
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ବିରଳ ଘଟଣା ଆଜି ଘଟିଛି। ଏକ ଆବେଦନର ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏକ ଆବେଦନକୁ ଖାରଜ କରିଦେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ ରାଗିଯାଇ ପ୍ରଧାନ ବିଚାରପତିଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ଶେଷରେ ଜଷ୍ଟିସ ଗୋଗୋଇ ଏହାର ଶୁଣାଣି କରିବାକୁ ରାଜି ହୋଇଥିଲେ।
ରାଜସ୍ଥାନର ଏକ କମ୍ପାନୀ ଟିକସ୍ ଦେବାରେ ବିଳମ୍ବ କରୁଥିବାରୁ ଏସଂକ୍ରାନ୍ତ ଏକ ମାମଲାରେ ସରକାରଙ୍କ ପକ୍ଷରୁ ଭେନୁଗୋପାଲ ଆବେଦନ କରିଥିଲେ। ତେବେ ସେ ନିଜର ପକ୍ଷ ରଖିବା ପୂର୍ବରୁ ଜଷ୍ଟିସ୍ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କିଛି ନ ଶୁଣି ମାମଲା ଅଗ୍ରାହ୍ୟ ହେଲା ବୋଲି ରୁଲିଂ ଦେଇଥିଲେ।
ଏହା ଶୁଣି ଆଟର୍ଣ୍ଣି ଜେନେରାଲ୍ ବେଶ କ୍ଷୁବ୍ଧ ହୋଇ ଉଠିଥିଲେ। ସେ କହିଥିଲେ,“ କୌଣସି ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି ପୂର୍ବରୁ ଏହାକୁ ଖାରଜ କରିବା ଭଳି ନିଷ୍ପତ୍ତି ନେବା ମୁଁ ଆଜି ପର୍ଯ୍ୟନ୍ତ ଶୁଣି ନାହିଁ। ଦେଶର ଦୂରଦୂରାନ୍ତରୁ ଅନେକ ଲୋକ ଏଠାକୁ ନ୍ୟାୟ ପାଇଁ ଆସୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସିଜେଆଇ କହୁଛନ୍ତି ମାମଲା ଡିସ୍ମିସ୍ଡ୍? ଆପଣ କେବେ ହେଲେ ଏଭଳି ଏକ ମାମଲାକୁ ଶୁଣାଣି ପୂର୍ବରୁ ଅଗ୍ରାହ୍ୟ କରିପାରିବେ ନାହିଁ। କାରଣ ଏହା ଏକ ରାଜ୍ୟର ରାଜସ୍ୱ ଆଦାୟ ବିଷୟ। କ’ଣ ପାଇଁ ଖଣ୍ଡପୀଠ ସଂପୃକ୍ତ କମ୍ପାନୀକୁ ନୋଟିସ୍ କରିବାକୁ ପଛଘୁଞ୍ଚା ଦେଉଛନ୍ତି? ମୁଁ ଭାବୁଛି ସିଜେଆଇ ମୋ ପିଟିସନ୍କୁ ପଢ଼ିନାହାନ୍ତି।”
ଏହାର ଜବାବରେ ସିଜେଆଇ କହିଥିଲେ, “ ଆମେ ପିଟସନ୍ ପଢ଼ିଛୁ। ବୋଧ ହୁଏ ତରତରରେ କିଛି ମିସ୍ କରିଯାଇଥିବୁ। କିନ୍ତୁ ଆମେ ପଢ଼ିଛୁ।”
କିନ୍ତୁ ଭେନୁଗୋପାଲ କହିଥିଲେ ଉଭୟ ପକ୍ଷଙ୍କ ଯୁକ୍ତି ନଶୁଣି ଏକତରଫା ଭାବେ କୌଣସି ଆବେଦନକୁ ଖାରଜ କରାଯାଇପାରିବନି। ଏହାପରେ କେବେ ହେଲେ ନିଜର ରୁଲିଂରେ ପରିବର୍ତ୍ତନ କରି ନଥିବା ଜଷ୍ଟିସ୍ ଗୋଗୋଇ ଶେଷରେ ନରମି ଯାଇ ତାଙ୍କ ପାଖରେ ଥିବା ପେଣ୍ଡିଂ ମାମଲାର ଶୁଣାଣି ପରେ ପୁଣିଥରେ ଭେନୁଗୋପାଲଙ୍କ ଆବେଦନର ଶୁଣାଣି ହେବ ବୋଲି କହିଛନ୍ତି।
from Odisha Reporter https://ift.tt/2JW6QTG
No comments:
Post a Comment