ଆଇଏଏସ୍‌ଙ୍କର ଏପରି ମଧ୍ୟଯୁଗୀୟ ମାନସିକତା କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଆଇଏଏସ୍‌ଙ୍କର ଏପରି ମଧ୍ୟଯୁଗୀୟ ମାନସିକତା କାହିଁକି?

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ସେତେବେଳେ ବିଶିଷ୍ଟ କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ନୂଆ କରି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ହୋଇଥାନ୍ତି। ଖବରଟି ଥାଏ, ସାହିତ୍ୟ ଏକାଡେମୀର କର୍ମଚାରୀମାନେ ନିଜର କିଛି ଦାବିରେ କଳାବ୍ୟାଜ୍ ପିନ୍ଧିଥାନ୍ତି। ଖବର ସଂଗ୍ରହ ପରେ ଡକ୍ଟର ପରିଚ୍ଛା ପଟ୍ଟନାୟକଙ୍କୁ ଭେଟିବାକୁ ଗଲି। ପହଞ୍ଚୁ ପହଞ୍ଚୁ ଏକାଡେମୀ କର୍ମଚାରୀ ନଟ ଗୋଟେ ଟ୍ରେ’ରେ ଏକ ସଫା କାଚଗ୍ଲାସ୍‌ରେ ପାଣି ଧରି ମୋ ପାଖରେ ଠିଆହେଲେ। ଆଶ୍ଚର୍ଯ୍ୟ ହେଲି। ମୁଁ ତ ପାଣି ମାଗିନଥିଲି। ଡକ୍ଟର ପଟ୍ଟନାୟକ କହିଲେ, ପାଣି ପିଅନ୍ତୁ। ଏକାଡେମୀ ନିଜର ସାଧ୍ୟମତେ ଆପଣଙ୍କୁ କପେ ଚା’ ଦେଇପାରିବ। ଖୁସି ଲାଗିଲା। ପଚାରିଲି, ସାର୍ ଆଗରୁ ତ ଏମିତି ବ୍ୟବସ୍ଥା ନଥିଲା। ଡକ୍ଟର ପରିଚ୍ଛା ପଟ୍ଟନାୟକ କହିଲେ, ଖରାପ ବ୍ୟବହାର ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ଖୁବ୍ ବଦନାମ ଅଛି। ଓଡ଼ିଆ ଘରର ପରମ୍ପରା ହେଲା, ଆସିଥିବା ଲୋକଟିକୁ ଆଗ ଚର୍ଚ୍ଚା କରାଯାଏ, ତା ପରେ ଆସିବାର କାରଣ ପଚରାଯାଏ। ସେଦିନ ଭାରି ଭଲ ଲାଗିଥିଲା ଏକ ସରକାରୀ ଅଫିସ୍‌ରେ ଏପରି ବ୍ୟବହାର ଦେଖି।

ଜଣେ ସାମ୍ବାଦିକଙ୍କ ପ୍ରତି, ଓଡ଼ିଶା ସରକାରଙ୍କ କ୍ରୀଡ଼ା, ପର୍ଯ୍ୟଟନ ଓ ଯୁବବ୍ୟାପାର ବିଭାଗ ସଚିବ ବିଶାଲ୍‌ ଦେବଙ୍କ ଅଶାଳୀନ ବ୍ୟବହାର ଦେଖି ଏ କଥାଟି ମନେପଡ଼ିଲା। ଖବରଟି ହେଲା, କିଛି ଗଣମାଧ୍ୟମକୁ ଶ୍ରୀଯୁକ୍ତ ଦେବ ନିଜ କାର୍ଯ୍ୟାଳୟରେ ହକି ବିଶ୍ୱକପ୍ ସଂପର୍କରେ ସୂଚନା ଦେଉଥିବା ବେଳେ ‘ଓଟିଭି’ ସାମ୍ବାଦିକ ନିରଞ୍ଜନ ରେଡ୍ଡି ସେଠାରେ ବିଳମ୍ବରେ ପହଞ୍ଚି ନିଜ ବୁମ୍ ମାଇକ୍ ତାଙ୍କ ଆଗରେ ଥୋଇଥିଲେ। ଶ୍ରୀଯୁକ୍ତ ଦେବ ମାଇକ୍‌ଟିକୁ ତତ୍‌କ୍ଷଣାତ୍ ଘୁଞ୍ଚେଇ ଦେଇଥିଲେ। ଏହାସତ୍ତ୍ୱେ ରିପୋର୍ଟର ରେଡ୍ଡି ମାଇକ୍ ଫେରେଇ ନନେବାରୁ ଶ୍ରୀଯୁକ୍ତ ଦେବ କଥା ବନ୍ଦ କରି, ମାଇକ୍‌ଟିକୁ ପୂରା ବାହାର କରିଦେଇଥିଲେ ଓ ସେଠାରୁ ଚାଲିଯିବାକୁ ନିରଞ୍ଜନଙ୍କୁ କହିଥିଲେ। ଅଭିଯୋଗ କରିଥିଲେ, ଓଟିଭି ମୋଡ଼ିମାଡ଼ି ଖବର ପ୍ରସାରଣ କରୁଛି। ତେଣୁ ତମେ ଏଠୁ ଯାଅ, ମୋର କିମ୍ବା ନିଜର ସମୟ ନଷ୍ଟ କରନି। ମୁଁ ତମକୁ ଡାକି ନଥିଲି, ଏହା ପାର୍କ ନୁହେଁ କି କୌଣସି ସର୍ବସାଧାରଣ ସ୍ଥାନ ନୁହେଁ।

ଆଇଏଏସ୍ ବିଶାଲ୍‌ ଦେବ କାହିଁକି ଏତେ ରାଗୁଛନ୍ତି? ବାସ୍ତବରେ କାହା ଉପରେ ତାଙ୍କର ରାଗ? ଆଗକୁ ହକି ବିଶ୍ୱକପ୍। ତାଙ୍କରି ମାର୍ଫତରେ ସରକାର ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାର ବ୍ରାଣ୍ଡ ତିଆରି କରୁଛନ୍ତି। ଅନ୍‌ଲାଇନ୍‌ରେ ହକି ଟିକଟ ବିକ୍ରି ଏକ ପ୍ରହସନ ପାଲଟିଗଲା। ୱେବ୍‌ସାଇଟ୍ ଖୋଲିଲାନି। ଘଣ୍ଟାଏ ପରେ ଲେଖା ବାହାରିଲା ‘ଅଲ୍ ଟିକେଟ୍ ସୋଲ୍ଡ ଆଉଟ୍’। ଓଡ଼ିଶାର କ୍ରୀଡ଼ାପ୍ରେମୀ ଭକୁଆ ହେଇଗଲେ। ଏଇକଥା ଦେଖେଇଲା ବୋଲି ‘ଓଟିଭି’ ଶତ୍ରୁ ହେଇଗଲା?

ସରକାରଙ୍କ ପକେଟ୍‌ରେ ଏବେ ଓଡ଼ିଶାର ଅଧିକାଂଶ ନ୍ୟୁଜ୍ ଚ୍ୟାନେଲ, ଖବରକାଗଜ ଓ ଡିଜିଟାଲ ଗଣମାଧ୍ୟମ। ସେ ସବୁରେ ତ ସରକାର ଚାହୁଁଥିଲା ପରି ‘ମଲ୍ଲିଫୁଲିଆ’ ଖବର ବାହାରୁଛି। ତାହେଲେ କେବଳ ‘ଓଟିଭି’ ପାଇଁ ବାବୁ ବିଶାଳଦେବ ଏତେ ଆତଙ୍କିତ କାହିଁକି? ସେ କ’ଣ ଚାହୁଁଛନ୍ତି ଗଣମାଧ୍ୟମ କେବଳ ତାଙ୍କ ମୁଖନିସୃତ ବାଣୀ ପ୍ରଚାର କରିବ? ଏପରି ମଧ୍ୟଯୁଗୀୟ ଜମିଦାରିଆ ଚିନ୍ତାଧାରା କାହିଁକି? ସରକାରଙ୍କ ପେ-ତାଲିକାରେ ଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବିଶାଲ୍‌ ଦେବ ନିଜ ଅଧସ୍ତନ ପରି ବ୍ୟବହାର କରିପାରିବେ। କିନ୍ତୁ ସବୁ ଗଣମାଧ୍ୟମକୁ ନୁହେଁ।

ବିଶାଲ୍‌ ଦେବ କହିଲେ, ଏହା କୌଣସି ପାର୍କ କିମ୍ବା ସର୍ବସାଧାରଣ ସ୍ଥାନ ନୁହେଁ। କିନ୍ତୁ ସେ ଭୁଲିଯିବା ଉଚିତ ନୁହେଁ ଯେ, ସେ ଯେଉଁ ସରକାରୀ ଅଫିସ୍‌ରେ ବସିଛନ୍ତି ତାହା ତାଙ୍କ ଡ୍ରଇଂ ରୁମ୍ ବି ନୁହେଁ। ଓଡ଼ିଶାବାସୀଙ୍କ ଟଙ୍କାରେ ସରକାରୀ ଅଫିସ୍ ଚାଲୁଛି। ସେ ଯେଉଁ ଦରମା ପାଉଛନ୍ତି ତାହା ଲୋକଙ୍କ ଟ୍ୟାକ୍ସ ଟଙ୍କା। ତେଣୁ ଯାହାକିଛି କରୁଛନ୍ତି ତା ପାଇଁ ସେ ଉତ୍ତରଦାୟୀ। ଲୋକଙ୍କ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ହିଁ ପଡ଼ିବ। ସେ ଜଣେ ପବ୍ଲିକ୍ ସର୍ଭାଣ୍ଟ। ସର୍ବସାଧାରଣ ଜୀବନରେ ରହି, ସାମ୍ବାଦିକଙ୍କୁ ଏମିତି ଚିଡ଼ିଲେ ଚଳିବ?

ବିଶାଲ୍‌ ଦେବଙ୍କ ଚିଡ଼ିଚିଡ଼ି ହେବାର କାରଣ ରାଜ୍ୟବାସୀ ଅଳ୍ପେବହୁତେ ଜାଣନ୍ତି। ତାଙ୍କ ସରକାର ସହ, ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କୁସଂପର୍କ ହିଁ ଏହାର ମୁଖ୍ୟ କାରଣ। କିଛିଦିନ ତଳେ ବିଜେଡି ଓ ତାଙ୍କ ସରକାର ଓଟିଭିକୁ ବ୍ୟାନ୍ କରିଥିଲେ। ସେବେଠୁ ଓଟିଭି ରିପୋର୍ଟର, କ୍ୟାମେରା ଓ ମାଇକ୍ ଦେଖିଲେ ନେତା ମନ୍ତ୍ରୀ ଫିଡୁକୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ସାମ୍ବାଦିକଙ୍କ ସଚିବାଳୟ ପ୍ରବେଶ ଉପରେ କଟକଣା ଲଗେଇଥିଲେ। ପ୍ରତି ସରକାରୀ କାର୍ଯ୍ୟକ୍ରମରୁ ଓଟିଭିକୁ ବାସନ୍ଦ କରାଯାଇଛି। ବୈଜୟନ୍ତଙ୍କ ପାରିବାରିକ ମାଲିକାନାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକ ଉପରେ ‘ସରକାରୀ ପ୍ରାୟୋଜିତ’ ବିବାଦ ସୃଷ୍ଟି କରାଯାଇଛି। ନିକଟରେ ଓଟିଭିର ଏକ ନିର୍ଦ୍ଦିଷ୍ଟ ଖବର ପ୍ରସାରଣ ଉପରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଛି। ସାମଗ୍ରିକ ଭାବରେ ଏସବୁ ଦେଖି ଜାଣିହେଉଛି, ବିଶାଳ ଦେବ କାହିଁକି ଏମିତି ଫଁ ଫଁ ହେଉଛନ୍ତି।

ଯେଉଁ ଆଇଏଏସ୍ ଅଫିସର ଯେଉଁ ରାଜ୍ୟର କ୍ୟାଡର, ତାଙ୍କୁ ସେଇ ରାଜ୍ୟର ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡ ଯାଏ, ଲିଖିତ ଓ କଥିତ ଭାଷା ଶିଖିବା ବାଧ୍ୟତାମୂଳକ। ମୋର ଏକ ଛୋଟ ପରାମର୍ଶ, ଏଥିସହିତ ସରକାର ସେମାନଙ୍କୁ ସେଇ ରାଜ୍ୟର ସଂସ୍କୃତି ଓ ସଂସ୍କାର ବି ଶିଖାନ୍ତୁ। କେମିତି ତାଙ୍କ ପାଖକୁ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ବ୍ୟବହାର ପ୍ରଦର୍ଶନ କରିବେ ସେ ବିଷୟ ସେମାନେ ଶିଖିବା ଉଚିତ।

ଆଉଏକ ଆଶ୍ଚର୍ଯ୍ୟର କଥା ଯେ, ନିଜ କାର୍ଯ୍ୟାଳୟରେ ଯେତେବେଳେ ଆଇଏଏସ୍ ଅଧିକାରୀ ବିଶାଲ୍‌ ଦେବ ଜଣେ ସାମ୍ବାଦିକଙ୍କୁ ତାଙ୍କ ଅଫିସ୍ ରୁମ୍ ଭିତରୁ ବାହାରି ଯିବାକୁ ବାଧ୍ୟ କରୁଥିଲେ, ସେତେବେଳେ ସେଠି ଉପସ୍ଥିତ ଥିବା ଅନ୍ୟ ତିନିଟି ଗଣମାଧ୍ୟମର ପ୍ରତିନିଧି ଏହାର କୌଣସି ପ୍ରତିବାଦ କରିନଥିଲେ। ବିଗତ ଦିନରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଓଡ଼ିଶାର ସାମ୍ବାଦିକମାନେ ସେମାନଙ୍କ ଏକତା ଦେଖେଇଛନ୍ତି। ଆଶା କରାଯାଉ, ଏହା ପୁଣି ଦେଖିବାକୁ ମିଳିବ।

ମନେପଡ଼ିଲା, ବିଶାଲ୍‌ ଦେବ ହେଉଛନ୍ତି, ଓଡ଼ିଶା ଆଇଏଏସ୍ ସଂଘର ସଭାପତି। ସଭାପତି ମହାଶୟ ତୃତୀୟ ମହଲାରେ ଥିବା ନିଜ ପ୍ରଭୁଙ୍କୁ ଖୁସି କରିବାକୁ ଯଦି ଗଣମାଧ୍ୟମକୁ ଏପରି ହତାଦର କରିଥାନ୍ତି, ତେବେ ସେ ଭୁଲ୍ ବାଟରେ ଅଛନ୍ତି ବୋଲି ବୁଝିବାକୁ ପଡ଼ିବ।

ଏକଦା କୌଣସି ଏକ ରାଜ୍ୟରେ ଜଣେ ଲୋକପ୍ରିୟ ରାଜକର୍ମଚାରୀ ଥିଲେ। ଲୋକମାନେ ତାଙ୍କ କାମରେ ଅତ୍ୟନ୍ତ ଖୁସି ଥିଲେ। କିନ୍ତୁ ଏତେ ଲୋକପ୍ରିୟତା ସତ୍ୱେ ରାଜକର୍ମଚାରୀ ଜଣକ ନିଜ ରାଜାଙ୍କୁ ଖୁସି କରିପାରୁ ନଥିଲେ। ତେଣୁ ଚାକିରିରେ ତାଙ୍କର ପଦୋନ୍ନତି ହେଉନଥିଲା। ସେ ଏ ସଂପର୍କରେ ତାଙ୍କର ଜଣେ ବନ୍ଧୁଙ୍କର ପରାମର୍ଶ ଲୋଡ଼ିବାରୁ, ବନ୍ଧୁ ତାଙ୍କୁ ପ୍ରଶ୍ନଟିଏ ପଚାରିଲେ। କହିଲେ- ‘କହିପାରିବ କି, ମନ୍ତ୍ରୀ ପ୍ରଥମେ କାହାର? ରଜାର ନା ପ୍ରଜାର?’

ଏହା ଶୁଣି ବ୍ୟକ୍ତି ଜଣକ ଉତ୍ତର ଦେଲେ- ‘ନିଶ୍ଚିତ ଭାବରେ ପ୍ରଜାର।’

ସେଇଠୁ ବନ୍ଧୁ କହିଲେ- ‘ଏହା ହିଁ ତମର ଭୁଲ୍। ମନ୍ତ୍ରୀ କେବେ ମଧ୍ୟ ପ୍ରଜାର ନୁହେଁ, ସେ ସବୁବେଳେ ରଜାର। ତମେ ଲୋକଙ୍କ କଥା ଭୁଲି ଆଜିଠାରୁ କେବଳ ସେତିକି କାମ କର, ଯେତିକିରେ ତମ ରଜା ଖୁସି ହେବେ। ଲୋକ ତାଙ୍କ କଥା ବୁଝିବେ। ତମେ ବ୍ୟସ୍ତ ହୁଅନି।’

ତୃତୀୟ ମହଲାର ଆଇଏଏସ୍ ବାବୁମାନେ କେବେବି ପ୍ରଜାଙ୍କ ପାଇଁ କାମ କରୁନାହାନ୍ତି। ରଜାଙ୍କୁ ଖୁସି କରିବା ତାଙ୍କର ଲକ୍ଷ୍ୟ। ମଧୁବାବୁ ପଦେ ଲେଖିଥିଲେ- ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁଖେ ବନ୍ଧା ଥିଲେ।’

କିନ୍ତୁ ଅଣଓଡ଼ିଆ ଆଇଏଏସ୍ ବାବୁମାନେ ମଧୁଭାବୁଙ୍କୁ ଜାଣିଛନ୍ତି କି ନାହିଁ କେଜାଣି ! ତା’ ବି କୋଟିଏ ଟଙ୍କାର ପ୍ରଶ୍ନ।



from Odisha Reporter https://ift.tt/2PKHxtT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages