
ଅନୁଗୋଳ (ଓଡ଼ିଶା ରିପୋର୍ଟର): ବାଘ ସହ ସହବସ୍ଥାନ କିପରି ସମ୍ଭବ? ସେ ସଂପର୍କରେ ଜାଣିବା ପାଇଁ କେରଳ ‘ପେରିୟାର’ ହେଉ କି ମଧ୍ୟପ୍ରଦେଶର ‘କାହ୍ନା’, ‘ପାନ୍ନା’ କିମ୍ବା ‘ବାନ୍ଧବଗଡ଼’ ଅଭୟାରଣ୍ୟ ବୁଲିବେ ସାତକୋଶିଆ ବାସିନ୍ଦା। ଗାଁ ନିକଟରେ ବନ୍ୟଜନ୍ତୁ ଥିଲେ ମଧ୍ୟ ଏସବୁ ସ୍ଥାନର ଲୋକେ କିଭଳି ବସବାସ କରୁଛନ୍ତି ସେହି ଅନୁଭୂତି ସାଉଁଟିବେ ସାତକୋଶିଆବାସୀ। ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ଭିତରେ କିଭଳି ସମନ୍ୱୟ ରହିଛି ଓ ବନ୍ୟଜନ୍ତୁ ରହିବା ଦ୍ୱାରା ଗାଁ ଲୋକେ କିଭଳି ଉପକୃତ ହେଉଛନ୍ତି ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବେ। ସେଥିପାଇଁ ସାତକୋଶିଆବାସୀଙ୍କୁ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳକୁ ନେବା ଲାଗି ଯୋଜନା କରୁଛି ବନ ବିଭାଗ।

ବାଘୁଣୀ ସୁନ୍ଦରୀ ମଣିଷଙ୍କୁ ଆକ୍ରମଣ କରିବା ହେଉ କି କାହ୍ନାରୁ ଆସିଥିବା ମହାବଳର ମୃତ୍ୟୁ ଯୋଗୁ ସାତକୋଶିଆରେ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ସୁଧାରିବା ଲକ୍ଷ୍ୟରେ ଏଭଳି ଯୋଜନା କରାଯାଇଛି। ସେପଟେ ନ୍ୟାଶନାଲ୍ ଟାଇଗର କନଜର୍ଭେସନ ଅଥରିଟି (NTCA), ୱାଇଲ୍ଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII) ଟିମ୍ ସାତକୋଶିଆ ଗସ୍ତ କରି ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି, ସେ ସଂକ୍ରାନ୍ତରେ ଏକ ବିଶଦ୍ ରିପୋର୍ଟ ରାଜ୍ୟ ବନ ବିଭାଗକୁ ପ୍ରଦାନ କରିବେ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଚିଫ୍ ୱାଇଲ୍ଡ୍ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ।

ସେପଟେ ରାଜ୍ୟରେ ବଢ଼ି ଚାଲିଥିବା ବନ୍ୟଜନ୍ତୁ ଅପରାଧର ସଠିକ୍ ଓ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି କର୍ମଶାଳା। ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି। ବନବିଭାଗ ଓ ପୁଲିସ ସହ ଏହି କର୍ମଶାଳାରେ କଷ୍ଟମ୍ସ, ସିଆଇଏସ୍ଏଫ୍ ଓ ଆର୍ପିଏଫ୍ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି।
କାହ୍ନାରୁ ଆସିଥିବା ମହାବଳର ମୃତ୍ୟୁ ହୋଇଥିଲେ ମଧ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି NTCA କର୍ତ୍ତୃପକ୍ଷ କହିଛନ୍ତି। ସେଦୃଷ୍ଟିରୁ ସାତକୋଶିଆବାସୀଙ୍କ ଆସ୍ଥାଭାଜନ ହୋଇ ବ୍ୟାଘ୍ର ପ୍ରକଳ୍ପ ଯୋଜନାକୁ ଆଗେଇ ନେବା ଲାଗି ବନ ବିଭାଗ ସାନି ପ୍ରୟାସ ଆରମ୍ଭ କରିଛି।
from Odisha Reporter https://ift.tt/2KDov2V
No comments:
Post a Comment