
ହାଇଦ୍ରାବାଦ: ଅନେକ ଲୋକ କୁକୁରଙ୍କୁ ଅତି ଯତ୍ନ ଓ ସ୍ନେହର ସହିତ ପାଳୁଛନ୍ତି। ସେମାନଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରୁଛନ୍ତି। ହେଲେ ହାଇଦ୍ରାବାଦରେ କିଛି ନିର୍ଦ୍ଦୟ ଲୋକ ୪ଟି କୁକୁର ଛୁଆଙ୍କୁ ସେମାନଙ୍କ ଅସହାୟ ମା’ ସାମ୍ନାରେ ଜୀବନ୍ତ ଜାଳି ହତ୍ୟା କରିଛନ୍ତି।
ଏହି ଘଟଣାଟି କିଏ ଘଟାଇଛି ଜଣାପଡ଼ି ନଥିଲେ ହେଁ ସୋଶାଲ୍ ମିଡିଆଠାରୁ ଆରମ୍ଭ କରି ସମଗ୍ର ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ୍ ଘଟଣାସ୍ଥଳର ସିସିଟିଭି ଫୁଟେଜ୍କୁ ଜବତ କରି ମୁହଁ ଖୋଲି ପାରୁ ନଥିବା ଜୀବଙ୍କୁ ଏଭଳି ଅମାନୁଷିକ ଭାବେ ହତ୍ୟା କରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି।
ହାଇଦ୍ରାବାଦ୍ର ମଉଲା ଅଲୀ ଉପକଣ୍ଠରେ ଏଭଳି ଘଟଣା ଘଟିଛି। କିଛି ଲୋକ ପ୍ରଥମେ ୪ଟି କୁକୁର ଛୁଆଙ୍କ ମୁହଁରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାକୁ ମା’ କୁକୁର ପ୍ରତିରୋଧ କରିଥିଲେ ହେଁ ଜଳନ୍ତା ନିଆଁରୁ ତା’ ଛୁଆମାନଙ୍କୁ ରକ୍ଷା କରିବାରେ ସମର୍ଥ ହୋଇ ନଥିଲା।
ସେ ଚିତ୍କାର କରିବା ସହ ବାରମ୍ବାର ନିଆଁ ପାଖକୁ ଦୌଡ଼ି ଯାଉଥିଲେ ହେଁ କିଛି ବି ସୁଫଳ ପାଇ ନଥିଲା। ତେବେ ପିପୁଲ ଫର ଆନିମଲ୍ର ସଂସ୍ଥାର କିଛି କର୍ମୀ ତୁରନ୍ତ ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚି କୁକୁର ଛୁଆଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।
ହେଲେ ସେତେବେଳାକୁ ୩ଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ଗୁରୁତର ପୋଡ଼ି ଯାଇଥିବା ଅନ୍ୟ ଏକ କୁକୁର ଛୁଆକୁ ସେମାନେ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ମା’ କୁକୁରଟି ନିଜ ଛୁଆମାନଙ୍କ ଶବ ନିକଟରେ ବସି ମଣିଷଙ୍କ ଭଳି ଲୁହ ଗଢ଼ାଇବା ସହ ବିକଳ ସ୍ୱରରେ ଭୁକିବାକୁ ଲାଗିଥିଲା। ପିପୁଲ ଫର ଆନିମଲ୍ର ସଂସ୍ଥାର ଅଭିଯୋଗ କ୍ରମେ ପୁଲିସ୍ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୋଶାଲ୍ ମିଡିଆରେ ଏହି ଘଟଣାକୁ କଡ଼ା ନିନ୍ଦା କରାଯିବା ସହ ପଶୁପକ୍ଷୀଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
from Odisha Reporter https://ift.tt/2AR2Ilh
No comments:
Post a Comment