ଗେମ୍ ଚେଞ୍ଜର ହେବେ ଅପରାଜିତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଗେମ୍ ଚେଞ୍ଜର ହେବେ ଅପରାଜିତା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ୪ମାସ ବାକି ଥିବାବେଳେ ବିଜେପି ନେତୃତ୍ୱ ନିଜର ‘ଲୁକ୍ ଇଷ୍ଟ୍’ ଷ୍ଟ୍ରାଟେଜୀ ଓ ରାଜ୍ୟରେ ମିଶନ ‘୧୨୦+’କୁ ସଫଳ ରୂପ ଦେବା ପାଇଁ କ’ଣ ଦକ୍ଷ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶାରେ ‘ଟ୍ରମ୍ପ୍ କାର୍ଡ’ କରିବାକୁ ଯାଉଛି ? ସତରେ କ’ଣ ଅପରାଜିତା ଓଡ଼ିଶାରେ ବିଜେପି ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ?

ଏଭଳି ପ୍ରଶ୍ନ ଉଭୟ ରାଜନୀତିକ ଓ ପ୍ରଶାସନିକ ଅଳିନ୍ଦରେ ଉଙ୍କି ମାରୁଥିଲେ ସୁଦ୍ଧା ଅପରାଜିତାଙ୍କ ପ୍ରଶାସନିକ କ୍ୟାରିୟରର ସଫଳ ଟ୍ରାକ୍ ରେକର୍ଡ ହିଁ ରାଜ୍ୟ ରାଜନୀତିରେ ତାଙ୍କୁ ଗେମ୍ ଚେଞ୍ଜର ଭାବେ ଉଭା କରିବାର ସମ୍ଭାବନା ସୃଷ୍ଟି କରିଛି। ତଥାପି ରାଜ୍ୟରେ ବିଜେଡି ପାଇଁ ଭୋଟବ୍ୟାଙ୍କ ସୃଷ୍ଟି କରୁଥିବା ପ୍ରଶାସନିକ କଳକୁ ମାତ୍ ଦେଇ ଅପରାଜିତା ବିଜେପି ନିମନ୍ତେ ଉତ୍ସାହଜନକ ନିର୍ବାଚନୀ ଫଳାଫଳ ଆଣିବାରେ ସହାୟକ ହେବା ନିଶ୍ଚିତ ଭାବେ ଏକ ମହା ଚ୍ୟାଲେଞ୍ଜ ହେବ।

ସୂଚନା ଅନୁସାରେ ୨୪ବର୍ଷର ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଶାର ବୋହୂ ଅପରାଜିତା ଷଡ଼ଙ୍ଗୀ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ।ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ ନିକଟରୁ ଦେଖିଥିବା ଜଣେ ପ୍ରମୁଖ ସଚିବ ପାହ୍ୟାର ଆଇଏଏସଙ୍କ କହିବା ଅନୁସାରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର କଳା ଓ ଦକ୍ଷତା ଅପରାଜିତାଙ୍କ ପାଖରେ ରହିଛି। ପ୍ରଶାସନିକ ଗଣ୍ଡି ଭିତରେ ରହି ସେ ଯେଭଳି ଭାବେ ଲୋକଙ୍କ ସହ ସିଧାସଳଖ ଭାବ ବିନିମୟ କରିପାରୁଥିଲେ ରାଜନୀତିରେ ତାହା ଅଧିକ ସହଜ ହେବ।

ଜିଲ୍ଲାପାଳ ଭାବେ ଗଞ୍ଜାମ, କୋରାପୁଟ, ନୂଆପଡ଼ା ଓ ଖୋର୍ଦ୍ଧାରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଅପରାଜିତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ମାଧ୍ୟମରେ ଘରେଘରେ ଏକ ପରିଚିତ ନାଁ ପାଲଟିଥିଲେ। ୨୦୦୧ ମାର୍ଚ୍ଚ ମାସରେ ରାଜ୍ୟର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା। କିନ୍ତୁ ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ମିଶନ ଶକ୍ତି ନିର୍ଦ୍ଦେଶକ ଭାବେ ଅପରାଜିତାଙ୍କ ଦୃଢ଼ ପ୍ରଶାସନିକ ନେତୃତ୍ୱ ଓ ମହିଳାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ଦକ୍ଷତା ଯୋଗୁ ଧାର୍ଯ୍ୟ ସମୟ ପୂର୍ବରୁ ସେ ଟାର୍ଗେଟର ଦେଢ଼ଗୁଣ ମହିଳା ଏସଏଚଜି ଗଠନ କରିପାରିଥିଲେ।ଏଭଳି ଏକ ନୂଆ ଚିନ୍ତାଧାରା ପ୍ରତି ସେତେବେଳେ ଗାଁ ଗହଳିର ମହିଳାଙ୍କୁ ଆକର୍ଷିତ କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା।

ସଏଚଜି ଗଠନ ଆନ୍ଦୋଳନର କର୍ଣ୍ଣଧାର

ତା’ ସତ୍ତ୍ୱେ ୨୦୦୫ ମସିହା ସୁଦ୍ଧା ୧ଲକ୍ଷ ମହିଳା ଏସଏଚଜି ଗଠନର ଟାର୍ଗେଟ୍ ଥିବାବେଳେ ୨୦୦୫ ଫେବୃୟାରୀ ମାସ ସୁଦ୍ଧା ସେ ୧.୪୯ଲକ୍ଷ ମହିଳା ଏସଏଚଜି ଗଠନ କରି ସେଥିରେ ୧୯ଲକ୍ଷ ମହିଳାଙ୍କୁ ସାମିଲ କରିପାରିଥିଲେ। ଏପରିକି ଏସଏଚଜି ଗୁଡ଼ିକୁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା ସହ ସେମାନଙ୍କୁ ବିଭିନ୍ନ ଉପାୟରେ ସ୍ୱାବଲମ୍ବୀ କରିବାର ଦୃଢ଼ ମୂଳଦୁଆ ଅପରାଜିତା ପକାଇ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକରେ ରହିପାରିଥିଲେ।

ବାସ୍ତବ କଥା ହେଉଛି ଏବେ ନିର୍ବାଚନ ପାଇଁ ବିଜେଡି ସେହି ମହିଳା ଏସଏଚଜିକୁ ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରୁଛି । ଅପରାଜିତା ବିଜେପିରେ ସାମିଲ ହେବା ପରେ ଏହି ଭୋଟବ୍ୟାଙ୍କରେ ଛିଦ୍ର କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

ବଢ଼ିଆ ଟ୍ରାକ ରେକର୍ଡ

ସେହିପରି ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ଅପରାଜିତା ବିଏମସି କମିଶନର ଭାବେ ରାଜଧାନୀ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ଓ ଉଠା ଦୋକାନୀଙ୍କୁ ଏକ ସୁସ୍ଥ ବ୍ୟବସ୍ଥିତ ବାତାବରଣରେ ବ୍ୟବସାୟ କରିବାର କାର୍ଯ୍ୟ ହାତକୁ ନେଇଥିଲେ। ସହରକୁ ସବୁଜିମାମୟ କରିବା ସହ ଭେଣ୍ଡିଂ ଜୋନ୍ ସ୍ଥାପନ ତାଙ୍କର ଉନ୍ନତ ଚିନ୍ତାଧାରାର ପ୍ରତୀକ ଥିଲା। ଯେଉଁଥିପାଇଁ ତାଙ୍କର ବଦଳିକୁ ଉଠା ଦୋକାନୀ ଓ ସାଧାରଣ ସହରବାସୀ ବିରୋଧ କରିଥିଲେ। ଆଉ ସେବେଠୁ ଏପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ବିଏମସି ସାମାନ୍ୟ ପରିଚୟ ପତ୍ରଟିଏ ବି ଦେଇପାରିନି।

ସେହିପରି ୨୦୧୦-୧୧ରେ ଅପରାଜିତା ସ୍କୁଲ ଓ ଗଣଶିକ୍ଷା ସଚିବ ହେବାପରେ ସ୍କୁଲ ୟୁନିଫର୍ମ ଓ ହେଲପଲାଇନ ନମ୍ବର ପ୍ରଚଳନ କରି ସ୍କୁଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିପାରିଥିଲେ । ଯାହା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅପରାଜିତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ହେଲପଲାଇନ ନମ୍ବରରେ ସିଧାସଳଖ ଅଭିଯୋଗର ବ୍ୟବସ୍ଥା ଥିବା ତଥା କଠୋର କାର୍ଯ୍ୟାନୁଷ୍ଠାନର ଭୟ ହିଁ ଶିକ୍ଷକମାନଙ୍କୁ ବ୍ୟବସ୍ଥିତ କରାଇ ପାରିଥିଲା।ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କ ଉପସ୍ଥାନ ବୃଦ୍ଧି ଓ ପାଠପଢ଼ାରେ ଗୁଣାତ୍ମକ ମାନରେ ପରିବର୍ତନ ଆସିପାରିଥିଲା। ଏଭଳି ପଦକ୍ଷେପ ସେତେବେଳେ ଅପରାଜିତାଙ୍କୁ ଘରେଘରେ ଲୋକପ୍ରିୟ କରାଇଥିଲା।

ତା’ପରେ ପଞ୍ଚାୟତିରାଜ ସଚିବ ଭାବେ ୨୦୧୨ ମସିହାରେ ବିଡିଓ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଭୁବନେଶ୍ୱର ଆସିବା ଉପରେ କଟକଣା ଜାରି କରି ଅପରାଜିତା ଶାସକ ଦଳରେ କମ୍ପନ ସୃଷ୍ଟି କରିଥିଲେ। ଗାଁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା, ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ଶୌଚାଳୟ, ରାସନ କାର୍ଡ ଆଦି ସମସ୍ତ କାର୍ଯ୍ୟ ପଲ୍ଲୀସଭା ମାଧ୍ୟମରେ ସ୍ଥିର କରିବା ସହ ପଞ୍ଚାୟତର ବାର୍ଷିକ କାର୍ଯ୍ୟକୁ ପଲ୍ଲୀସଭା/ଗ୍ରାମସଭାର ଅନୁମୋଦନ ଭଳି କଠୋର ପଦକ୍ଷେପ ବି ଅପରାଜିତାଙ୍କୁ ଜଣେ ଲୋକପ୍ରିୟ ପ୍ରଶାସକ କରାଇ ପାରିଥିଲା।

ତେଣୁ ସମାଜର ସବୁ ବର୍ଗର ଲୋକଙ୍କ ନିକଟତର ହେବାର କୌଶଳକୁ ସଫଳ ଭାବେ ଉପଯୋଗ କରି ଜଣେ ଦକ୍ଷ ଓ ଲୋକପ୍ରିୟ ପ୍ରଶାସକ ହୋଇପାରିଥିବା ଅପରାଜିତାଙ୍କୁ ରାଜ୍ୟ ରାଜନୀତିର ପାଣିପାଗକୁ ବୁଝିବା ଓ ଲୋକଙ୍କ ମୁଡକୁ ପରଖିବା ବେଶୀ ସମୟ ଲାଗିବ ନାହିଁ।

ଟ୍ରମ୍ପ କାର୍ଡ ?

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଗୁପ୍ତ ଭାବେ ବିଜେପି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଆରଏଏସ ସଂଗଠନର ଶତପ୍ରତିଶତ ଆଶୀର୍ବାଦ ଅପରାଜିତାଙ୍କ ସହ ରହିଛି। ଗତ ଜୁଲାଇ୍ ମାସରେ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତବେଳେ ଅପରାଜିତାଙ୍କୁ ରାଜ୍ୟ ବିଜେପିର ଟ୍ରମ୍ପ କାର୍ଡ ଭାବେ ଉପଯୋଗ କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିଲା। ଯଦିଓ ଅପରାଜିତାଙ୍କ ଏଭଳି ଧମାକାଦାର ଏଣ୍ଟ୍ରିକୁ ରାଜ୍ୟ ବିଜେପିର ଏକ ଗୋଷ୍ଠୀ ବିଶେଷ ଖୁସି ନୁହେଁ, ତଥାପି ଜାତୀୟ ନେତୃତ୍ୱ ଓ ଆରଏସଏସର ଚାପରେ ଆଗାମୀ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେବାରେ ଅପରାଜିତା ହିଁ ମୁଖ୍ୟ ଗେମ ପ୍ଲାନର୍ ଓ ଗେମ୍ ଚେଞ୍ଜର୍ ପାଲଟିପାରନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

 



from Odisha Reporter https://ift.tt/2Byk1Yl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages