ଦାରୁ ଫିକ୍ସିଂ ଲାଗି ଟଙ୍କା ଦେଇଥିଲେ ଇଏ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଦାରୁ ଫିକ୍ସିଂ ଲାଗି ଟଙ୍କା ଦେଇଥିଲେ ଇଏ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାକଟପୁରରେ ବାଜେ ବାଜଣା/ ମା’(ମଙ୍ଗଳା) ଜାଣେ ଜଗା ଦାରୁ ଠିକଣା’। ବିଗତ ଦିନର ଏହି ଭାବଭରା ଗୀତର ଆଉ ମାନେ କିଛି ନାହିଁ। କାରଣ ମା’ଙ୍କ ଠିକଣା ମୁତାବକ ଯେ ଦାରୁ ସଂଗ୍ରହ ହେଉଛି ସେ କଥା ଏକଦମ୍‌ ମିଛ ବୋଲି ଧରିନେବାକୁ ପଡିବ। ନଚେତ୍‌ କ’ଣ ଏ ତଥାକଥିତ ବଡ଼ ଲୋକେ ଦାରୁ ଏଇଠୁ ଆଣ କହି ଟଙ୍କା ଧରାଇଥାଆନ୍ତେ ନା କ’ଣ ?

ଦୁର୍ନୀତି କଳାବଜାରୀ କଥା ସବୁବେଳେ ଶୁଣିବାରେ ଅଭ୍ୟସ୍ତ ଓଡ଼ିଶାର ଜନତା ଏଥର ହତବାକ୍‌ ହୋଇ ପଡିଛନ୍ତି। ଦିଅଁ ଖାଇ ଖଟୁଳି ଖାଇବା ନ୍ୟାୟରେ ଏବେ ଧର୍ମକୁ ଜଳାଞ୍ଜଳି ଦେଇ ଦିଆଗଲା ବୋଲି ସବୁଠି ଚର୍ଚ୍ଚ। ଓଡ଼ିଆ କହିଲେ ଜଗନ୍ନାଥ ଆଉ ଜଗନ୍ନାଥ କହିଲେ ଓଡ଼ିଆ। ଏ କଥା ତୁଣ୍ଡ ତୁଣ୍ଡେ ଅଛି ହେଲେ ଆମ ଦିଅଁ ଶେଷରେ କାଠଗଡ଼ାରେ ଚଢ଼ିବେ ଆଉ ଆମରି ସକାଶେ ସେ ଖେଳନା ପାଲଟିଯିବେ, ଏକଥା ହୁଏତ ଆମ ବାପ ଅଜା କେବେ ଚିନ୍ତା ବି କରି ନ ଥିବେ। ଯାହା ଆଜି ହେଇଛି। ବ୍ରହ୍ମ ବିଭ୍ରାଟ ପେଡ଼ି ଖୋଲୁଛି। ଦର୍ପଦଳନ ରଥର ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ଅଭିଯୋଗ ପରେ ଏବେ ସବୁଆଡ଼େ ହଇଚଇ।

ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରିଥିବା ବିଶ୍ୱକର୍ମା ଖୋଲାଖୋଲି କହିଛନ୍ତି ଯେ,“ ଯିଏ ଟଙ୍କା ଦେଲା, ତା ଇଚ୍ଛାରେ ଦାରୁ ଚୟନ ହେଲା ।” କୃଷ୍ଣ (ମହାରଣା) ସ୍ପଷ୍ଟ ଭାବେ ଗତକାଲି କହିଛନ୍ତି, “ଏ ଦାରୁ ପାଇବାକୁ ଟଙ୍କା କାରବାର କରାଯାଇଛି। ଆପଣ ପଇସା ଦିଅନ୍ତୁ, ଆପଣଙ୍କ ବାଡ଼ିରୁ ବି ଦାରୁ ମିଳିବ। ”

କାଲିଠୁ ଏଇ କଥାଟା ସବୁ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟି ଯାଇଛି। ଏଇ କଥାକୁ ନେଇ ନେତା, ମନ୍ତ୍ରୀଙ୍କ କାଦୁଅ ଫିଙ୍ଗା ଖେଳ ବି ଆରମ୍ଭ ହୋଇ ଗଲାଣି। ଏବେ ପ୍ରଶ୍ନ, ଜଗନ୍ନାଥଙ୍କୁ କିଣିବାକୁ ସତରେ କ’ଣ ଆମ ରାଜ୍ୟରେ ଏଡେ ବଡ଼ଲୋକ କିଏ ଅଛି?

ଅବଶ୍ୟ ପ୍ରଶ୍ନ ପଚାରିବାର ମାନେ ହିଁ କିଛି ନାହିଁ। ସମସ୍ତ କହିଲେ ଯୋଉ ବାବୁ ଜଣକ ଦାରୁ ଚୟନ ପାଇଁ ଟଙ୍କା ଦେଇ ଦଇତାପତିଙ୍କୁ କଣିଥିଲେ ସେ ବାବୁ କୁଆଡେ ଜଗତ୍‌ସିଂହପୁରିଆ। ଏବେ ବାବୁ ଆମର କୁଆଡ଼େ ସରକାରୀ ଦଳରୁ ଉପର ଘରେ ବସିଛନ୍ତି । ‘ସମଝଦାର୍‌ କୋ ଇଶାରା କାଫି’ ନ୍ୟାୟରେ ଆମ ଏଇତିକ ଲେଖାରୁ ପାଠକ ବୁଝି ଯିବେଣି। ହେଲେ ଆମେ ଏ କଥା କହୁଛୁ ବୋଲି ଭାବିବାର ଭୁଲ୍‌ ଆଦୌ କରନ୍ତୁ ନାହିଁ।

୨୦୧୫ରେ ଯେତେବେଳେ ମହାପ୍ରଭୁଙ୍କ ନବକଳେବର କଥା ଉଠିଲା। ସେତେବେଳେ ରାଜ୍ୟ ସରକାର ବଡ଼ ତତ୍ପର ହୋଇ ଉଠିଲେ। ରାସ୍ତା ଘାଟଠୁ ଆରମ୍ଭ କରି ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ କରିଦିଆଗଲା। ଠାକୁରଙ୍କ ସମସ୍ତ ନୀତିକାନ୍ତି କେମିତି ଶୃଙ୍ଖଳିତ ଢଙ୍ଗରେ ସରିବ ଆଉ ସରକାର ଏହାର ବାହାବା ନେବେ ସେ ନେଇ ବହୁ ଆୟୋଜନ ବି ହେଲା। ହେଲେ ଶେଷରେ ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ନ୍ୟାୟରେ ସବୁ ହେଲା ଫୂସ୍‌।

ମାତ୍ର ଗୋଟିଏ ଦାରୁ(ଶ୍ରୀ ସୁଦର୍ଶନ) ଭୁବନେଶ୍ୱର ଉପକଣ୍ଠରୁ ଚୟନ ହୋଇଥିବା ବେଳେ ବାକି ୩ଟି ଦାରୁ(ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା) ଜଗତ୍‌ସିଂହପୁର ଜିଲାରୁ ପ୍ରାପ୍ତ ହେଲା। ଆଉ ଏଇଠି ପୋତାହେଲା ବିବାଦର ମଞ୍ଜି। ଜନତାଙ୍କୁ ଛାଡ଼ନ୍ତୁ, ବୁଦ୍ଧିଜୀବୀ ମହଲରୁ କଥା ଉଠିଲା ଦାରୁ ଫିକ୍ସିଂ ହେଇଛି। ଜଣେ ବାବୁ ଯିଏ ଏବେ ଏକ ବୃହତ୍‌ ଅନୁଷ୍ଠାନର ମାଲିକ ବୋଲାଉଛନ୍ତି ସିଏ କାଳେ ଠାକୁରଙ୍କ ଦାରୁ ପାଇଁ ଟଙ୍କା ଦେଇଛନ୍ତି। କେତେ ଦେଇଛନ୍ତି, କ’ଣ ଦେଇଛନ୍ତି ସେ କଥା ସମୟ କହିବ। ହେଲେ ଏବେ ବାବୁଙ୍କ ପତିଆରା ଏତେ ଯେ, ସେ ତାଙ୍କ ନାଁଟାକୁ ଧରିବାକୁ ସମସ୍ତେ ଅମଙ୍ଗ।

ବିଜେପି ବାଲାଏ କହୁଛନ୍ତି ଆମେ ଜାଣିଛୁ। ହେଲେ ନାଁ ପଛରେ କହିବୁ। ଯିଏ ଏମିତି କାମ ଯିଏ କରିଛି ତାକୁ ଧର୍ମ ସହିବନି। ସେପଟେ କଂଗ୍ରେସିଆ ନେତାଙ୍କର ବି ଏକା ମତ। ବୁଲେଇ ବାଙ୍କେଇ କହିବୁ ସିନା ସଳଖ କହିବୁନି। ତାରା ବାହିନୀପତି ହୁଅନ୍ତୁ କି ପୀତାମ୍ବର ଆଚାର୍ଯ୍ୟ, ସମସ୍ତେ କହୁଛନ୍ତି ହେଲେ ଦାନ୍ତ ଚିପି ଚିପି। ଦେଖାଯାଉ ଧର୍ମ କାହାକୁ ସହୁଛି। ଅବଶ୍ୟ ଦାରୁ ଫିକ୍ସିଂ ଖେଳରେ ରସିକିଆ କବିବର ଅରୁଣ ସାହୁଙ୍କ ନାଁଟା ସିନା କୁହାଯାଉଛି। ହେଲେ ମୁଖ୍ୟ କଳାକାର ପ୍ରଚ୍ଛଦପଟ୍ଟରେ ରହିଛନ୍ତି। ୨୦୧୫ରେ ଉଠିଥିବା ଏଇ ନାଁ ଦେଖାଯାଉ ୨୦୧୮ରେ କାହା ତୁଣ୍ଡରୁ ବାହାରୁଛି। ଆଉ ତାଙ୍କୁ ଧର୍ମ ସହୁଛି କି ନାହିଁ।



from Odisha Reporter https://ift.tt/2QIxfqJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages