
ବଲାଙ୍ଗିର(ସସ୍ମିତା ସାହୁ): ସବୁବେଳେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗିର ଡାକ୍ତରଖାନା। କେତେବେଳେ ଲାଞ୍ଚ ମାମଲା ତ ଆଉ କେତେବେଳେ ମୃତ ବ୍ୟକ୍ତିଙ୍କୁ ଗୁଣିଗାରେଣି କରିବା ହେଉ। କିନ୍ତୁ ଏଥର ଅଭିଯୋଗ ପୂରା ଅଲଗା। ଡାକ୍ତରଖାନା ମୁଖିଆଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ରୋଗୀ। ମହିଳା ଜଣକ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଟଣାଓଟରା କରାଯାଇଥିବା ଥାନାରେ କରିଛନ୍ତି ଅଭିଯୋଗ।
ଘଟଣାଟି ଏମିତି। ଗତ ୩୧ ତାରିଖରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଆରତୀ ଗୁରୁ। ଛାତିରେ ଯନ୍ତ୍ରଣା ଓ ଶ୍ୱାସ ଜନିତ ସମସ୍ୟା ପାଇଁ ସେ ଆଇସିୟୁର ୫ ନମ୍ୱର ବେଡ୍ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଆଇସିୟୁ ଶୌଚାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଥିବାରୁ ସେ ଅଭିଯୋଗ କରିଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ନାରାୟଣ ଆଚାର୍ଯ୍ୟ ଆଜି ସକାଳୁ ଆଇସିୟୁକୁ ଆସି ବେଡ୍ ଉପରେ ଶୋଇ ରହିଥିବା ଶ୍ରୀମତୀ ଗୁରୁଙ୍କ ଉପରେ ଗର୍ଜିଥିଲେ। ଏପରିକି ତାଙ୍କ ହାତକୁ ଧରି ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଖୁବ୍ ଶୀଘ୍ର ରିଲିଭ କରିବାକୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିଦ କରିଥିଲେ ଡାକ୍ତର ଆଚାର୍ଯ୍ୟ।
ଶ୍ରୀମତୀ ଗୁରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର କୋଷାଧ୍ୟକ୍ଷା ହୋଇଥିବାରୁ ନିଜ ସହକର୍ମୀଙ୍କୁ ଡାକି ଟାଉନ୍ ଥାନାରେ ଆସି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳାମୋର୍ଚ୍ଚା ଚେତାବନୀ ଦେଇଛି।
ପୁଲିସ ଅଭିଯୋଗକୁ ଭିତ୍ତିକରି ମେଡିକାଲ୍ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କହିଛି। ମାତ୍ର ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି। ତେବେ ଶ୍ରୀମତୀ ଗୁରୁଙ୍କ ଅଭିଯୋଗରେ ସତ୍ୟତା ଥିବା ପାଖ ବେଡ୍ରେ ଚିକିତ୍ସିତ ହେଉଥିବା ରୋଗୀ କହିଛନ୍ତି। ଜଣେ ବୟସ୍କ ରୋଗୀଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଏପରି ଦୁର୍ବ୍ୟବହାର କରିବା ଠିକ୍ ହୋଇନାହିଁ ବୋଲି ରୋଗୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ନାରାୟଣ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ। ମୁଁ କିଛି କରିନାହିଁ କି କହିବି ନାହିଁ ବୋଲି ହାତ ହଲାଇ ସଙ୍କେତ ଦେଇଥିଲେ।
from Odisha Reporter https://ift.tt/2CXw0Qn
No comments:
Post a Comment