିଲେଇ ଓ ଅନ୍ୟାନ୍ୟ ବିଭାଗରେ ତାଲିମ୍ ନେଉଛନ୍ତି ୩୪ ଜଣ ଝିଅ। ପ୍ରତିଷ୍ଠାନର ହଷ୍ଟେଲରେ ସବୁ ଝିଅ ରୁହନ୍ତି। ତାଲିମ୍ ଦେବା କାର୍ଯ୍ୟ ଆଉଟ୍ସୋର୍ସିଙ୍ଗ ହୋଇଥିବା ବେଳେ ଏସ୍ବିଆଇ ଜଣେ ମ୍ୟାନେଜର ରଞ୍ଜନ କୁମାର ନନ୍ଦୀଙ୍କୁ ସଂସ୍ଥାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।
ହେଲେ ଶ୍ରୀ ନନ୍ଦୀ ପାଠ ପଢ଼ାଇବା ବାହାନାରେ ଝିଅଙ୍କ ସମ୍ୱେଦନଶୀଳ ଅଙ୍ଗ ଛୁଉଁଥିବା ଅଭିଯୋଗ ହୋଇଛି। ଏଥିରେ ଝିଅମାନେ ପ୍ରତିବାଦ କଲେ ସେମାନଙ୍କୁ ନାନା ହଇରାଣ ହରକତ କରିବା ସହିତ ଗାଳି ଦେଉଛନ୍ତି। ସବୁ ବେଳେ ହଷ୍ଟେଲ୍କୁ ଆସି ଝିଅଙ୍କ ରୁମ୍ ଭିତରେ ପଶି ଯାଆନ୍ତି। ଏପରିକି ଝିଅଙ୍କ ଡ୍ରେସ୍ ଚେଞ୍ଜ କଲା ବେଳେ ସେ ଦେଖୁଥିବା ଅଭିଯୋଗ ହୋଇଛି।
ଏନେଇ ଝିଅମାନେ ଥାନାରେ ଅଭିଯୋଗ କରିଛନ୍ତି। ରଘୁନାଥପାଲୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏସ୍ବିଆଇ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ କରିଛି।
ନିର୍ଦ୍ଦେଶକ ଶ୍ରୀ ନନ୍ଦୀ ହଷ୍ଟେଲ ଯିବା ଓ ହାତ ଝିଅଙ୍କ ଶରୀର ‘ଟଚ୍’ କରିଥିବା କଥା ପରୋକ୍ଷରେ ସ୍ୱୀକାର କରିଛନ୍ତି। କିନ୍ତୁ ଏଥିରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ତଦନ୍ତ ହେଲେ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2DmUbIf
No comments:
Post a Comment