
କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଦେଶର ସଂସଦକୁ ଭଙ୍ଗ କରିବା ସହ ଧାର୍ଯ୍ୟ ସମୟର ୨ ବର୍ଷ ପୂର୍ବରୁ ସାଧାରଣ ନିର୍ବାଚନ ନେଇ ଘୋଷଣା କରିଥିବା ନିଷ୍ପତ୍ତିକୁ ଆଜି ଶ୍ରୀଲଙ୍କା ସୁପ୍ରିମକୋର୍ଟ ଖାରଜ କରିଦେଛନ୍ତି। ଏଥିସହ ଆଗୁଆ ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତି ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।
ଅକ୍ଟୋବର ୨୬ରେ ସିରିସେନା ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଥିଲେ। ତାଙ୍କ ସ୍ଥାନରେ ମହିନ୍ଦା ରାଜପାକ୍ଷେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ତେବେ ଏହାକୁ ନେଇ ବିବାଦ ଉପୁଜିବାରୁ ଏବଂ ସଂସଦରେ ରାଜପାକ୍ଷେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇବାରୁ ଅଚାନକ ଭାବେ ସିରିସେନା ସଂସଦକୁ ଭାଙ୍ଗିବାକୁ ନିଷ୍ପତ୍ତି ନେବା ସହ ଦେଶରେ ପୁଣି ନିର୍ବାଚନ ହେବ ବୋଲି କହିଥିଲେ।
ଏହା ବିରୋଧରେ ବିକ୍ରମସିଂହେଙ୍କ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନଲୀନ ପେରେରାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସିରିସେନା ଜାନୁଆରୀ ୫ରେ ଦେଶରେ ସାଧାରଣ ନିର୍ବାଚନ ହେବା ନେଇ ଯେଉଁ ନିଷ୍ପତ୍ତି ନେଇଥିଲେ ତାକୁ ଖାରଜ କରିଦେଇଛନ୍ତି।
ଅର୍ଥାତ ଏବେ ସିରିସେନା ନିଯୁକ୍ତ କରିଥିବା ରାଜପାକ୍ଷେ ଓ ବିକ୍ରମସିଂହେଙ୍କ ମଧ୍ୟରେ ସଂସଦରେ ଫ୍ଲୋର ଟେଷ୍ଟ ପାଇଁ ଭୋଟ୍ ହେବ। ଶ୍ରୀଲଙ୍କାର ୨୨୫ ଆସନ ବିଶିଷ୍ଟ ସଂସଦରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।
from Odisha Reporter https://ift.tt/2DCpzU7
No comments:
Post a Comment