
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ୫ ଦଫା ଦାବିରେ ରାଜଧାନୀରେ ଅହୋରାତ୍ର ଧାରଣାରେ ବସିଛନ୍ତି ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ। ରାଜ୍ୟ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିଛନ୍ତି। ଫଳରେ ରକ୍ତଭଣ୍ଡାର ଗୁଡ଼ିକରେ ଷ୍ଟକ୍ ସରି ସରି ଆସୁଥିବାରୁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି।
ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ ବାରଣ୍ଡାରେ ମାଆ ସହ ବସି ମଝିରେ ମଝିରେ ଟୋପେ ଟୋପେ କ୍ଷୀର ପିଉଛି କୁନି ପିଲାଟି। ସେ ଥାଲାସେମିଆରେ ଆକ୍ରାନ୍ତ ହୋଇଥିବାରୁ ୮୦ କିଲୋମିଟର ଦୂର ଗାଁରୁ ବାପାମାଙ୍କ ସହିତ ଧାଇଁ ଆସିଥିଲା ମେଡିକାଲ୍। ହେଲେ ଏଠି ରକ୍ତଭଣ୍ଡାର କର୍ମଚାରୀଙ୍କ କାମବନ୍ଦ ଆନ୍ଦୋଳନ କଥା ଶୁଣି ମନରେ ଛନକା ପଶି ଯାଇଛି। ତାଙ୍କ ଭଳି ଆହୁରି ଅନେକ ରୋଗୀ ଓ ସମ୍ପର୍କୀୟ ମଧ୍ୟ ସମାନ ଦଶା ଭୋଗୁଛନ୍ତି।
ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଘଣ୍ଟା ଘଣ୍ଟା ଧରି ରକ୍ତଭଣ୍ଡାରରେ ଅପେକ୍ଷା କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। କାହାର ଥାଲାସେମିଆ ପାଇଁ ରକ୍ତ ଦରକାର ତ ପୁଣି କାହାର ଦୁର୍ଘଟଣାରେ ଆହତ ରୋଗୀ ପାଇଁ ରକ୍ତର ଆବଶ୍ୟକତା ରହିଛି। ହେଲେ ରକ୍ତ ଟେଷ୍ଟ କରି ଦେବାକୁ ଟେକ୍ନିସିଆନ୍ ନାହାନ୍ତି। ଦିନକୁ ଏଠି ଥାଲାସିମିଆ ରୋଗୀଙ୍କୁ ୨୦ରୁ ୨୫ ୟୁନିଟ୍ ରକ୍ତ ଦିଆଯାଇଥାଏ। କର୍ମଚାରୀ ନଥିବାରୁ ରକ୍ତଦାନ ଶିବିରରୁ ଆସିପାରୁନି ନୂଆ ରକ୍ତ। ଏମିତିକି ନିୟମିତ ଷ୍ଟକ ରହୁଥିବା ୫୦୦ ୟୁନିଟ୍ରୁ ଏବେ ୬୦ ୟୁନିଟକୁ କମି ଗଲାଣି।

୫ ଦଫା ଦାବିରେ ରାଜଧାନୀର ଲୋୟର ପିଏମ୍ଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ରକ୍ତଭଣ୍ଡାର କର୍ମଚାରୀ। ସେମାନଙ୍କ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ରହିଛି ସ୍ଥାୟୀ ନିଯୁକ୍ତି ସହ ସପ୍ତମ ବେତନ କମିଶନ ହାରରେ ଏରିଅର ଓ ଦରମା ପ୍ରଦାନ।
ତା’ସହ ସେମାନଙ୍କ ଅଭିଯୋଗ, ରାଜ୍ୟର ମେଡିକାଲ ସଂଖ୍ୟା ଅନୁପାତରେ ହଜାରେରୁ ଅଧିକ ରକ୍ତଭଣ୍ଡାର କର୍ମଚାରୀ ରହିବା କଥା। ହେଲେ ଅଛନ୍ତି ମାତ୍ର ୧୮୦ ଜଣ କର୍ମଚାରୀ। ରେଡକ୍ରସ୍ ହାତରୁ ୨୦୧୭ ସେପ୍ଟେମ୍ବେର ପରଠାରୁ ରାଜ୍ୟ ସରକାର ରକ୍ତଭଣ୍ଡାର ଗୁଡ଼ିକୁ ନିଜ ଅଧୀନକୁ ଆଣିଥିଲେ ବି ସେମାନଙ୍କ ସମସ୍ୟା ନେଇ ସରକାର ନିଦାବିଷ୍ଣୁ ସାଜିଛନ୍ତି। ହେଲେ ସେମାନଙ୍କ ଏଭଳି ଅଭିଯୋଗ ନେଇ ସ୍ୱାସ୍ଥମନ୍ତ୍ରୀ କି ସ୍ୱାସ୍ଥ୍ୟ ସଚିବ କାହାରି ପ୍ରତିକ୍ରିୟା ମିଳିନାହିଁ।
ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ରକ୍ତ ଅତ୍ୟନ୍ତ ଜରୁରୀ। ହେଲେ, ରକ୍ତଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ଥିତି ଜଟିଳ ହେବାରେ ଲାଗିଛି ରୋଗୀସେବା। ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ ନହେଲେ ଆଗକୁ ସ୍ଥିତି ବିଗିଡିବା ଆଶଙ୍କା ସୃଷ୍ଟି ହେଲାଣି।
from Odisha Reporter https://ift.tt/2rbop9P
No comments:
Post a Comment