ସାମ୍ନାରେ ମୃତ୍ୟୁକୁ ଦେଖି ବି ପଛକୁ ହଟି ନ ଥିଲେ ଡିସିପି ପାଟିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ସାମ୍ନାରେ ମୃତ୍ୟୁକୁ ଦେଖି ବି ପଛକୁ ହଟି ନ ଥିଲେ ଡିସିପି ପାଟିଲ୍

ମୁମ୍ବାଇ: “ମୋ ଛାତିରେ ୩ଟି ଗୁଳି ବାଜିଥିଲା, ମୋ ପରିବାର ମୋ ଶବ ଉଠାଇବାକୁ ପ୍ରସ୍ତୁତି ମଧ୍ୟ କରି ସାରିଥିଲା”

ଏହା କୌଣସି ଫିଲ୍ମର ହିଟ୍‌ ଡାଏଲଗ୍‌ ନୁହେଁ। ଠିକ୍‌ ୧୦ ବର୍ଷ ତଳେ ମୁମ୍ବାଇର ତାଜ୍‌ ହୋଟେଲ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିଜେ ମୃତ୍ୟୁ ସହ ଲଢ଼ି ପ୍ରାୟ ୬ଶହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ତତ୍କାଳୀନ ଜୋନ୍‌-୧ ଡିସିପି ବିଶ୍ୱାସ ନାଙ୍ଗରେ ପାଟିଲ୍‌ଙ୍କ ମୁହଁରୁ ବାହାରିଥିବା ନିଜ ବିରଳ ଅନୁଭୂତିର କଥା।

୨୦୦୮ ମସିହା ନଭେମ୍ବର ୨୬ ଅର୍ଥାତ୍‌ ଆଜିର ଦିନ(୨୬/୧୧)ରେ ଦୋହଲି ଯାଇଥିଲା ଦେଶର ବାଣିଜ୍ୟ ରାଜଧାନୀ। ଥରି ଉଠିଥିଲା ସାରା ଭାରତ ବର୍ଷ। ଲସ୍କର-ଏ-ତାଇବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିବା ପରେ ଗୁଳି ଓ ଗ୍ରେନେଡ୍‌ ମାଡ଼ କରି ମୁମ୍ବାଇ ସହରକୁ ଛାରଖାର୍‌ କରି ଦେଇଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ସମୁଦାୟ ୧୫୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଲୋମଟାଙ୍କୁରା ଘଟଣା ଆଜି ବି ଦେଶବାସୀଙ୍କ ଛାତିରେ ଭୟର ଶିହରଣ ସୃଷ୍ଟି କରେ।

ତେବେ ଆଜି ଆମେ ଏହି ଭୟାନକ ଘଟଣାକୁ ଅତି ନକଟରୁ ସାମ୍ନା କରିଥିବା ଏବଂ ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ପଛକୁ ହଟି ନ ଥିବା ଜଣେ ଆଇପିଏସ୍‌ ଅଫିସରଙ୍କ ବାହାଦୁରୀ ସମ୍ପର୍କରେ କହିବୁ। ସେହି ଅଫିସର୍‌ ହେଉଛନ୍ତି ବିଶ୍ୱାସ ନାଙ୍ଗରେ ପାଟିଲ୍‌, ଆଇପିଏସ୍‌।

ସେତେବେଳ ମୁମ୍ବାଇ ପୋଲିସ୍(ଜୋନ୍‌-୧)ର ଡେପୁଟି କମିଶନର୍‌ ଥିବା ନାଙ୍ଗରେ ପାଟିଲ୍‌ଙ୍କୁ ତାଜ୍‌ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସେ ନିଜ ଟିମ୍‌ ସହ ‘ତାଜ୍‌’ରେ ପହଞ୍ଚିଯାଇଥିଲେ।

ତାଜ୍‌ ହୋଟେଲ ପହଞ୍ଚିବା କ୍ଷଣି ଡିସିପି ପାଟିଲ୍‌ ଓ ତାଙ୍କ ଟିମ୍‌ ଆତଙ୍କବାଦୀ ଓ ସେମାନଙ୍କ ଦ୍ୱାରା ପଣବନ୍ଦୀ ଥିବା ସାଧାରଣ ଲୋକଙ୍କୁ ତଲାସୀ ଆରମ୍ଭ କରିଦେଇଥିଲେ। ହୋଟେଲର ସିକ୍ୟୁରିଟି ହେଡ୍‌ ମଧ୍ୟ ପୋଲିସ୍‌ ଟିମ୍‌କୁ ଏଥିରେ ସହାୟତା କରିଥିଲେ। ହେଲେ, ହୋଟେଲ୍‌ ଭିତରକୁ ପୋଲିସ୍‌ ଟିମ୍‌ ପ୍ରବେଶ କରିବା ମାତ୍ରେ ତାଙ୍କ ଉପରକୁ ସିଧା ଗୁଳି ବର୍ଷା କରିବା ଲାଗି ଆତଙ୍କବାଦୀମାନେ ହୋଟେଲ୍‌ର ‘ରୟାଲ ସିଡ଼ି’କୁ କବ୍‌ଜା କରି ନେଇଥିଲେ। ଘଟଣାସ୍ଥଳରେ ସବୁ ପରିସ୍ଥିତି ପୋଲିସ୍‌ ଟିମ୍‌ ପାଇଁ ପ୍ରତିକୂଳ ହିଁ ଥିଲା। ତଥାପି ପାଟିଲ୍‌ ଓ ତାଙ୍କ ଟିମ୍‌ ମୃତ୍ୟୁକୁ ନ ଡରି ନିଜ ଜୀବନକୁ ବାଜିରେ ଲଗାଇବା ସହ ଆଗକୁ ବଢ଼ି ଥିଲେ।

ଡିସିପି ପାଟିଲ୍‌ ପ୍ରଥମେ ହୋଟେଲ୍‌ର ସିସିଟିଭି ରୁମ୍‌କୁ ଯାଇ ଆତଙ୍କୀଙ୍କ ସ୍ଥିତି ପରଖିଥିଲେ ଓ ପ୍ରତିଆକ୍ରମଣ ପାଇଁ ନିଜ ଯୋଜନା ତିଆରି କରିଥିଲେ। ଏହା ଭିତରେ ସେ ବାରମ୍ବାର ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ଫୋର୍ସ ପଠାଇବାକୁ କହୁଥିଲେ। ହେଲେ ତାଜ୍‌ର ନୂଆ ନା ପୁରୁଣା ବିଲ୍ଡିଂ, ତାକୁ ନେଇ ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ଘଟଣାସ୍ଥଳରେ ଫୋର୍ସ ପହଞ୍ଚିବାରେ ବିଳମ୍ବ ହେଉଥିଲା। ଏଭଳି ସ୍ଥିତିରେ ଆତଙ୍କବାଦୀଙ୍କୁ କାବୁ କରିବା ଲାଗି ଡିସିପିଙ୍କ ଟିମ୍‌ ସେଭଳି ପ୍ରସ୍ତୁତ ନ ଥିଲେ କି ସେମାନଙ୍କ ପାଖରେ କୌଣସି ଅତ୍ୟାଧୁନିକ ହତିଆର୍‌ ମଧ୍ୟ ନ ଥିଲା। ହେଲେ, ଡିସିପି ପାଟିଲ୍‌ଙ୍କ ନେତୃତ୍ୱାଧୀନ ସେହି ପୋଲିସ୍ ଟିମ୍‌ କୌଣସି ଅତ୍ୟାଧୁନିକ ହତିଆର୍‌ ନୁହେଁ, କେବଳ ଅଦମ୍ୟ ସାହସ ଓ ଦୃଢ଼ ମନୋବଳରେ ଆତଙ୍କବାଦୀଙ୍କୁ ମୁକାବିଲା କରିବା ଆରମ୍ଭ କରିଥିଲେ।

ଏଥିମଧ୍ୟରେ ପାଟିଲ୍‌ ପୁଣିଥରେ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ, ‘ନୂଆ ବିଲ୍ଡିଂ ସୁରକ୍ଷିତ ଅଛି। ଆତଙ୍କବାଦୀମାନେ ପୂରୁଣା ବିଲ୍ଡିଂରେ ଅଛନ୍ତି। ଆମେ ୩-୪ ଜଣ ସିସିଟିଭି ରୁମ୍‌ରେ ଅଛୁ। ଆମକୁ ୬ନମ୍ବର ଫ୍ଲୋର୍‌କୁ ଘେରିବାକୁ ହେବ। ଆମେ ୨ଟି ଯାକ ଲିଫ୍ଟ୍‌ ବନ୍ଦ କରିଦେଇଛୁ। ଆମକୁ ଏବେ ସିଡ଼ିକୁ କାବୁ କରିବାକୁ ହେବ। ଯଦି ଆମେ ଏଭଳି କରି ପାରିବା, ତେବେ ଆମେ ତାଙ୍କୁ ଧରିପାରିବ।।’

ସେତେବେଳକୁ ଆତଙ୍କବାଦୀ ଅନେକ ଲୋକଙ୍କୁ ପଣବନ୍ଦୀ କରି ସାରିଥିଲେ। ସେମାନେ ହୋଟେଲ୍‌ର ସବୁ ସିସିଟିଭିକୁ ମଧ୍ୟ ନଷ୍ଟ କରିଦେଇଥିଲେ। ଏହାପରେ ସେମାନେ ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌କୁ ଏକ ବମ୍‌ ପକାଇଥିଲେ। ଯେଉଁଥିରୁ ପାଟିଲ୍‌ ଓ ତାଙ୍କ ଟିମ୍‌ କୌଣସି ମତେ ବଞ୍ଚିଯାଇଥିଲା, କିନ୍ତୁ ତାଙ୍କର ଜଣେ କନଷ୍ଟେବଳ ଏଥିରେ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣ ପରେ ହୋଟେଲ୍‌ର ବିଜୁଳି ମଧ୍ୟ କଟିଯାଇଥିଲା। ଏପଟେ ଆତଙ୍କବାଦୀମାନେ ବିଷାକ୍ତ ଗ୍ୟାସ୍‌ର ଗୁଳା ପୁଲିସ୍‌ ଟିମ୍‌ ଉପରକୁ ଫିଙ୍ଗିଥିଲେ। ଅନ୍ଧାର ଓ ବିଷାକ୍ତ ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇଯାଉଥିଲେ ମଧ୍ୟ ପାଟିଲ୍‌ ଓ ଟିମ୍ ହାର ମାନି ନ ଥିଲେ ଏବଂ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିଲେ। ପାଟିଲ୍‌ ଓ ତାଙ୍କ ଟିମ୍‌ ସେତେବେଳ ପର୍ଯ୍ୟନ୍ତ ଲଢ଼ିଥିଲେ, ଯେତେବେଳ ପର୍ଯ୍ୟନ୍ତ ନୌସେନା ଘଟଣାସ୍ଥଳରେ ପହଞ୍ଚି ନ ଥିଲା।

ନୌସେନା ତାଜ୍‌ ହୋଟେଲ୍‌ରେ ପହଞ୍ଚିବା ପରେ ପାଟିଲ୍‌ ଓ ତାଙ୍କ ଟିମ୍‌କୁ ପଛକୁ ହଟିବାକୁ ନିର୍ଦ୍ଦେଶ ମିଳିଥିଲା। ହେଲେ ପାଟିଲ୍‌ ନୌସେନା ସହ ମିଶି ଏହି ମିଶନ୍‌କୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଥିଲେ। କିନ୍ତୁ ଯେହେତୁ ନୌସେନାର କମାଣ୍ଡୋ ଓ ପୋଲିସ୍‌ ଟ୍ରେନିଂରେ ଅନେକ ପାର୍ଥକ୍ୟ ଥାଏ, ତେଣୁ ମିଶନ୍‌ ଫେଲ୍‌ ହେବା ଭୟରେ ତାଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳି ନ ଥିଲା।

ପାଟିଲ୍‌ ଓ ତାଙ୍କ ଟିମ୍ ଆଉ ଆଗକୁ ବଢ଼ିପାରି ନ ଥିଲେ ସତ କିନ୍ତୁ ନୌସେନା ଆସିବା ପର୍ଯ୍ୟନ୍ତ ଅର୍ଥାତ୍‌ ୨୬/୧୧ ରାତି ୩ଟା ଯାଏ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ପ୍ରାୟ ୬୦୦ ଲୋକଙ୍କୁ ତାଜ୍ ହୋଟେଲ୍‌ରୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲେ।

ନିଜର ଏହି ଲୋମଟାଙ୍କୁରା ଅନୁଭୂତି ସମ୍ପର୍ରରେ ଗଣମାଧ୍ୟମକୁ ପାଟିଲ ଯାହା କହିଛନ୍ତି, ତାହା ଶୁଣିରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ପାଟିଲ୍‌ କହିଛନ୍ତି, ‘ ଭୋର୍‌ ୫ଟା ଯାଏ ମୋ ପତ୍ନୀ ଓ ପରିବାରକୁ ଜଣା ନଥିଲା ଯେ ମୁଁ ବଞ୍ଚିଛି ନା ମରି ସାରିଛି। ରାତି ୩ଟାଯାଏ ଆତଙ୍କବାଦୀଙ୍କ ସହ ସଂଘର୍ଷ କରିବା ଭିତରେ ମୋ ଛାତିରେ ୩ଟି ଗୁଳି ବାଜିଥିଲା। ହେଲେ ମୋ ଦେହରେ ଥିବା ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍‌ ମୋ ଜୀବନ ରକ୍ଷା କରିଥିଲା। ଏହି ସମୟ ଆମପାଇଁ ଏତେ ରୋମାଞ୍ଚକର ଥିଲା ଯେ କେଉଁ ମୁହୁର୍ତ୍ତରେ ଜୀବନ ଚାଲିଯିବ, କହି ହେଉ ନ ଥିଲା। ହେଲେ ଏହି ସମୟ ଭିତରେ ମୁଁ ନିଜ ପରିବାର ସହ ସମ୍ପର୍କ କରିବି ନାହିଁ ବୋଲି ସ୍ଥିର କରିଥିଲି। କାରଣ ସେତେବେଳେ ପଣବନ୍ଦୀ ଥିବା ଲୋକଙ୍କୁ ବଞ୍ଚାଇବା ମୋର ଏକମାତ୍ର ଲକ୍ଷ୍ୟ ଥିଲା। ମୋ ଘରେ ତ ସକାଳ ହେବା ଯାଏ ମୋର ଶବ କାନ୍ଧେଇବାକୁ ପ୍ରସ୍ତୁତି ସରିଥିଲ॥’

ଉପରୋକ୍ତ କାହାଣୀ ଶୁଣିଲା ପରେ ଆପଣଙ୍କ ମନରେ ମଧ୍ୟ ଦେଶ ପାଇଁ କିଛି କରିବା ଓ ହାର ନ ମାନି ସବୁ ପରିସ୍ଥିତିର ସାମ୍ନା କରିବା ସହ ସବୁବେଳେ କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରେରଣା ନିଶ୍ଚୟ ମିଳିଥିବ ବୋଲି ଆଶା।



from Odisha Reporter https://ift.tt/2DVEzfT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages