କ’ଣ ପାଇଁ ଶ୍ରୀମନ୍ଦିରରେ ହୁଏ ‘ବାଳ ଧୂପ, ବାଳ ବେଶ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

କ’ଣ ପାଇଁ ଶ୍ରୀମନ୍ଦିରରେ ହୁଏ ‘ବାଳ ଧୂପ, ବାଳ ବେଶ’ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତଳୁଚ୍ଛ ନାରାୟଣ ମହାପାତ୍ର। ମତିରେ ରତି ଆଉ ଭକ୍ତିକୁ ନେଇ ଜଣେ ଭଲ ସେବକ ଭାବେ ସେ ମହାପ୍ରଭୁଙ୍କ ସେବା କରୁଥାନ୍ତି। ସେଦିନ ବି ଠିକ୍‌ ସେମିତି କରିଥିଲେ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ଦଶମୀରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ସମାପ୍ତ ହେଲା। ଶ୍ରୀମନ୍ଦିରର ପ୍ରମୁଖ ତଥା ସାମନ୍ତ ସେବକ ଭାବେ ସେ ନିଜ ସେବା ସମର୍ପଣ କଲେ ଆଉ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମଇଲମ ହୋଇଥିବା ନାକୁଆସିଟିକୁ ଅତି ଯତ୍ନରେ ନିଜ ଗାମୁଛାରେ ବାନ୍ଧି ନେଲେ। ଘରକୁ ଯିବା ବାଟରେ ନିଜର ପ୍ରିୟତମା ଲାବଣ୍ୟବତୀଙ୍କ ଗୃହ ଆଡକୁ ମୁହାଁଇଲେ ତଳୁଚ୍ଛ।

ମଥାରେ ଚିତା ତିଳକ, ହୃଦୟରେ ପ୍ରେମ । ଏମିତି ଅପୂର୍ବ ସମନ୍ୱୟରେ ସେଦିନ ତାଙ୍କ ହୃଦୟ ଭରି ଉଠିଥିଲା । ଗାମୁଛାରେ ମହାପ୍ରଭୁଙ୍କ ଆଳତି ତୁଳସୀ ଆଉ ଦିବ୍ୟ ନାକୁଆସି ଧରି ସେ ପହଞ୍ଚିଲେ ଦେବଦାସୀ ଲାବଣ୍ୟବତିଙ୍କ ଘରେ। ସୁନ୍ଦରୀ ପ୍ରିୟତମାର ମୁଖାବଲୋକନ କରୁକରୁ ତା ମଥାରେ ମହାପ୍ରଭୁଙ୍କ ଦିବ୍ୟ ନାକୁଆସିକୁ ଖୋସିଦେଲେ।

ଏତିକି ବେଳେ ଖବର ପହଞ୍ଚିଲା। ଗଜପତି ଶ୍ରୀମନ୍ଦିର ବିଜେ କରିବେ । ମହାପ୍ରଭୁଙ୍କ ଦର୍ଶନ କରିବେ।

ପ୍ରେମିକାର ବାହୁ ବନ୍ଧନରୁ ଚମକିପଡି ଉଠି ପଡିଲେ ନାରାୟଣ। ଲାବଣ୍ୟବତୀର କୃଷ୍ଣମୟ ଗଭାରୁ ଚଡାଇ ଆଣିଲେ ମହାପ୍ରଭୁଙ୍କ ଶ୍ରୀ ନାକୁଆସିଟିକୁ।

କାରଣ ସେ ଜାଣନ୍ତି ଶ୍ରୀମନ୍ଦିର ନୀତି ନିୟମ ବଡ କଠୋର। ଗଜପତି ମନ୍ଦିର ବିଜେ କଲେ ମାନେ ତାଙ୍କ ତାଟରେ ଶ୍ରୀ ନହରରେ ପୂଜିତ ଦେବୀ କନକ ଦୁର୍ଗାଙ୍କ ପାଇଁ ମହାପ୍ରଭୁଙ୍କ ଦିବ୍ୟ ନାକୁଆସିଟି ସମର୍ପଣ ହେବ। ସେଇଆ ହିଁ ହେଲା।

ଦର୍ଶନ ସରିବା ପରେ ମା’ କନକ ଦୁର୍ଗାଙ୍କ ପାଇଁ ଲାବଣ୍ୟବତୀଙ୍କ ଗଭାରୁ ଖସାଇ ଅଣାଯାଇଥିବା ନାକୁଆସିଟିକୁ ତାଟରେ ଥୋଇଦେଲେ ତଳୁଚ୍ଛ ମହାପାତ୍ର।

ହେଲେ ତହିଁ ପରଦିନ ପୁରସ୍ତମ ସାରା ଚହଳ ପଡ଼ିଗଲା। କାଳିଆ ସେବାରେ ବିଭ୍ରାଟ ହୋଇଛି। ଶ୍ରୀ ନହରକୁ ଆସିଥିବା ନାକୁଆସିରେ ଏକ ଲମ୍ବା କେଶ ବା ବାଳ ମିଳିଛି। ଏହା କୌଣସି ନାରୀର କେଶ ହୋଇଥାଇପାରେ ବୋଲି ସନ୍ଦେହ କଲେ ରାଜା।

ତଳୁଚ୍ଛଙ୍କୁ ଡାକରା ଗଲା। ସେବାରେ ତ୍ରୁଟି ହେଉଛି କି ବୋଲି ପ୍ରଶ୍ନ କଲେ ଗଜପତି। ଯାହାର ଉତ୍ତର ଦେଇ ପାରି ନ ଥିଲେ ତଳୁଚ୍ଛ। କାରଣ ସେ ଜାଣିଥିଲେ ତ୍ରୁଟିଟି ତାଙ୍କର।

ହେଲେ ମହାପ୍ରଭୁଙ୍କ ସ୍ମରଣ କରି କହିଲେ,

“ହେ ଗଜପତି, ଏ କେଶଟି ମହାପ୍ରଭୁଙ୍କର’’

ଉତ୍ତର ଶୁଣି ସମସ୍ତେ ହସିଲେ। ହେଲେ ବିରକ୍ତ ହୋଇ ଉଠିଲେ ଗଜପତି। ମହାପ୍ରଭୁଙ୍କ ମଥାରେ କେଶ ନାହିଁ ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ଧ୍ରୁତ ତଳୁଚ୍ଛ ଏ କଥାଟି କହିଥିବାରୁ ରାଜା ଏହାର ପରୀକ୍ଷା ପାଇଁ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ମଥାରେ କେଶ ପରଖିବା ପାଇଁ ଶ୍ରୀମନ୍ଦିର ବିଜେ କରିବେ ବୋଲି କହିଲେ।

ଅଡୁଆରେ ପଡିଗଲେ ତଳୁଚ୍ଛ। ମୃତ୍ୟୁଦଣ୍ଡ ଶୁନିଶ୍ଚିତ ବୋଲି ଜାଣିପାରି କାଳିଆ ପାଖରେ ନିଜର ଦୁଃଖ ବଖାଣିଲେ। ତହିଁ ପରଦିନ ମୃତ୍ୟୁ ଦଣ୍ଡ ନିଶ୍ଚିତ ଜାଣିପାରି ତଳୁଚ୍ଛ ରତ୍ନସିଂହାସନ ତଳେ ଛିଡା ହୋଇଥାନ୍ତି। ଗଜପତି ବିଜେ କଲେ ପୋଖରୀଆକୁ। ମହାପ୍ରଭୁଙ୍କ ମଥାରୁ ଅଣ୍ଟାଯାଏ ଦର୍ଶନ କଲେ। ଆଉ ସେହି ବେଶରେ ଅନୁଭବ କଲେ ମହାପ୍ରଭୁଙ୍କ କେଶ ଅଛି ବୋଲି। ହେଲେ ସନ୍ଦେହ ହେବାରୁ କେଶ ଭଳି ଲାଗୁଥିବା ବସ୍ତ୍ର ସମୁହକୁ ଟାଣିଦେଲେ।

ଆଶ୍ଚର୍ଯ୍ୟ ହେଲେ ଗଜପତି,

ଆରେ ଏ ତ ସତରେ କେଶଗୁଚ୍ଛ। ମହାପ୍ରଭୁଙ୍କ ମଥାରେ କେଶ ! ପୁନର୍ବାର ସନ୍ଦେହର ମୋଚନ ଲାଗି ଟାଣିଦେଲେ ଉକ୍ତ କେଶକୁ । ମହାପ୍ରଭୁଙ୍କ ମଥାରୁ ଝରିପଡିଲା ରକ୍ତ। ରାଜା କ୍ଷମା ମାଗିଲେ। ଭକ୍ତର ତ୍ରୁଟିକୁ କ୍ଷମା ଦେଇ ନିଜ ମଥାରୁ ରକ୍ତ ଝରାଇଥିବା କଳା ଠାକୁରଙ୍କ ପାଖରେ ନିଉଛାଳି ହେଲେ।

ଆଉ ତଳୁଚ୍ଛଙ୍କୁ ପାଟ ଖଣ୍ଡୁଆ ଦେଇ ସମ୍ମାନୀତ କଲେ।

ସେହିଦିନ ଥିଲା ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ତିଥି। ରାଜାଆଜ୍ଞାରେ ସେହି ବେଶକୁ ନାମ ଦିଆଗଲା “ରାଧା ଦାମୋଦର ବେଶ” ବା ବାଳ ବେଶ ନାମରେ। ଭକ୍ତର ତ୍ରୁଟି ପାଇଁ ସମ୍ମାନୀତ ହେଲେ ଦାସୀର କେଶ। ଏହି ବେଶ ସହ ଏକ ଧୂପ ଯୋଡି ଦିଆଗଲା। ନାଁ ହେଲେ ବାଳଧୂପ। ଯାହା ଆଜି ବି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁଳ୍କ ଦଶମୀ ଯାଏ ଦୀର୍ଘ ୧ ମାସ ବ୍ୟାପୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ଏହି ବେଶ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ଲାଗିହୁଏ ବାଳଧୂପ।

ଆଉ ସୌଭାଗ୍ୟକୁ ଆଜି ହେଉଛି ଚଳିତ ବର୍ଷର ଶେଷ ‘ରାଧା ଦାମୋଦର ବେଶ’ । ଦୀର୍ଘ ଏକମାସ ଧରି ଏହି ବେଶ ଅନୁଷ୍ଠିତ ହୁଏ। କାର୍ତ୍ତିକ ମାସକୁ ଦାମୋଦରଙ୍କ ନାମରେ ନାମିତ କରାଯାଇଥିବାରୁ ଏହି ବେଶ ହୁଏ ବୋଲି କିଛି ବୈଷ୍ଣବପନ୍ଥି ଗବେଷକଙ୍କ ମତ।

ବେଶ ଆରମ୍ଭ ସମୟ ଓ ଇତିହାସ- ଖ୍ରୀଷ୍ଟିୟ ଦ୍ୱାଦଶ ଶତାଦ୍ଦୀରେ ଏହି ବେଶ ଆରମ୍ଭ ହୋଇଥାଇପାରେ ବୋଲି ସ୍ୱର୍ଗତ ପଦ୍ମଶ୍ରୀ ସଦାଶିବ ରଥଶର୍ମା ନିଜ ଗବେଷଣା ସନ୍ଧର୍ଭରେ ପ୍ରକାଶ କରିଛନ୍ତି। ଏହି ବେଶ ସମ୍ପର୍କରେ ଇତିହାସରେ ସେଭଳି କିଛି ତଥ୍ୟ ନାହିଁ। ତଥାପି ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରୁ ଏହା ବେଶ ଆରମ୍ଭ ହୋଇଥାଇପାରେ ବୋଲି ଅନୁମାନ କରାଯାଏ।

ବେଶ ଅଳଙ୍କାର- ଏହି ବେଶରେ ଶ୍ରୀ ବିଗ୍ରହମାନେ ତ୍ରିକଚ୍ଛ ଧାରଣ କରିଥାନ୍ତି। ସୁବର୍ଣ୍ଣ ନଳୀଭୁଜ, ମଥାରେ କନା ଚୁଳ, ତ୍ରୀମୁଣ୍ଡି ଅଗ୍ରରେ ଚନ୍ଦ୍ରିକା, କର୍ଣ୍ଣ କୁଣ୍ଡଳ, ଅଣ୍ଟାରେ ଓଡିଆଣି, ମସ୍ତକରେ ତଗଡି, ଚନ୍ଦ୍ର, ସୂର୍ଯ୍ୟ, ଚିତା ଆଦି ଦୁମୂଲ୍ୟ ଅଳଙ୍କାର ଧାରଣ କରିଥାନ୍ତି। ଏହା ବ୍ୟତୀତ, ନାକୁଆସି, ଅଧରମାଳ, ଝୋବା, କଣ୍ଠି ଭଳି ପାରମ୍ପରିକ ପୁଷ୍ପ ଓ ବସ୍ତ୍ରାଳଙ୍କାର ପରିଧାନ କରିଥାନ୍ତି ଶ୍ରୀ ବିଗ୍ରହମାନେ।



from Odisha Reporter https://ift.tt/2ToApBD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages