କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଚିବ ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ ଦେବ କ’ଣ ଶାସନ ଓ ବିଧିବ୍ୟବସ୍ଥାଠୁ ଉର୍ଦ୍ଧ୍ଵରେ ? ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର କଣ୍ଠରୋଧ ଓ ସାମ୍ବାଦିକଙ୍କୁ ଅପମାନ କରିବାକୁ କ’ଣ ତାଙ୍କୁ ଲାଇସେନ୍ସ ମିଳିଛି ? ସର୍ବଭାରତୀୟ ସେବାର ଏହି ବରିଷ୍ଠ ଅଧିକାରୀ କ’ଣ ଜଣେ ସରକାରୀ କର୍ମଚାରୀ ଭାବେ ନିଜର ଲକ୍ଷ୍ମଣରେଖା ପ୍ରତି ସଚେତନ ନାହାନ୍ତି? କାହା ସାହସରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସେ ବାରମ୍ବାର ଏଭଳି ଅହଙ୍କାର ଓ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବାରେ ଲାଗିଛନ୍ତି?

କ୍ରୀଡ଼ା ସଚିବ ବିଶାଳ ଦେବ ବୁଧବାର ନିଜର ସରକାରୀ ଚ୍ୟାମ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଏକ ନମ୍ବର ଟିଭି ଚ୍ୟାନେଲ ‘ଓଟିଭି’କୁ ଖବର ସଂଗ୍ରହ କରିବାରୁ ବାରଣ କରିବା ସହ ଚ୍ୟାନେଲର ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ବିଶ୍ୱକପ୍ ହକି ମ୍ୟାଚ ଅନଲାଇନ୍ ଟିକେଟ୍ ବିକ୍ରିରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଓଟିଭି କାହିଁକି ଖବର ପ୍ରସାରଣ କରିଥିଲା ବୋଲି ଶ୍ରୀ ଦେବ ଉତକ୍ଷିପ୍ତ ହୋଇ ଚ୍ୟାନେଲର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ।

ବିଶ୍ୱକପ୍ ହକି ମ୍ୟାଚର ଅନଲାଇନରେ ଟିକେଟ ବିକ୍ରି ବ୍ୟବସ୍ଥା ମଙ୍ଗଳବାର ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ଉଦଘାଟନୀ ଦିବସରେ ୧୫ହଜାର ଦର୍ଶକ ବସିବାର ବ୍ୟବସ୍ଥା ଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ତାହା ଅପହଞ୍ଚ ହୋଇଛି। କାରଣ ଅନଲାଇନରେ ଟିକେଟ୍ ବିକ୍ରି ନହୋଇ ମଧ୍ୟ ସମସ୍ତ ଟିକେଟ୍ ବିକ୍ରି ହୋଇଥିବା ୱେବସାଇଟରେ ଦର୍ଶାଯାଇଥିଲା। ହକିପ୍ରେମୀଙ୍କ ମଧ୍ୟରେ ଉଦଘାଟନୀ ଉତ୍ସବ ଦେଖିବାକୁ ରହିଥିବା ଉତ୍କଣ୍ଠା ଓ ସେମାନଙ୍କୁ ଟିକେଟ ନମିଳିବାର ବାସ୍ତବ କାରଣ ସମ୍ପର୍କରେ ସାଧାରଣ ଲୋକଙ୍କୁ ‘ଓଟିଭି’ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ରିପୋର୍ଟ ପ୍ରସାରଣ କରିଥିଲା। କିନ୍ତୁ ତାକୁ କ୍ରୀଡ଼ା ସଚିବ ବିଶାଳ ଦେବ ସହଜରେ ହଜମ କରିପାରିନାହାନ୍ତି। ଯେଉଁଥିପାଇଁ ତା’ର ସାଇଡ୍ ଇଫେକ୍ଟ ଆଜି ‘ଓଟିଭି’କୁ ଖବର ସଂଗ୍ରହ କ୍ଷେତ୍ରରେ ବାରଣ କରିବାରେ ପ୍ରତିଫଳିତ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କେଉଁ ମିଡିଆ ହାଉସ୍ କ’ଣ ଖବର ପ୍ରସାରଣ କରିବ ତାହା କ’ଣ ବିଶାଳ ଦେବଙ୍କ ଭଳି ସରକାରୀ ବାବୁମାନେ ସ୍ଥିର କରିବେ? ରାଜ୍ୟର ମିଡ଼ିଆ ମଧ୍ୟରେ ‘ଡିଭାଇଡ୍ ଆଣ୍ଡ ରୁଲ୍’ ଫର୍ମୂଲା ଉପଯୋଗ କରି ରାଜ୍ୟର କିଛି ନ୍ୟସ୍ତସ୍ୱାର୍ଥ ପ୍ରଶାସନିକ ଅଫିସର ଓଡ଼ିଶାର ରାଜକୋଷକୁ ଲୁଟିବା ଓ ନିଜର ଫାଇଦା ନେବାରେ ଲାଗିଛନ୍ତି। ବିଶ୍ୱକପ୍ ହକି ମ୍ୟାଚ ଓଡ଼ିଶାରେ ହେଉଥିଲେ ମଧ୍ୟ ରାଜ୍ୟର ହାତଗଣତି ମିଡିଆ ହାଉସକୁ ଖବର ସଂଗ୍ରହ କରିବାର ଅନୁମତି ମିଳିଛି। ଟିକସଦାତାଙ୍କ ପଇସାରେ ଆୟୋଜିତ ହେଉଥିବା ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଉତ୍ସବ କଣ ସେହି ଅଫିସରଙ୍କ ବ୍ୟକ୍ତିଗତ ବ୍ୟାପାର ନୁହେଁ ଯେ ସେ କେଉଁ ମିଡିଆକୁ ଡାକିବେ ଓ କାହାକୁ ବାରଣ କରିବେ, ତାହା ତାଙ୍କ ମର୍ଜି ଉପରେ ନିର୍ଭର କରିବ?

ରାଜ୍ୟର କିଛି ମିଡିଆ ହାଉସର ମାଲିକମାନେ ଏବେ ସରକାରଙ୍କ ସ୍ତୁତିଗାନରେ ଏତେ ମଗ୍ନ ହୋଇପଡ଼ିଛନ୍ତି ଯେ ପ୍ରତିବାଦର ସ୍ୱର କିମ୍ବା ଗଣମାଧ୍ୟମର ଧର୍ମ ପାଳନ କରିବା ବି ସେଥିରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷେ ସମ୍ଭବପର ହେଉନି। ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଆୟୋଜନ ହେଉଥିବା ବିଶ୍ୱକପ୍ ହକି ମ୍ୟାଚ ଆଳରେ କ’ଣ ବିଶାଳ ଦେବଙ୍କ ଭଳି ଅଫିସରମାନେ ସ୍ୱେଚ୍ଛାଚାରୀ ଆଚରଣ ଦେଖାଇବେ? ଏହାର ଉତ୍ତର ରାଜ୍ୟ ସରକାରଙ୍କ ଠାରୁ ମିଳିବା ଅନିବାର୍ଯ୍ୟ ହୋଇପଡ଼ିଛି।



from Odisha Reporter https://ift.tt/2OVeaQv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages