ନୂଆ ଦଳ ଘୋଷଣା ବେଳେ କ’ଣ କ’ଣ କହିଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ନୂଆ ଦଳ ଘୋଷଣା ବେଳେ କ’ଣ କ’ଣ କହିଲେ ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣିମାରେ ବରିଷ୍ଠ ରାଜନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ ବିଧିବଦ୍ଧ ଭାବେ ନିଜ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ର ନାଁ ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ କହି ତାଚ୍ଛଲ୍ୟ କରିଛନ୍ତି। ଏହାସହ, ବିଭିନ୍ନ ଜିଲ୍ଲାରେ ହୋଇଥିବା ଦୁର୍ନୀତି କଥା ଉଠାଇ, ଏହାର ବିରୋଧ କରିବାରୁ ଦଳରୁ ତଡ଼ା ଖାଇଲେ ବୋଲି କହିଛନ୍ତି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ବିଜୁ ଜନତା ଦଳରୁ ବିଜୁ ଅନୁଗତ ସବୁ ଗଲେ କୁଆଡ଼େ ବୋଲି ଏହି ଅବସରରେ ଦାମ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ବାବୁ ତାଙ୍କ ପୁଅ ହିସାବରେ ଆସିଥିଲେ। ବିଜୁ ବାବୁଙ୍କ ନାଁରେ ୧୯୯୭ରେ ଏକ ଦଳ ଗଠନ କଲେ। ବିଜୁ ବାବୁଙ୍କ ଅନୁଗତ ସମସ୍ତେ ସେଥିରେ ସାମିଲ ହେଲେ। ହେଲେ ଆଜି ସେ ଦଳରେ ଜଣେ କେହି ବି ବିଜୁ ବାବୁଙ୍କ ଅନୁଗତ ନାହାନ୍ତି। ସମସ୍ତେ ବହିଷ୍କୃତ ହୋଇଗଲେ। ଏବେ ଯେଉଁମାନେ ଏ ଦଳକୁ ଆସିଛନ୍ତି, ସମ୍ପତ୍ତି ଲୋଭରେ ଆସିଛନ୍ତି। ଏମାନେ ରାଜନୈତିକ କର୍ମୀ ନୁହନ୍ତି। ଲୋକଙ୍କ ପାଇଁ ସେମାନଙ୍କର ସମ୍ବେଦନଶୀଳତା ନାହିଁ। ସମତ୍ତି ଠୁଳ କରିବା ଏମାନଙ୍କର ଏକମାତ୍ର ଲକ୍ଷ୍ୟ।”

ଦୁର୍ନୀତିର ସରକାର

ନବୀନ ସରକାରଙ୍କୁ ଦାମ ଦୁର୍ନୀତିର ସରକାର କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଏଠାରେ ଖଣି ଦୁର୍ନୀତି ହେଲା। ଏକଥା ଉଠାଇଲି ବୋଲି ମୋତେ ଦଳରୁ ବାହାର କରିଦେଲେ। ଜଷ୍ଟିସ୍‌ ଶାହା କହିଥିଲେ ଖଣି କ୍ଷେତ୍ରରେ ଲକ୍ଷାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଛି, ଏହାର ସିବିଆଇ ତଦନ୍ତ କରାଯାଉ। ହେଲେ ଏହାର ତଦନ୍ତ କରାଗଲା ନାହିଁ। ଆଜି ଯେଉଁଠିକୁ ଅନାଇବେ ସବୁଠି ଦୁର୍ନୀତି, ଲୁଣ୍ଠନ ଓ ସମ୍ପତ୍ତି ଜମା କରିବାର ମୋହ। ସାଧାରଣ ଲୋକଙ୍କ ପ୍ରତି କାହାର ଦରଦ ନାହିଁ।”

କୁନ୍ଦୁଲି ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ

ଏହି ଅବସରରେ କୋରାପୁଟର କୁନ୍ଦୁଲି ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲାକୁ କେମିତି ଚପାଇ ଦିଆଗଲା ସେ କଥା ମଧ୍ୟ ଉଠାଇଛନ୍ତି ଦାମ। କହିଛନ୍ତି, “କୁନ୍ଦୁଲି ଗଣଦୁଷ୍କର୍ମକୁ ଚପାଇ ଦିଆଗଲା। ଝିଅକୁ ଏତେଦିନ ଚିକିତ୍ସା କରିବା ପରେ ଡାକ୍ତର କହିଲେ ଦୁଷର୍ମ ହୋଇନାହିଁ। ସେ ନିରୀହ ଝିଅ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କଲେ। ଏଠି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପ୍ରଶାସନ ସୁରକ୍ଷା ଦେବା ସହ ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି।”

ସରକାରୀଙ୍କ ବାବୁଙ୍କ ଗୋହି ଖୋଳିଲେ

ଏହି ଅବସରରେ ସରକାରୀ ବାବୁମାନେ କେମିତି ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କୁ ଲୁଟୁଛନ୍ତି ତାହାର ଲମ୍ବା ତାଲିକା ଦେଇଛନ୍ତି ଦାମ। କହିଛନ୍ତି, “୨୦୧୪ ମସିହାରେ କୃଷି ମନ୍ତ୍ରୀ ହେବା ପରେ ବହୁ ଦୁର୍ନୀତି ମୋ ନଜରକୁ ଆସିଥିଲା। ଆଦିବାସୀ ଅଞ୍ଚଳରେ କୋଟି କୋଟି ଟଙ୍କା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲି। ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ୧୦୦ କୋଟି ଟଙ୍କା ଖାଇଥିବା ଜଣାପଡ଼ିଲା। ଏହାର ତଦନ୍ତ ହେଲା, ରିପୋର୍ଟ ଆସିବା ପରେ ମୁଁ ତାଙ୍କୁ ନିଲମ୍ବନ କରିଥିଲି। ଏହା ମୋର ଅପରାଧ ହୋଇଗଲା ଓ ମୋତେ ମନ୍ତ୍ରିମଣ୍ଡଳରୁ ବିଦା କରିଦିଆଗଲା। କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜଣେ ଡେପୁଟି ଡାଇରେକ୍ଟର ୮ କୋଟି ୧୧ ଲକ୍ଷ ଟଙ୍କା ଖାଇଥିଲେ। ତାଙ୍କୁ ମୁଁ ଡିସ୍‌ମିସ୍‌ କରିଥିଲି। କିନ୍ତୁ ତାଙ୍କ ପାଖରୁ ଟଙ୍କା ଆଣିବାର କୌଣସି ପ୍ରକ୍ରିୟା ହୋଇନାହିଁ। ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ୩ ଜଣ ହର୍ଟିକଲଚର ଡେପୁଟି ଡାଇରେକ୍ଟର ଚାଷୀଙ୍କ ପାଇଁ ଜୈବସାର ନକିଣି ୨୪ କୋଟି ଟଙ୍କା ଚଳୁ କରିଦେଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇ ଦୁର୍ନୀତି ବିରୋଧରେ କହିଲା ଲୋକକୁ ଦଳରୁ ବହିଷ୍କାର କରିଦେଲେ।”

ଲୋକଙ୍କ ଅନୁରୋଧରେ ଦଳ ଗଢ଼ାଯାଇଛି

ରାଜ୍ୟର ସ୍ଥିତି ବହୁତ ଖରାପ। ସବୁଠି ଦୁର୍ନୀତି, ଭ୍ରଷ୍ଟାଚାର, ଲୁଟ। ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି ସ୍ଥିତିରେ ସାରା ରାଜ୍ୟରୁ ଶୁଭେଚ୍ଛୁ, ବୁଦ୍ଧିଜୀଵୀ, ରାଜନୈତିକ ବ୍ୟକ୍ତି ନୂଆ ଆଞ୍ଚଳିକ ଦଳ ଗଢ଼ି ୧୮ ବର୍ଷ ହେଲା ଶାସନରେ ଥିବା ଏ ଦଳକୁ ହଟାଇବାକୁ ଅନୁରୋଧ କରିଥିଲେ। ଏହାପରେ ସମସ୍ତଙ୍କ ପରାମର୍ଶ ନେବା ସହ ସମଭାବାପନ୍ନ ବ୍ୟକ୍ତିଙ୍କ ସହ ମିଶି ଆଜି କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିନରେ ‘ବିଜୁ ସମତାକ୍ରାନ୍ତି ଦଳ’ ଗଠନ କରାଯାଇଛି। ବିଜୁ ବାବୁଙ୍କ ନାଁରେ ହୋଇଥିବା ଏହି ଦଳ ଜରିଆରେ ଆଉ ଏକ କ୍ରାନ୍ତି ଆନ୍ଦୋଳନ ଓଡ଼ିଶାରୁ ଆରମ୍ଭ ହେବ। ଲୋକେ ଚାହୁଁଛନ୍ତି, ପରିବର୍ତ୍ତନ। ଏହି ପରିବର୍ତ୍ତନ ଆସିବାରେ ଏହି ଆଞ୍ଚଳିକ ଦଳ ପ୍ରମୁଖ ଭୂମିକା ନେବ। ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଷ ବଳୟରୁ ରାଜ୍ୟବାସୀଙ୍କୁ ରକ୍ଷା କରିବାକୁ ଏହି ଦଳ ଜରିଆରେ ଆମେ ପ୍ରୟାସ କରିବୁ ବୋଲି ଦାମ କହିଛନ୍ତି।



from Odisha Reporter https://ift.tt/2PMwRuW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages