
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ମହାବନ୍ଦ୍ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ସଂଗଠନ ଏବଂ ପ୍ରମୁଖ ରାଜନୈତିକ ଦଳ ଏହି ବନ୍ଦ୍ରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମଧ୍ୟ ବନ୍ଦ୍ ଜାରି ରହିବ। ଏହାପରେ ବି ସରକାର କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି।
ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନରେ ଯୋଡ଼ି ହୋଇଛି ଆଉଏକ ଫର୍ଦ୍ଦ। ଅଢ଼େଇ ମାସରୁ ଅଧିକ ସମୟ ଧରି କ୍ରମାଗତ ରିଲେ ଅନଶନ ପରେ ଆଜିଠାରୁ ୨ ଦିନିଆ ମହାବନ୍ଦ୍ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ପ୍ରଥମ ଦିନରେ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ଆଜି ଶୂନଶାନ ଲାଗୁଥିଲା।
ରାସ୍ତାଘାଟରେ ଗାଡ଼ି ଚଳାଚଳ କରୁ ନଥିବାରୁ ସାଧାରଣ ଯାତ୍ରୀଙ୍କ ସମେତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାର ବଡ଼ ଡାକ୍ତରଖାନା ବୁର୍ଲା ମେଡ଼ିକାଲ୍ କଲେଜ୍ ଓ ହସପିଟାଲ୍କୁ ଯାନବାହନ ଚଳାଚଳ କରିପାରି ନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା।
ଏପଟେ ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରି ରେଳରୋକ କରିଥିଲେ ଆନ୍ଦୋଳନକାରୀ। ଫଳରେ ଦୂରଦୂରାନ୍ତକୁ ଯିବାକୁ ଥିବା ଟ୍ରେନ ସହ ଅଟକି ଯାଇଥିଲେ ହଜାର ହଜାର ଯାତ୍ରୀ।
ବଲାଙ୍ଗିରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବଲାଙ୍ଗିରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ବରଗଡ଼ରେ ଅଟକି ରହିବାରୁ ଟ୍ରେନ୍ରେ ଥିବା ଚାଷୀଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ିଥିଲା। ଟ୍ରେନ୍ଟି ଅଧାବାଟରୁ ବଲାଙ୍ଗିରକୁ ପୁଣି ଫେରି ଯାଇଥିଲା। ଫଳରେ ଯାତ୍ରୀମାନେ ଟିକଟ୍ ମୂଲ୍ୟ ଫେରସ୍ତ ଦାବିରେ ଷ୍ଟେସନ ମ୍ୟାନେଜରଙ୍କ ଅଫିସ୍ ଆଗରେ ଧାରଣା ଦେଇଥିଲେ। ଶେଷରେ ଟଙ୍କା ଫେରସ୍ତର ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିଲା। ଅନ୍ୟପଟରେ ମହାବନ୍ଦ୍ ଯୋଗୁ ପଶ୍ଚିମ ଓଡ଼ିଶା ଦେଇ ଚଳାଚଳ କରୁଥିବା ପ୍ରାୟ ୧୨ଟି ଟ୍ରେନକୁ ବାତିଲ୍ କରାଯାଇଛି।
ସମ୍ବଲପୁର ସମେତ ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାରେ କେଉଁଠି ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା ତ ଆଉ କେଉଁଠି ଦୋକାନ ବଜାର ସହ ସ୍କୁଲ, କଲେଜ, ସରକାରୀ ଅଫିସ, ବନ୍ଦ କରାଯାଇଥିଲା। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଦିଆଯାଇଥିବା ଏହି ବନ୍ଦ ଡାକରାରେ ବିଭିନ୍ନ ଜିଲ୍ଲାର ଓକିଲ ସଂଘ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ଏହାସହ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତାକାଲି ମଧ୍ୟ ଦିନ ତମାମ ମହାବନ୍ଦ ଜାରି ରହିବ।
from Odisha Reporter https://ift.tt/2FX69eO
No comments:
Post a Comment