
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ତିନି ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର। ପଡ଼ୋଶୀ ଘରର ଜଣେ ମଦ୍ୟପ ଯୁବକ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ତା’ ନାଁ ବିକ୍ରମ ଦାସ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିକ୍ରମ ମଦ ପିଇ ଘରକୁ ଆସିଥିଲା। ମଦ ପିଆକୁ ନେଇ ବିକ୍ରମ ଓ ତା’ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେ ତା’ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲା। ସ୍ତ୍ରୀକୁ ନ ବାଡ଼େଇବା ପାଇଁ ବାପା ଅକ୍ଷୟ ଓ ମା’ କେତକୀ କହିଥିଲେ ଓ ଦୁହେଁ ବାଧା ବି ଦେଇଥିଲେ।
ପାଟିତୁଣ୍ଡ ଭିତରେ ବିକ୍ରମ ଘରର ଏକ ରୁମ୍ ଭିତରକୁ ଯାଇଥିଲା। ଏହି ସମୟରେ ତା’ ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ଘରୁ ପଳାଇଥିଲେ। ବିକ୍ରମ ପୁଣି ଫେରି ଆସି ସ୍ତ୍ରୀକୁ ଖୋଜିଥିଲା ଓ କେଉଁଠି ନ ପାଇବା ପରେ ଗୁହାଳ ଘରୁ ଗୋଟେ କୋଦାଳ ବେଣ୍ଟ ଆଣି ତାଙ୍କ ବାପାମା’ଙ୍କୁ ଆକ୍ରମଣ କରିଥିଲା।
ପରିବାରର ଅନ୍ୟ ସଦସ୍ୟମାନେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇବା ପରେ ବିକ୍ରମ ପଡ଼ୋଶୀ ଘରର ଧ୍ରୁବ ଦାସ, ତାଙ୍କ ସ୍ତ୍ରୀ ସରସ୍ୱତୀ ଓ ଝିଅ ପ୍ରତିମାକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଧ୍ରୁବ ଓ ସରସ୍ୱତୀଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରତିମାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଧ୍ରୁବ ଓ ସରସ୍ୱତୀ ଅଭିଯୁକ୍ତର ସଂପର୍କୀୟ ଜେଜେବାପା ଓ ଜେଜେମା’ ଥିଲେ। ସେହିଭଳି ପ୍ରତିମା ତା’ ପିଉସୀ ଥିଲେ।
ଏହି ଘଟଣା ଭିଆଇବା ପରେ ବିକ୍ରମ ସେଠାରୁ ଫେରାର ହୋଇଯାଇଥିଲା।
କେତକୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅକ୍ଷୟ ଦାସଙ୍କ କହିବା ଅନୁଯାୟୀ, ବିକ୍ରମ ଜଣଙ୍କ ଗାଡ଼ି ଚଲାଏ। ଆଠ ଦଶ ଦିନ ବ୍ୟବଧାନରେ ମଦ ପିଇ ଘରକୁ ଆସି ପାଟିତୁଣ୍ଡ କରେ।
from Odisha Reporter https://ift.tt/2Du7C9e
No comments:
Post a Comment