ଓଡ଼ିଶା ପାଇଁ ରାହୁ ସାଜିଛନ୍ତି ଶକ୍ତି ସଚିବ, ହଜାରେ କୋଟିର କିକବ୍ୟାକ୍: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଓଡ଼ିଶା ପାଇଁ ରାହୁ ସାଜିଛନ୍ତି ଶକ୍ତି ସଚିବ, ହଜାରେ କୋଟିର କିକବ୍ୟାକ୍: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ବିଦ୍ୟୁତ୍ ବିତରଣ କମ୍ପାନୀ ସେସୁର ପରିଚାଳନା ଭାର ଏକ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ ହଜାରେ କୋଟି ଟଙ୍କାର କିକବ୍ୟାକ୍ ହୋଇଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ମେକ୍ ଇନ୍ ଓଡିଶା କନକ୍ଲେଭର ଅବ୍ୟବହିତ ପୂର୍ବରୁ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଜୁଳି ବିତରଣ ନେଇ ବିଜେପି ଏଭଳି ବଡ଼ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛି ।

ଦଳର ରାଜ୍ୟ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ସଙ୍ଗିନ ଅଭିଯୋଗ ଆଣି କହିଛନ୍ତି ଯେ ଓଡ଼ିଶାର ଶକ୍ତି କ୍ଷେତ୍ର ପାଇଁ ଶକ୍ତି ସଚିବ ହେମନ୍ତ ଶର୍ମା ରାହୁ ସାଜି ରାଜ୍ୟବାସୀଙ୍କୁ ଅନ୍ଧକାରରେ ରଖି ୧୦୦୦କୋଟି ଟଙ୍କାର ମହାଦୁର୍ନୀତିର ଷଡ଼ଯନ୍ତ୍ର ରଚିଛନ୍ତି। ସେସୁର ବିଡିଂ କ୍ଲଜ୍ କୋହଳ କରି, ବିଦ୍ୟୁତ ବିତରଣ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଇଣ୍ଡିଆ ପାୱାର୍ ଭଳି ଛୋଟ କମ୍ପାନୀକୁ ଟେକ୍ନିକାଲ ବିଡି଼ଂ ପ୍ରକ୍ରିୟାରେ ଶର୍ଟଲିଷ୍ଟ କରିଛନ୍ତି। ଶ୍ରୀ ଶର୍ମା ଏହି ବିଡିଂ ଇଭାଲ୍ୟୁଏସନ୍ କମିଟିର ମୁଖ୍ୟ ଅଛନ୍ତି।

‘ଅନଭିଜ୍ଞ ଓ କଳାତାଲିକାଭୁକ୍ତ କମ୍ପାନୀ ହାତରେ ‘ସେସୁ’କୁ ଟେକି ଦେବା ପାଇଁ ମସୁଧା’

ରାଜ୍ୟର ପ୍ରାୟ ୨୨ଲକ୍ଷ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ କରୁଥିବା କମ୍ପାନୀ ‘ସେସୁ’ର ପରିଚାଳନା ଭାର ଏକ ଅନଭିଜ୍ଞ ଓ କଳାତାଲିକାଭୁକ୍ତ କମ୍ପାନୀ( ଇଣ୍ଡିଆ ପାୱାର୍) ହାତରେ ଟେକି ଦେବା ପାଇଁ ସରକାର ଏଭଳି ନିୟମ କରିଛନ୍ତି ଯେପରି ଦେଶର ବଛା ବଛା ଶକ୍ତି ବିତରକ କମ୍ପାନୀମାନେ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ଏବେ ସୁଦ୍ଧା ଦୌଡ଼ରେ ମାତ୍ର ୨ଟି କମ୍ପାନୀ ଥିବାବେଳେ ରାଜ୍ୟ ସରକାର ୩୦ବର୍ଷ ପାଇଁ ଏହି ଅପେକ୍ଷାକୃତ ଛୋଟ କମ୍ପାନୀକୁ ଠିକା ଦେବା ପାଇଁ ଯାଉଛନ୍ତି। ଏହି କମ୍ପାନୀ ପାଖରେ ହଜାରେ ଗ୍ରାହକଙ୍କୁ ବିଜୁଳି ଯୋଗାଇବାର କ୍ଷମତା ନଥିବାବେଳେ କିଭଳି ୨୨ଲକ୍ଷ ଗ୍ରାହକଙ୍କୁ ଯୋଗାଇବ ତାହା ଉପରେ ଡଃ ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି।

ଏହି କମ୍ପାନୀକୁ ସେସୁର ପରିଚାଳନା ଦାୟିତ୍ୱ ମିଳିଲେ ପ୍ରାୟ ୩୦୦କୋଟି ଟଙ୍କା ଲାଭ ପାଇବ। ୩୦ବର୍ଷର ଲିଜ୍ ଅବଧି ପାଇଁ ଏହି ଘରୋଇ କମ୍ପାନୀ ପ୍ରାୟ ୧୦ହଜାର କୋଟି ଟଙ୍କା ଲାଭ ପାଇବାକୁ ଥିବାରୁ ୧୦ପ୍ରତିଶତ ରାଶି କିକବ୍ୟାକ୍ ହୋଇଥିବା ବିଜେପି ଆଶଙ୍କା କରୁଛି। କେବଳ ଏହି କିକବ୍ୟାକ୍ ଯୋଗୁ ଏବେ ଉକ୍ତ ଘରୋଇ କମ୍ପାନୀ ଇଣ୍ଡିଆ ପାୱାର୍-ଫେଡକୋ ହାତରେ ସେସୁକୁ ଟେକି ଦେବାକୁ ମସୁଧା କରୁଛନ୍ତି ବୋଲି ଡଃ ସାମନ୍ତସିଂହାର କହିଛନ୍ତି।

ଡଃ ସାମନ୍ତସିଂହାର ସିଧାସଳଖ ଶକ୍ତି ସଚିବ ଶ୍ରୀ ଶର୍ମାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡ଼ିଶାର ଶକ୍ତି କ୍ଷେତ୍ରର ଭିତ୍ତିଭୂମିର ବିପର୍ଯ୍ୟୟ ପାଇଁ ଶକ୍ତି ସଚିବ ହେମନ୍ତ ଶର୍ମା ସିଧାସଳଖ ସମ୍ପୂର୍ଣ୍ଣ ଭାବେ ଦାୟୀ। ସାତ ସାତଟି ଗୁରୁତ୍ୱପୂର୍ଣ୍ଣ ପଦବୀ- ଶକ୍ତି ସଚିବ, ‘ଗ୍ରୀଡକୋ’, ‘ଓପିଟିସିଏଲ୍’, ‘ସେସୁ’ର ସିଏମଡି, ୩ ବିଦ୍ୟୁତ୍ ବିତରଣ ସଂସ୍ଥା ‘ୱେସ୍କୋ’, ‘ନେସ୍କୋ’ ଓ ‘ସାଉଥକୋ’ର ଚେୟାରମ୍ୟାନ-ଦାୟିତ୍ୱରେ ଥିଲାବେଳେ ଲୋକଙ୍କୁ ଦିନକୁ ମାତ୍ର ୧୯ ଘଣ୍ଟା ବିଜୁଳି ମିଳୁଛି। ଓଡ଼ିଶାର ଟି ଆଣ୍ଡ ଡି କ୍ଷତି ୪୧%, ଯାହା ଅନ୍ୟ ରାଜ୍ୟ ଠାରୁ ଓ ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ। ଶକ୍ତି ସଚିବ ଶ୍ରୀ ଶର୍ମା ଏବେ ‘ସେସୁ’କୁ ବିକ୍ରି କରି ଅନାମଧେୟ ଘରୋଇ କମ୍ପାନୀ ହାତରେ ଆଗାମୀ ୩୦ ବର୍ଷ ପାଇଁ ଓଡ଼ିଶାର ବିଜୁଳି ବ୍ୟବସ୍ଥାକୁ ଟେକି ଦେଇ ସେଥିରୁ ୧୦୦୦ କୋଟି ଟଙ୍କାର ପିସି ଖାଇବାର ମହାଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ସିଧା ଅଭିଯୋଗ କରିଛନ୍ତି।

‘ଗରିବଙ୍କୁ ଶସ୍ତା ବିଜୁଳିି ଦେବା ନାଁରେ ମହାଜନୀ ବେପାର’

ଓଡିଶାରେ ରାଜ୍ୟ ସରକାର ଗରିବଙ୍କୁ ଶସ୍ତା ବିଜୁଳିି ଦେବା ନାଁରେ ମହାଜନୀ ବେପାର କରୁଛନ୍ତି। ଆନ୍ଧ୍ର ଓ ଗୁଜରାଟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ଦର ଢେର ଅଧିକ। ରାଜ୍ୟ ସରକାର ଶସ୍ତା ବିଜୁଳି ନାଁରେ ସାଧାରଣ ଗରିବ ଲୋକଙ୍କୁ ଠକୁଛନ୍ତି। ଓଡିଶାରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଜୁଳି କାଟ ହେଉଛି। ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ବି ଓଡ଼ିଶାରେ ନାହିଁ। ରାଜ୍ୟରେ ମାତ୍ର ୨ଟି ୪୦୦ କେଭି ପାଓାରଷ୍ଟେସନ ଥିବାବେଳେ ଏହି ସଂଖ୍ୟା ଗୁଜରାଟରେ ୧୭ ଓ ତେଲେଙ୍ଗାନାରେ ୧୧ ଟି ରହିଛି। ଏଥିରୁ ଶିଳ୍ପ ପାଇଁ ରାଜ୍ୟ ସରକାର କେତେ ଗୁରୁତ୍ୱ ଦେଉଛନ୍ତି, ତାହା ସ୍ପଷ୍ଟ ହେଉଛି।

ସେହିପରି ଗ୍ରାମୀଣ ବିଜୁଳି ସଂଯୋଗ ପାଇଁ କେନ୍ଦ୍ର ସରକାର ୮୦୭୭ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ସେହି ଅର୍ଥରୁ ୪୦୦୦ କୋଟି ଟଙ୍କାରେ ତ ସରକାର ଆଦୌ ହାତ ମାରିନାହାନ୍ତି। କେବଳ ‘ସୌଭାଗ୍ୟ’ ଯୋଜନାରେ ରାଜ୍ୟ ସରକାର ୫୦୯ କୋଟି ଟଙ୍କା ହରାଇବାକୁ ଯାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।



from Odisha Reporter https://ift.tt/2z2X91L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages