୨ୟ ଟି-ଟ୍ୱେଣ୍ଟି: ଇଣ୍ଡିଜ୍‌ ବିପକ୍ଷରେ ଆଉ ଏକ ସିରିଜ୍‌ ବିଜୟ ଚାହିଁବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

୨ୟ ଟି-ଟ୍ୱେଣ୍ଟି: ଇଣ୍ଡିଜ୍‌ ବିପକ୍ଷରେ ଆଉ ଏକ ସିରିଜ୍‌ ବିଜୟ ଚାହିଁବ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟେଷ୍ଟ୍‌ ଓ ଦିନିକିଆର ବିଜୟ ଧାରାକୁ କାଏମ ରଖିଥିବା ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଲକ୍ଷ୍ନୌର ଏକନ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିଅମ୍‌ରେ ମଙ୍ଗଳବାର ଖେଳା ଯିବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତି କାର୍ଲସ୍‌ ବ୍ରାଥ୍‌ୱେଟ୍‌ ନେତୃତ୍ୱାଧୀନ ଭ୍ରମଣକାରୀ ଇଣ୍ଡିଜ୍‌ ବିପକ୍ଷରେ ପୁଣି ଏକ ସିରିଜ୍‌ ବିଜୟ ହାତେଇବାକୁ ନିଶ୍ଚୟ ଚାହିଁବ।

ତେବେ କ୍ରିକେଟ୍‌ର ଏହି ଛୋଟିଆ ଅଥଚ ରୋମାଞ୍ଚକର ଫର୍ମାଟ୍‌ର ବିଶ୍ୱ ଚାମ୍ପିଅନ୍‌ ଦଳକୁ କ୍ରମାଗତ ମାତ୍‌ ଦେବା ପାଇଁ ଘରୋଇ ଦଳ ନିଜ ମିଡିଲ୍‌ ଅର୍ଡର୍‌ରେ ସ୍ଥିରତା ଆଣିବା ଜରୁରୀ।

ଇଡେନ୍‌ଗାର୍ଡନ୍‌ସର ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତ ଜିତିବା ପାଇଁ କିଛିଟା ସଂଘର୍ଷ କରିଥିଲେ ହେଁ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ କ୍ରମାଗତ ଟି-ଟ୍ୱେଣ୍ଟି ମୁକାବିଲାରେ ପରାଜୟର ଧାରାକୁ ବ୍ରେକ୍‌ ଦେଇଥିବାରୁ ଆସନ୍ତା ମ୍ୟାଚ୍‌ ପାଇଁ ଦଳୀୟ ମନୋବଳ ଅବଶ୍ୟ ଉଚ୍ଚା ରହିବ।

ତେବେ ଗତ ମ୍ୟାଚ୍‌ରେ ପଦାକୁ ଆସିଥିବା ଦଳୀୟ ମଧ୍ୟକ୍ରମର ଦୁର୍ବଳତାରୁ ରୋହିତ୍‌ ଓ ଟିମ୍ ମ୍ୟାନେଜ୍‌ମେଣ୍ଟ ନିଶ୍ଚୟ କିଛି ଶିକ୍ଷା ଲାଭ କରିଥିବେ ଏବଂ ବିଶ୍ୱ କପ୍‌ ପୂର୍ବରୁ ବାରମ୍ବାର ଏହାର ପୁନରାବୃତ୍ତି ନ ହେବା ପାଇଁ ‘ଲକ୍ଷ୍ନୌ ମୁକାବିଲା’ରେ କିଛି ରାସ୍ତା ଖୋଜିବେ। ନିଜେ ରୋହିତ୍‌ଙ୍କ ସହ ଧୱନ୍‌ ଟପ୍‌ ଅର୍ଡର୍‌ରେ ବିଫଳ ହେଲେ ଭାରତୀୟ ବ୍ୟାଟିଂର ମଙ୍ଗ କିଏ ଧରିବ, ଏହା ଇଣ୍ଡିଜ୍‌ ବିପକ୍ଷ ଏହି ସିରିଜ୍‌ରେ ହିଁ ନିର୍ଣ୍ଣୟ ହେବାର ସମ୍ଭାବନା ଅଧିକ।

ଆଉ ବିରାଟ୍‌ଙ୍କ ଅନୁପସ୍ଥିତିରେ ଏହି ପ୍ରଶ୍ନର ଉତ୍ତର ମିଳିଗଲେ, କ୍ୟାପ୍‌ଟେନ୍‌ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଶ୍ୱକପ୍‌ ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ବ୍ୟାଟିଂ ଲାଇନ୍ ଅପ୍‌ ଚୂଡ଼ାନ୍ତ ରୂପ ନେବ ଏବଂ ଦଳର ବେଞ୍ଚ୍ ଷ୍ଟ୍ରେଙ୍ଗ୍‌ଥ ମଧ୍ୟ ସୁଦୃଢ଼ ହେବ।

ଲୋକେଶ ରାହୁଲ୍‌ କେବଳ ଟେଷ୍ଟ୍‌ ଓ ଦିନିକିଆ ନୁହେଁ, ତାଙ୍କ ପ୍ରିୟ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ମଧ୍ୟ ନିଜ ଆଇପିଏଲ୍ ଖ୍ୟାତି ଅନୁସାରେ ସ୍ଥିର ପ୍ରଦର୍ଶନ ଦେଉ ନାହାନ୍ତି। ସେହିପରି ବହୁ ନାଁକୁ ପଛରେ ରଖି ସ୍ପେଶାଲିଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦଳରେ ସ୍ଥାନ ପାଇଥିବା ରିଷଭ ପନ୍ତଙ୍କ ୱିକେଟ୍‌ ଫୋପାଡ଼ି ଦେବାର ମାନସିକତା ଦୂର ନ ହେଲେ, ଟିମ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ଶ୍ରେୟସ୍‌ ଆୟର୍‌ଙ୍କ ଭଳି ‘ବିକଳ୍ପ’ଙ୍କ ଉପରେ ଅଧିକ ଭରସା ରଖିବାକୁ ବାଧ୍ୟ ହେବ। ତେବେ ଘରୋଇ ଓ ପୂର୍ବ ପ୍ରଦର୍ଶନ ପାଇଁ ମନୀଷ ପାଣ୍ଡେ ସିରିଜ୍‌ରେ ପୂର୍ଣ୍ଣ ସୁଯୋଗ ପାଇବାର ହକ୍‌ ରଖିଛନ୍ତି।

ଭ୍ରମଣକାରୀ ଦଳ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ଘରୋଇ ଦଳ ପାଇଁ ସକାରାତ୍ମକ ଦିଗଟି ହେଉଛି ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ‘ଫିନିଶର୍‌’ ମିଳିଛନ୍ତି। ଅଭିଜ୍ଞ ଦିନେଶ୍ କାର୍ତ୍ତିକ ଉଭୟ ୱିକେଟ୍ ରକ୍ଷଣ ସହ ଏହି ଭୂମିକା ପାଇଁ ଖୁବ୍‌ ଉପଯୋଗୀ ମନେ ହେଉଥିବାବେଳେ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟାଙ୍କ ଆବିର୍ଭାବ ଦଳୀୟ ସନ୍ତୁଳନକୁ ସୁରକ୍ଷିତ ରଖିଛି। ଖଲିଲ୍ ଅହମ୍ମଦ ମଧ୍ୟ ଦିନିକିଆ ଭଳି ଟି-ଟ୍ୱେଣ୍ଟିରେ ଶୃଙ୍ଖଳିତ ଓ ଶାଣିତ ପ୍ରଦର୍ଶନ ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜ ପ୍ରବେଶକୁ ପ୍ରଭାବୀ ପ୍ରମାଣିତ କରିଛନ୍ତି।

ଭୁବନେଶ୍ୱର କୁମାର୍‌ଙ୍କ ବଦଳରେ ଦଳକୁ ଆସୁଥିବା ଉମେଶ୍ ଯାଦବଙ୍କ ଭଳି ବୋଲିଂ ପ୍ରତିଭା ସୁଯୋଗର ସଦ୍‌ବ୍ୟବହାର ପାଇଁ ବିଶ୍ୱସନୀୟତା ସୃଷ୍ଟି ନ କଲେ, ଚୂଡ଼ାନ୍ତ ଦଳକୁ ୟଜୁବେନ୍ଦ୍ର ଚହଲ୍‌ ଫେରି ପାରନ୍ତି।ତେବେ ଚାଇନାମ୍ୟାନ୍‌ କୁଲଦୀପ୍‌ ଧୀରେ ଧୀରେ ଦଳର ଏକ ବଡ଼ ସଂପତ୍ତି ପାଲଟିବା ଭାରତୀୟ କ୍ରିକେଟ୍‌ ପାଇଁ ଏକ ଶୁଭ ସୂଚନା।

ଅନ୍ୟପକ୍ଷରେ ଛୋଟ ଫର୍ମାଟ୍‌ କ୍ରିକେଟ୍‌ର କେବଳ ବିଶ୍ୱ ଚାମ୍ପିଅନ୍ ନୁହେଁ, ବରଂ ବିପଜ୍ଜନକ ଦଳ ଭାବେ ଗଣା ଯାଉଥିବା ୱେଷ୍ଟ୍‌ଇଣ୍ଡିଜ୍‌ କୌଣସି ବି ମୁହୂର୍ତ୍ତରେ ସିରିଜ୍‌ ଫେରିବାର ସମସ୍ତ ଶକ୍ତି ରଖିଛି। ବିଶ୍ୱସ୍ତରୀୟ ବିସ୍ଫୋରକ ତାରକାରେ ଖଚିତ ଏହି କ୍ୟାରିବିଅନ୍ ଦଳର ବ୍ୟାଟ୍‌ସମ୍ୟାନ୍‌ମାନେ ସବୁ ବଲ୍‌କୁ ସୀମା ପାର୍ କରିବାର ମାନସିକତା ଛାଡ଼ି କ୍ରିଜ୍‌ କିଛି ସମୟ ଯାଏ ରହି ସୁଯୋଗକୁ ଅପେକ୍ଷା କଲେ ନିଜ ସାମର୍ଥ୍ୟ ଅନୁସାରେ ନିଶ୍ଚୟ ପ୍ରଦର୍ଶନ ଦେଇପାରିବେ। ଏଥିପାଇଁ  ଅଭିଜ୍ଞ ଦିନେଶ୍ ରାମଦିନ୍‌, କିଏରନ୍‌ ପୋଲାର୍ଡ ଓ ଡ୍ୟାରେନ୍ ବ୍ରାଭୋଙ୍କ ସହ  ନିମ୍ନକ୍ରମରେ ନିଜେ ଅଧିନାୟକ ବ୍ରାଥ୍‌ୱେଟ୍‌ ଏହାର ନେତୃତ୍ନ ନେଲେ, ହେଟ୍‌ମୟର୍‌ ଓ ଶାଇ ହୋପ୍‌ ବିନା ଚାପରେ ଭୟଶୂନ୍ୟ କ୍ରିକେଟ୍‌ ଖେଳି ପାରନ୍ତେ।

ତେବେ ଭାରତ ଗସ୍ତରେ ଏଯାଏ ବିଫଳ ହୋଇଥିବା ରୋଭ୍‌ମ୍ୟାନ୍‌ ପାୱେଲ୍‌ଙ୍କ ସ୍ଥାନରେ ଅନ୍ୟ କାହାକୁ ପରୀକ୍ଷା ପାଇଁ ଭ୍ରମଣକାରୀ ଦଳ ଚିନ୍ତା କରିପାରେ। ସେହିପରି କୋଲକାତାର ପଦାର୍ପଣ ମ୍ୟାଚ୍‌ରେ ନିଜ ଗତିରେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଚକମା ଦେଇ ଦୁର୍ଦ୍ଧର୍ଷ ୱେଷ୍ଟ୍‌ଇଣ୍ଡିଜ ବୋଲର୍‌ଙ୍କ ଝଲକ ଦେଖାଇଥିବା ଓଶାନେ ଟମାସ୍‌ଙ୍କୁ ଅନ୍ୟମାନେ ଆବଶ୍ୟକ ସମର୍ଥନ ଦେଲେ, ଟି-ଟ୍ୱେଣ୍ଟି ସିରିଜ୍‌ ବିଜୟ ପାଇଁ ଆଶା କରିଥିବା ଘରୋଇ ଦଳ ନିଜ ମାଟିରେ ଧୂଳି ଚାଟିଲେ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆସନ୍ତା କାଲି ମ୍ୟାଚ୍‌ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। .

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ୍ ଶର୍ମା(ଅ), ଶିଖର ଧୱନ୍‌, କେଏଲ୍ ରାହୁଲ୍‌, ରିଷଭ ପନ୍ତ/ଶ୍ରେୟସ୍ ଆୟର୍‌, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ(ୱି), କୃନାଲ୍‌ ପାଣ୍ଡ୍ୟା, କୁଲ୍‌ଦୀପ ଯାଦବ୍‌, ଖଲିଲ୍ ଅହମ୍ମଦ, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ/ ୟଜୁବେନ୍ଦ୍ର ଚହଲ୍‌। 

ସମ୍ଭାବ୍ୟ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ: କାର୍ଲସ୍‌ ବ୍ରାଥ୍‌ୱେଟ୍‌(ଅ), ଡ୍ୟାରେନ୍ ବ୍ରାଭୋ, ଶାଇ ହୋପ୍‌, ଦିନେଶ୍‌ ରାମଦିନ୍‌(ୱି), ଶିମ୍‌ରନ୍‌ ହେଟ୍‌ମୟର୍‌, କିଏରନ୍ ପୋଲାର୍ଡ, ରୋଭ୍‌ମ୍ୟାନ୍‌ ପୱେଲ୍‌/ଶିର୍‌ଫନେ ରଦର୍‌ଫୋର୍ଡ, କେମୋ ପଲ୍‌, ଓବେଦ୍‌ ମ୍ୟାକ୍‌କୟ/ଖାରୀ ପିଅର୍‌ . ଫ୍ୟାବିଆନ୍‌ ଆଲେନ୍‌, ଓଶାନେ ଟମାସ୍‌।  



from Odisha Reporter https://ift.tt/2yRumgm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages