ଘରୁ ଚୋରି ହେଲା ବୋଲି ୭ ମାସ ବାସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଘରୁ ଚୋରି ହେଲା ବୋଲି ୭ ମାସ ବାସନ୍ଦ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ଘରୁ ଚୋରି ହେଲା ବୋଲି ଘର ମାଲିକଙ୍କୁ ୭ ମାସ ବାସନ୍ଦ କରାଯାଇଛି। ଏପରି ବିଚିତ୍ର ବିଚାର ଗାଁ ମୁଖିଆ କରିଛନ୍ତି। ଯାହାଫଳରେ ଉକ୍ତ ପରିବାର ଲୋକ ଘରୁ ବାହାରି ପାରୁନାହାନ୍ତି। ପିଲାମାନେ ପାଠ ପଢ଼ିବାକୁ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ଏମିତି ଅନ୍ଧାରୀ ଶାସନ ପୁରୀ ଜିଲ୍ଲା ସତ୍ୟବଦୀ ବ୍ଳକର ମଧୁବନ ପଞ୍ଚାୟତ ହାଟପଡ଼ା ଗାଁରେ ଚାଲିଛି। ଆଉ ମୁଖିଆ ସାଜି ବିଚାର କରିଛନ୍ତି ଜଣେ ସାମ୍ୱାଦିକ।

ହାଟପଡ଼ା ଗାଁରେ କିଛି ଘଟିଲେ ଗାଁ କମିଟିରେ ବିଚାର ହୁଏ। ଦୋଷୀକୁ ଗାଁରେ ହିଁ ଦଣ୍ଡ ଦିଆଯିବ। ଏପରି ପ୍ରଥା କେଉଁ କାଳରୁ ଚାଲିଆସିଛି। ସେଥିପାଇଁ ଗତ ମେ’ ମାସରେ ହଜାରୀ ସାହୁଙ୍କ ଘରୁ ଗୋଟିଏ ମୋବାଇଲ ଓ ଟର୍ଚ୍ଚ ଚୋରି ହେବାପରେ ସେ ୨୫ ଟଙ୍କା ଜମା କରି ଗାଁ କମିଟିରେ ଅଭିଯୋଗ କରିଥିଲେ।

ଘଣ୍ଟ ବାଜିଲା ପରେ ଗାଁ କମିଟିର ବୈଠକ ବସିଲା। ନିଷ୍ପତ୍ତି ଅନୁଯାୟୀ ଚୋର ଧରିବା ପାଇଁ ୨୫ ହଜାର ଟଙ୍କା ଦେବାକୁ ହଜାରୀଙ୍କୁ କୁହାଯାଇଥିଲା। ୧୦୦୦ ଟଙ୍କାର ମୋବାଇଲ ପାଇଁ ୨୫ ହଜାର ଟଙ୍କା କାହିଁକି ଦେବେ ବୋଲି ହଜାରୀଙ୍କ ପୁଅ ହୃଷିକେଶ କହିଥିଲେ। ଯାହାକୁ ନେଇ ଗାଁ ମୁଖିଆ କ୍ରୋଧାନ୍ୱିତ ହୋଇଥିଲେ। ଚୋରି ହୋଇଥିଲା ବୋଲି ତୁମେ କାହିଁକି ଅଭିଯୋଗ କରୁଥିଲ ବୋଲି ମୁଖିଆ ପ୍ରଶ୍ନ କରିଥିଲେ। ପରେ ନେଲେ ଚରମ ନିଷ୍ପତ୍ତି। ହଜାରୀଙ୍କ ପରିବାରକୁ ବାସନ୍ଦ କଲେ।

ଦୀର୍ଘ ୭ ମାସ ଧରି ହଜାରୀଙ୍କ ପରିବାର ଏକ ଘରିଆ ଭାବେ ରହିଛି। ସେମାନେ ସାହିପଡ଼ିଶା ଘରକୁ ଯାଉନାହାନ୍ତି କି ସାହିପଡ଼ିଶା ସେମାନଙ୍କ ଘରକୁ ଆସୁନାହାନ୍ତି। ଏପରିକି ବାରିକ, ବ୍ରାହ୍ମଣ ଓ ଧୋବାଙ୍କୁ ବି ବାରଣ କରାଯାଇଛି। ସେମାନେ ଆସୁନାହାନ୍ତି। ଠାକୁରଙ୍କୁ ଦର୍ଶନ ଓ ପୂଜା କରିବାକୁ ଅନୁମତି ଦିଆଯାଉଛି। ଯେଉଁ ପଡ଼ୋଶୀ ତାଙ୍କ ଘର ସହିତ ସମ୍ପର୍କ ସ୍ଥାପନ କରିବ, ତାକୁ ୨ ହଜାର ଟଙ୍କା ଜରିମାନା କରାଯିବ ବୋଲି ଚେତାବନୀ ଦିଆଗଲା। ଯେଉଁଥିପାଇଁ କୌଣସି ପଡ଼ୋଶୀ ଉକ୍ତ ପରିବାର ସହିତ ସମ୍ପର୍କ ସ୍ଥାପନ କରିବାକୁ ସାହସ କରିପାରୁ ନାହାନ୍ତି।

କଥାରେ ଅଛି ବଡ଼ ଲୋକଙ୍କ ବିବାଦ ଭିତରେ ଛୋଟ ପିଲାଙ୍କୁ ପୂରେଇବା କଥା ନୁହେଁ। କିନ୍ତୁ ଉକ୍ତ ପରିବାରର ଛୋଟ ପିଲାମାନଙ୍କ ସହିତ ଗାଁର ପିଲାମାନେ ଖେଳିବା ବୁଲିବା ଉପରେ କଟକଣା ଲଗାଯାଇଛି। ଏଥିପାଇଁ ଲକ୍ଷ୍ମଣ ରେଖା ଟାଣିଛି ଗାଁ କମିଟି। ଯିଏ ଉକ୍ତ ପରିବାରର ପିଲାମାନଙ୍କ ସହିତ ଖେଳିବ ତାଙ୍କୁ ମଧ୍ୟ ବାସନ୍ଦର ରଖାଯିବାର ଧମକ ଦିଆଯାଇଛି।

ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ଏହି ସମସ୍ତ ଘଟଣା ପଛରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ହାତ ଥିବା ଅଭିଯୋଗ ହୋଇଛି। ସେ ଘଟଣାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଜରିମାନା କରିଥିବା ହଜାରୀ ଅଭିଯୋଗ କରିଛନ୍ତି। ଗାଁରୁ ଏକଘରିଆ ହେବା ନେଇ ହଜାରୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ତେବେ ପୁରୀର ଜିଲ୍ଲା ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଧୀରେନ୍ଦ୍ର ନନ୍ଦ କହିଛନ୍ତି-“ଏହି ଘଟଣାକୁ ପ୍ରଶାସନ ଗମ୍ଭୀରତାର ସହ ନେଉଛି। ସପ୍ତାହେ ମଧ୍ୟରେ ସମାଧାନ କରାଯିବ।”



from Odisha Reporter https://ift.tt/2RW7NhB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages