
ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍ରେ ଝୁଣ୍ଟିଛି ଟିମ୍ ଇଣ୍ଡିଆ। ‘ଗାବା’ରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍ରେ ତୀବ୍ର ଲଢ଼େଇ କରିଥିଲେ ହେଁ ବିରାଟ୍ ବାହିନୀର ସାଥ ଦେଇନି ଭାଗ୍ୟ। ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍କୁ ୪ ରନ୍ (ଡିଏଲ୍)ରେ ପରାସ୍ତ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ଟିକିଆ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି।
ଟିମ୍ ଅଷ୍ଟ୍ରେଲିଆ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୧୭ ଓଭର୍ରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଡିଏଲ୍ ନିୟମ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ୧୭ ଓଭର୍ରେ ୧୭୪ ରନ୍ର ଟାର୍ଗେଟ ମିଳିଥିଲା। କିନ୍ତୁ ଦଳ ୭ ୱିକେଟ୍ ହରାଇ ମାତ୍ର ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଓପନର୍ ଶିଖର ଧୱନ୍ ଓ ମଧ୍ୟକ୍ରମରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଲଢ଼େଇ କରିଥିଲେ ହେଁ ବିଜୟର ମୁଣ୍ଡି ମାରିବାକୁ ସକ୍ଷମ ହୋଇ ନଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ଆଡାମ ଝାମ୍ପା ଓ ମାର୍କସ୍ ଷ୍ଟୋଇନିସ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜେସନ୍ ବେହରନ୍ଡ୍ରଫ୍, ବିଲି ଷ୍ଟାନ୍ଲେକ୍ ଓ ଆଣ୍ଢ୍ର୍ୟୁ ଟାଇ ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।
୪ ଓଭର୍ରେ ୨୨ ରନ୍ ଦେଇ ଦୁଇଟି ୱିକେଟ୍ ପାଇଥିବା ଆଡାମ ଝାମ୍ପାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି।
ଗାବା ମ୍ୟାଚ୍କୁ ଜିତିବା ପାଇଁ ଭାରତକୁ ଡିଏଲ୍ ନିୟମ ଅନୁଯାୟୀ ୧୭ ଓଭର୍ରେ ୧୭୪ ରନ୍ର ବିଶାଳ ଟାର୍ଗେଟ ମିଳିଥିଲା। ଏହାର ପିଛା କରିବାକୁ ଯାଇ ଦଳ ୩୫ ରନ୍ରେ ଓପନର୍ ରୋହିତ ଶର୍ମା(୭)ଙ୍କୁ ହରାଇଥିଲା। ଏହାପରେ ଲୋକଶ ରାହୁଲ ଏବଂ ଅନ୍ୟତମ ଓପନର୍ ଶିଖର ଧୱନ ସ୍ଥିତି ସମ୍ଭାଳିଥିଲେ।

ଧୱନ୍ ନିଜର ବିସ୍ଫୋରକ ଶୈଳୀରେ ରନ୍ ସଂଗ୍ରହ କରୁଥିବା ବେଳେ ରାହୁଲ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୪୬ ରନ୍ର ଭାଗୀଦାରି କରିଥିଲେ। ହେଲେ ସ୍ପିନର ଆଡାମ ଝାମ୍ପା ପ୍ରଥମେ ରାହୁଲ( ୧୩) ଓ ପରେ ଅଧିନାୟକ ବିରାଟ୍ କୋହଲି(୪)ଙ୍କୁ ସଅଳ ପ୍ୟାଭିଲିୟନ୍ ପଠାଇ ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ।
କିନ୍ତୁ ଧୱନ୍ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ପୂର୍ବଭଳି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଧୱନ ୪୨ଟି ବଲ୍ରେ ୭୬ ରନ୍ କରିଥିବା ବେଳେ ବିଲି ଷ୍ଟାନ୍ଲେକ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ୧୦୫ ରନ୍ରେ ୫ ୱିକେଟ୍ ହରାଇଥିବା ଭାରତକୁ ୩୨ଟି ବଲ୍ରେ ବିଜୟ ପାଇଁ ୬୯ ରନ୍ ଦରକାର ଥିଲା।

ଏହି ସମୟରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଓ ଯୁବ ତାରକା ରିଷଭ ପନ୍ତ ସ୍ଥିତ ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୨୩ଟି ବଲ୍ରେ ୫୧ ରନ୍ର ଭାଗୀଦାରି କରି ବିଜୟ ଆଶା ସଞ୍ଚାର କରିଥିଲେ। କିନ୍ତୁ ଆଣ୍ଡ୍ର୍ୟୁ ଟାଇ ପ୍ରଥମେ ରିଷଭ ପନ୍ତ ଏବଂ ପରେ ମାର୍କସ୍ ଷ୍ଟୋଇନିସ୍ ବିସ୍ଫୋରକ ଦୀନେଶ କାର୍ତ୍ତିକଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆର ବିଜୟକୁ ଏକ ପ୍ରକାରର ବନ୍ଦ କରିଦେଇଥିଲେ।
ପନ୍ତ ୧୫ଟି ବଲ୍ରେ ୨୦ ରନ୍ କରିଥିବା ବେଳେ କାର୍ତ୍ତିକ ୧୩ଟି ବଲ୍ରେ ୩୦ ରନ୍ କରି ଆଉଟ୍ ହୋଇଥିଲେ।

ବ୍ରିସ୍ବେନ୍ରେ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଏହାକୁ ଖଲୀଲ ଅହମ୍ମଦ ଠିକ୍ ସାବ୍ୟସ୍ତ କରି ଓପନର୍ ଡି ଆର୍ସି ଶଟ୍ଙ୍କୁ ଦଳୀୟ ସ୍କୋର ୨୪ ଥିବା ବେଳେ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ।
ଏହାପରେ ଅଧିନାୟକ ଆରୋନ୍ ଫିଞ୍ଚ ଏବଂ କ୍ରିସ୍ ଲିନ୍ ସ୍ଥିତ ସମ୍ଭାଳି ଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୪୦ ରନ୍ ଯୋଡ଼ିଥିଲେ। ଫିଞ୍ଚ(୨୭) ଓ କ୍ରିସ୍ ଲିନ୍(୩୭)ଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଟିମ୍ ଇଣ୍ଡିଆକୁ ମ୍ୟାଚ୍କୁ କମ୍ବ୍ୟାକ୍ କରାଇଥିଲେ। ୭୫ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆ ପାଇଁ ମାତ୍ର ୬ ଓଭର୍ରେ ୭୮ ରନ୍ର ଭାଗୀଦାରି କରିଥିଲେ ବିସ୍ଫୋରକ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍।

ଟିମ୍ ଅଷ୍ଟ୍ରେଲିଆ ୧୬.୧ ଓଭର୍ରେ ୩ ୱିକେଟ୍ ହରାଇ ୧୫୩ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍ଟିକୁ ୧୭ ଓଭର୍ ବିଶିଷ୍ଟ କରାଯାଇଥିଲା।
ଅଷ୍ଟ୍ରେଲିଆ ବର୍ଷା ପରେ ବଳକା ୫ଟି ବଲ୍ର ୫ ରନ୍ କରିବା ସହ ମ୍ୟାକ୍ସୱେଲ୍ଙ୍କୁ ୱିକେଟ୍ ହରାଇଥିଲା। ତେବେ ଆଉଟ୍ ହେବା ପୂର୍ବରୁ ସେ ୪୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ସେହିପରି ଷ୍ଟୋଇନିସ୍ ଶେଷ ପର୍ଯ୍ୟନ୍ତ ୩୩ ରନ୍ କରି ଅପରାଜିତ ଥିଲେ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକେଟ୍ ନେଥିବା ବେଳେ ଯଶପ୍ରୀତ ବୁମ୍ରା ଓ ଖଲୀଲ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।
ଆସନ୍ତା ଶୁକ୍ରବାର ଦୁଇ ଦଳ ଦ୍ୱିତୀୟ ଟି-୨୦ରେ ମୁହାଁମୁହିଁ ହେବେ।

from Odisha Reporter https://ift.tt/2zjQfoZ
No comments:
Post a Comment