ନବୀନ, ରାଜ୍ୟ ସରକାର ଓ ସିବିଆଇ ମଧ୍ୟରେ ହୋଇଛି ମଧୁଚନ୍ଦ୍ରିକା: ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ନବୀନ, ରାଜ୍ୟ ସରକାର ଓ ସିବିଆଇ ମଧ୍ୟରେ ହୋଇଛି ମଧୁଚନ୍ଦ୍ରିକା: ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତଙ୍କ ନାୟକ ସାଜିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏପରି ଅଭିଯୋଗ ଆଣି ନବୀନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, “ଚିଟ୍‌ଫଣ୍ଡ ଦୁର୍ନୀତିରେ ୪୭ ଜଣ ମନ୍ତ୍ରୀ ଓ ‍ବିଧାୟକ ସାମିଲ ଅଛନ୍ତି। ସେମାନେ ଚିଟ୍‌ଫଣ୍ଡ ସଂସ୍ଥାଠାରୁ ଟଙ୍କା ନେଇଛନ୍ତି। ସେମାନେ ଟଙ୍କା ନେଇଥିବାର ପ୍ରମାଣ ଏକ ଅଡିଓ ସିଡିରେ ରହିଛି। ଯାହା ସିବିଆଇ ପାଖରେ ଅଛି। ହେଲେ ସିବିଆଇ ଏହାର ତଦନ୍ତ କରୁନାହିଁ କି ଏହି ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନବୀନ, ରାଜ୍ୟ ସରକାର ଓ ସିବିଆଇର ମଧୁଚନ୍ଦ୍ରିକାରେ ଏହାକୁ ଚପାଇ ଦିଆଯାଇଛି। ବର୍ତ୍ତମାନ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଗହଣରେ ରହି ମୁଖ୍ୟମନ୍ତ୍ରୀ ସେମାନଙ୍କ ନାୟକ ସାଜିଛନ୍ତି। ଯିଏ ଦୁର୍ନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି। ହେଲେ ଯିଏ ଦୁର୍ନୀତି କଥା ଉଠାଉଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।”

ଚିଟ୍‌ଫଣ୍ଡ ଦୁର୍ନୀତିକୁ ପଦାକୁ ଆଣିବାକୁ ସୂଚନା ଅଧିକାର କର୍ମୀମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ତାକୁ ବ୍ୟାପକ କରାଯିବ। ଏହାସହ ଓଡ଼ିଶା ସରକାରଙ୍କ ମୁଖା ଖୋଲାଯିବ ବୋଲି ଦାମ କହିଛନ୍ତି।

ନବୀନଙ୍କୁ ଟାର୍ଗେଟ

ସି-ସୋର ଓ ଅର୍ଥତତ୍ତ୍ୱର ଉଦାହରଣ ଦେଇ ଦାମ ନବୀନ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ସିବିଆଇ ତ୍ୱରାନ୍ୱିତ କରୁ ନଥିବା ଅଭିଯୋଗ ଆଣି ଭୁବନେଶ୍ୱର ସିବିଆଇ ଅଫିସ୍‌ ଆଗରେ ସୂଚନା ଅଧିକାର କର୍ମୀମାନେ ସତ୍ୟାଗ୍ରହ କରୁଛନ୍ତି। ୨୦୧୧ ମସିହାରୁ ଚିଟ୍‌ଫଣ୍ଡ ଦୁର୍ନୀତି ପଦାକୁ ଆସିଲା। କେବଳ ସି-ସୋର ସ୍ୱୀକାର କରିଛି, ୫୫୦ କୋଟି ଟଙ୍କା ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଦେଇଛି। ଏହି ଟଙ୍କା ବର୍ତ୍ତମାନ ବିଧାନସଭାରେ ଥିବା ୪୭ ଜଣ ମନ୍ତ୍ରୀ ଓ ବିଧାୟକ ନେଇଛନ୍ତି। କିଏ କାହାଠାରୁ କେତେ ଟଙ୍କା ନେଇଛନ୍ତି, ତା’ର ଏକ ଅଡ଼ିଓ ସିଡି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ପିନାକୀ ମହାନ୍ତି ବୋଲି ଜଣେ ସାମ୍ବାଦିକ ଉକ୍ତ ସିଡିକୁ ସିବିଆଇକୁ ଦେଇଥିଲେ। ୨୦୧୧ରୁ ୨୦୧୮ ହେଲାଣି, ହେଲେ ଏହାର ତଦନ୍ତ ହୋଇନାହିଁ।”

ସେ ଆହୁରି କହିଛନ୍ତି, “ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଏବଂ ତାଙ୍କ ଫାଇନାନ୍ସ ମ୍ୟାନେଜର କେସି ପାଢ଼ୀଙ୍କ ଆକାଉଣ୍ଟରୁ କାହା କହାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି, ସେନେଇ ଆଲୋକ ଜେନା ସୁପ୍ରିମକୋର୍ଟରେ ସିବିଆଇ ବିରୋଧରେ ଏକ ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେସନ ଦାଖଲ କରିଥିଲେ। ଏଥିରେ ସବୁ ତଥ୍ୟ ରହିଛି। ହେଲେ ଏହା ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।”

ଟଙ୍କାଖିଆଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି

ଚିଟ୍‌ଫଣ୍ଡ ଜରିଆରେ ହଜାର ହଜାର ଗରିବ ଓଡ଼ିଆଙ୍କ ଟଙ୍କା ହଡ଼ପ କରିଥିବା ଲୋକଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଅତିଥି ହୋଇଯିବାକୁ ନେଇ ମଧ୍ୟ ଦାମ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, “ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ ଯେତେବେଳେ ଏସ୍‌ଟିଭି ଚ୍ୟାନେଲ୍‌ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଯାଇଥିଲେ। ସେଠି ସ୍ୱର୍ଗତ ପ୍ୟାରୀ ମହାପାତ୍ର କହିଥିଲେ, ଏ ପ୍ରଶାନ୍ତ ଦାସ ବିଜୁ ବାବୁଙ୍କଠାରୁ ଆହୁରି ଅଧିକ ଶକ୍ତିଶାଳୀ ନେତା ହୋଇ ଭବିଷ୍ୟତରେ ବାହାରିବେ। ଏହା ଶୁଣି ମୁଖ୍ୟମନ୍ତ୍ରୀ ତାଳି ମାରିଲେ। ୱାଟର ସ୍ପୋର୍ଟସ ପାଇଁ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ମହାନଦୀ ଘାଟ ଯେତେବେଳେ ତାକୁ ଦିଆଗଲା, ମୁଖ୍ୟମନ୍ତ୍ରୀ ଯାଇ ତାକୁ ଲୋକାର୍ପଣ କରିଥିଲେ।”

ଦୁର୍ନୀତିଗ୍ରସ୍ତ ସିବିଆଇ ପାଖରୁ କ’ଣ ଆଶା କରାଯିବ ?

ସିବିଆଇର କାର୍ଯ୍ୟକଳାପକୁ ନେଇ ମଧ୍ୟ ଦାମ ପ୍ରଶ୍ନ ଠାଇଛନ୍ତି। ସିବିଆଇକୁ ଦୁର୍ନୀତିଗ୍ରସ୍ତ ସଂସ୍ଥା କହି ତଦନ୍ତ ସେ କ’ଣ କରିବ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “୨୦୧୧ରେ ଘଟଣା ପଦାକୁ ଆସିବା ପରେ କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଭାର ଦେଲେ। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରକାର ତଦନ୍ତ ହୋଇନାହିଁ। ବର୍ତ୍ତମାନ ଦେଖା ଯାଉଛି ଭାରତ ସରକାରଙ୍କ ସର୍ବବୃହତ ଦୁର୍ନୀତିଗ୍ରସ୍ତ ସଂସ୍ଥା ହେଉଛି ସିବିଆଇ। ଦୁର୍ନୀତି ଅଭିଯୋଗରେ ସିବିଆଇ ନିଜ ଅଫିସରଙ୍କ ଘରେ ଚଢ଼ଉ କରୁଛି। ଏପରି ସ୍ଥିତିରେ ତାଙ୍କ ପାଖରୁ କ’ଣ ଆଶା କରାଯିବ।”

ଜନମତକୁ ଚପାଇ ଦିଆଯାଉଛି

ଜନମତକୁ ଚପାଇ ଦିଆଯାଉଥିବା ଦାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଏଠାରେ ଜନମତକୁ ଚାପି ଦିଆଯାଉଛି। ପିନାକୀଙ୍କ ପରି ଆଉ କିଛି ଯୁବକ ସ୍ୱର ଉଠାଲେ ଓ ଗଣମାଧ୍ୟମ ବନ୍ଧୁମାନେ ସଂକଳ୍ପବଦ୍ଧ ଭାବେ ଦୁର୍ନୀତି ହଟାଇବାକୁ କିଛି ପଦକ୍ଷେପ ନେଲେ ଓଡ଼ିଶାରେ କିଛି ଜନ ଜାଗରଣ ସୃଷ୍ଟି ହୋଇପାରିବ। ଜନମତକୁ ଚାପିବାକୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ବଡ଼ ଦୁର୍ଭାଗ୍ୟର କଥା।”

ସେ ଆହୁରି କହିଛନ୍ତି, “ଏବେ ବି ନୂଆ ନୂଆ ଚିଟ୍‌ଫଣ୍ଡ ସଂସ୍ଥା ଆସୁଛନ୍ତି। ହେଲେ ଏହାକୁ ପ୍ରତିରୋଧ କରାଯାଉନାହିଁ। ଏ ଓଡ଼ିଶା ସରକାର ଚିଟ୍‌ଫଣ୍ଡ ସଂସ୍ଥା ସହ ମଧୁଚନ୍ଦ୍ରିକା କରିଛନ୍ତି। ଓଡ଼ିଶା ସରକାରଙ୍କ କ୍ରାଇମବ୍ରାଞ୍ଚ ଡଣ୍ଡକୁରୀ ମାଛ ଧରିବାକୁ ବ୍ୟସ୍ତ ହେଉଛନ୍ତି, ହେଲେ ବାଳିଆ ମାଛ ତାଙ୍କ ଆଗରେ ଖସି ଯାଉଥିଲେ ବି ତାଙ୍କର କିଛି କରୁନାହାନ୍ତି। ଏଠି ଅଦ୍ଭୁତ ଶାସନ ଚାଲିଛି। ଯିଏ ସ୍ୱର ଉଠାଉଛି, ତାକୁ ଚାପି ଦିଆଯାଉଛି।”

ସରକାର ସ୍ୱଚ୍ଛତା ଦେଖାନ୍ତୁ

ଯଦି ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ଠିକ୍‌ରେ କରୁନାହିଁ, ତେବେ ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ଜଣାଇ ନିଜ ସ୍ୱଚ୍ଛତା ଦେଖାନ୍ତୁ ବୋଲି ଦାମ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ରାଜ୍ୟ ସରକାର ଏ ବିଷୟରେ କେନ୍ଦ୍ର ସରକାରଙ୍କ ପାଖରେ ଆପତ୍ତି କରନ୍ତୁ ଓ ରାଜ୍ୟରେ ହେଉଥିବା ଦୁର୍ନୀତିକୁ ସିବିଆଇ ଘଣ୍ଟ ଘୋଡାଉଥିବା କୁହନ୍ତୁ। ଏପରି କହି ରାଜ୍ୟ ସରକାର ନିଜ ସ୍ୱଚ୍ଛତା ଦେଖାନ୍ତୁ। ହେଲେ ରାଜ୍ୟ ସରକାର ସିବିଆଇର ବଡ଼ ଅଫିସରଙ୍କ ସହ ସଳାସୁତରା କରି ଅଡିଓ ସିଡିରେ ଥିବା ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତା’ପାଖରୁ ନ୍ୟାୟ ଆଶା କେମିତି କରିବା ?”

ଦାବି ରଖିଲେ ଦାମ

ରାଜ୍ୟ ସରକାର ଓ ସିବିଆଇକୁ ଟାର୍ଗେଟ କରିବା ସହ ଦାମ ନିଜ ଦାବି ରଖିଛନ୍ତି। ସେ କହିଛନ୍ତି, “ସିବିଆଇ ଯଦି ଚିଟ୍‌ଫଣ୍ଡ ଦୁର୍ନୀତି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ତେବେ କେନ୍ଦ୍ର ସରକାର ସିବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ସିବିଆଇ ମଧ୍ୟରେ ଯେଉଁ ସଲାସୁତରା ହୋଇଛି କେନ୍ଦ୍ର ତା’ର ପର୍ଦ୍ଦାଫାସ୍‌ କରନ୍ତୁ।”



from Odisha Reporter https://ift.tt/2E3VcpI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages