
ନୀଳଗିରି (ବିଶ୍ୱମ୍ଭର ଦାସ): ଝିଆରୀ ପ୍ରେମରେ ବାଧକ ସାଜୁଥିଲେ ଦାଦା! ଯାହାଫଳରେ ମାମଲା ଯାଇ ପହଞ୍ଚିଥିଲା ଥାନାରେ। ଏହାକୁ ନେଇ ପ୍ରେମିକ ଓ ପ୍ରେମିକାଙ୍କ ପରିବାର ମଧ୍ୟରେ ବଢ଼ିଲା ତିକ୍ତତା। ଶେଷରେ ଝିଆରୀର ପ୍ରେମ ପାଇଁ ବଳି ପଡ଼ିଲେ ଦାଦା! ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।
ପୂରା ଘଟଣା ଏମିତି। ନୀଳଗିରି ବ୍ଲକ ବାରମ୍ପୁର ଥାନା ସାନନୂଆଗାଁର ଜଗନ୍ନାଥ କବାଟ ଓ ଭାଲୁଆ କବାଟ ଦୁଇ ପଡ଼ୋଶୀ। ଜଗନ୍ନାଥ କବାଟଙ୍କ ପୁଅ ସହ ଭାଲୁଆ କବାଟଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହାକୁ ଭାଲୁଆଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ଏ ନେଇ ୨୦୧୭ ମସିହାରେ ଥାନାରେ ଏକ ମାମଲା ରୁଜୁ ମଧ୍ୟ ହୋଇଥିଲା। ପୁଲିସ ଏହି ମାମଲାରେ ଜଗନ୍ନାଥଙ୍କ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।
ଗତ ୨୨ ତାରିଖ ସନ୍ଧ୍ୟା ଭାଲୁଆ କବାଟ ନିଶାସକ୍ତ ଅବସ୍ଥାରେ ଏକ କଟୁରି ଧରି ଜଗନ୍ନାଥଙ୍କ ଘରେ ପଶି ଗାଳି ଦେବା ସହିତ ମାରିଦେବାକୁ ଧମକ ଦେଇଥିଲେ। ଏହି ସମୟରେ ଜଗନ୍ନାଥ କବାଟଙ୍କ ପରିବାର ଲୋକେ ଭାଲୁଆକୁ ବାନ୍ଧି ମାଡ଼ ମାରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଭାଲୁଆଙ୍କ ମୃତ୍ୟୁ ଘଟିଛି।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଜଗନ୍ନାଥ କବାଟଙ୍କ ପରିବାରର ୭ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2RclWqX
No comments:
Post a Comment