
ପୁରୀ (ମଧୂସୁଦନ ମିଶ୍ର): ୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ବ୍ରହ୍ମ ବିଭ୍ରାଟ ପୂରା ହିନ୍ଦୁ ସମାଜକୁ ସ୍ତବ୍ଧ କରି ଦେଇଥିଲା। ପ୍ରାୟ ସାଢ଼େ ୩ ବର୍ଷ ପରେ ଏହି ଘଟଣାକୁ ନେଇ ୧୧ ଜଣଙ୍କୁ ନୋଟିସ୍ କରାଯିବା ପରେ ଶତାବ୍ଦୀର ସବୁଠାରୁ ବଡ଼ ବିଭ୍ରାଟର ଗୁମର ଖୋଲିବାରେ ଲାଗିଛି।
ପ୍ରାୟ ସାଢ଼େ ୩ ବର୍ଷ ହେବ ନିଜ ମଧ୍ୟରେ ଚାପି ରଖିଥିବା ବ୍ରହ୍ମ ବିଭ୍ରାଟର ଗୁମର ଏବେ ପଦାକୁ ବାହାର କରିଛନ୍ତି ଜଣେ ମହାରଣା। ବ୍ରହ୍ମ ବିଭ୍ରାଟକୁ ନେଇ ସେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଟଙ୍କା କାରବାରରେ ଶ୍ରୀଜିଉଙ୍କ ଦାରୁ ଚିହ୍ନଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଯଦି ଏହି ଅଭିଯୋଗ ପଛରେ କିଛି ବି ସତ୍ୟତା ଥିବ ତେବେ ଏହା କେତେ ସାଂଘାତିକ ତାହା ଆପଣ ବୁଝି ପାରୁଥିବେ। କେମିତି ଓଡ଼ିଆ ଓ ହିନ୍ଦୁ ସମାଜର ଭାବାବେଗ ସହ ଖେଳ ଖେଳା ଯାଇଛି ? କିଛି ଟଙ୍କା ପାଇଁ କେମିତି ଜଗତର ନାଥ ଜଗନ୍ନାଥଙ୍କୁ ବିକ୍ରି କରି ଦିଆଯାଇଛି ? ଅବଶ୍ୟ ଏହା ତଦନ୍ତ ସାପେକ୍ଷ।
ବ୍ରହ୍ମ ବିଭ୍ରାଟରେ ଟଙ୍କା କାରବର ହୋଇଥିବା ଅଭିଯୋଗ ଆଣିଛନ୍ତି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା। ସେ କହିଛନ୍ତି, “ଯିଏ ଟଙ୍କା ଦେଲା, ତାଙ୍କ ଦାରୁ ଚିହ୍ନଟ ହେଲା।।”
ଏହାସହ ସେ ଦଇତାପତିଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି, “ଚିହ୍ନଟ ଦାରୁ ପୋଲା ଥିଲା। ଏକଥା ଶ୍ରୀବିଗ୍ରହ ନିର୍ମାଣ ବେଳେ ଆମେ ଜଣାଇଥିଲୁ। ଏହା ସତ୍ତ୍ୱେ ଦଇତାପତିମାନେ କିଛି କରି ନଥିଲେ।”
ସେହିପରି ବ୍ରହ୍ମ ବିଭ୍ରାଟ ଘଟଣାରେ ନୋଟିସ୍ ପ୍ରସଙ୍ଗରେ ସେ କହିଛନ୍ତି,“ ବିଶ୍ୱକର୍ମାଙ୍କ ପକ୍ଷରୁ ବିଳମ୍ବ ହୋଇ ନଥିଲା। ଡେରି ପାଇଁ ଦଇତାପତି ସେବାୟତ ହିଁ ଦାୟୀ। ବିଶ୍ୱକର୍ମାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ମୋ ପାଖକୁ ନୋଟିସ୍ ଆସିନାହିଁ। ଆସିବା ପରେ ଏହାର ଉତ୍ତର ଦେବି।”
ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ନେଇ ଦଇତାପତି ନିଯୋଗ ପ୍ରତିକ୍ରିୟା ଦେଇଛି। ଦଇତାପତି ନିଯୋଗ ସହସଂପାଦକ ବିନାୟକ ଦାସମହାପାତ୍ର କହିଛନ୍ତି, “କୃଷ୍ଣ ମହାରଣାଙ୍କ ଅଭିଯୋଗ ଭିତ୍ତିହୀନ। ସେଥିରେ କିଛି ସତ୍ୟତା ନାହିଁ। ଦାରୁ ଚୟନ ସହ ସମସ୍ତ କାର୍ଯ୍ୟ ଠିକ୍ ଭାବେ କରାଯାଇଥିଲା। କୃଷ୍ଣ ମହାରଣା ସେ ସମୟରେ କୌଣସି ପ୍ରକାର ସହଯୋଗ କରୁ ନଥିଲେ। ଦାରୁ ଚୟନ, ମୂର୍ତ୍ତି ନିର୍ମାଣରେ କୃଷ୍ଣ ସଂପୂର୍ଣ୍ଣ ଅସହଯୋଗ କରିଥିଲେ।”
ସୂଚନାଯୋଗ୍ୟ, ପ୍ରାୟ ସାଢ଼େ ୩ ବର୍ଷ ପୂର୍ବେ ଶ୍ରୀଜିଉଙ୍କର ବ୍ରହ୍ମ ପରିବର୍ତ୍ତନ କରାଯାଇଥିଲା। ସାରା ବିଶ୍ୱ ଜଗତର ନାଥ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନର ମୂକସାକ୍ଷୀ ହେବାକୁ ବ୍ୟଗ୍ର ଥିଲେ। ହେଲେ ବ୍ରହ୍ମ ପରିବର୍ତ୍ତନରେ ଦେଖା ଦେଇଥିଲା ଘୋର ବିଭ୍ରାଟ। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ବ୍ୟଥିତ କରିଥିଲା।
ପ୍ରାୟତଃ ଲୋକେ ଏହି ଘଟଣାକୁ ଭୁଲିବାକୁ ବସିଥିବା ବେଳେ ପୁଣି ତାଜା ହୋଇଛି ବ୍ରହ୍ମ ବିଭ୍ରାଟ୍ ଘଟଣା। ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ପ୍ରଶାସନ ୧୧ ଜଣଙ୍କୁ ନୋଟିସ୍ କରିଛି। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ଏହି ନୋଟିସ୍ କରାଯାଇଛି। ଏଥିରେ ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗ କରାଯାଇଛି।
from Odisha Reporter https://ift.tt/2qTkP4h
No comments:
Post a Comment