ଭୁବନେଶ୍ୱରରେ ଚାଲିଛି ଶ୍ରୀ ଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ ପ୍ରଦର୍ଶନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଭୁବନେଶ୍ୱରରେ ଚାଲିଛି ଶ୍ରୀ ଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ ପ୍ରଦର୍ଶନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀ ଜଗନ୍ନାଥଙ୍କ ସବୁଠାରୁ ଦାମିକା ବେଶ ଏବେ ଭୁବନେଶ୍ୱରରେ । ଆଗାମୀ ୩ ଦିନ ପାଇଁ ଆପଣ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ। ସତ ସତିକା ଅଳଙ୍କାର ନ ହେଲେ ମଧ୍ୟ ସୋଲ ସାଜରେ ଶ୍ରୀ ହସ୍ତ, ଶ୍ରୀପୟର ଲଗାଇ ବଡ଼ ଠାକୁର ବେଶ ହୋଇଛନ୍ତି। କାଳିଆର ଏହି ଚମତ୍କାର ବେଶ ଦର୍ଶନ ପାଇଁ ସକାଳ, ସଞ୍ଜରେ ଭୀଡ ଲାଗୁଛି ଭୁବନେଶ୍ୱର ନାଲ୍‌କୋ ଛକସ୍ଥିତ ନାଲ୍‌କୋ କମ୍ୟୁନିଟି ସେଣ୍ଟରରେ।

ଜଗନ୍ନାଥ ପ୍ରେମିମାନଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରୀମନ୍ଦିର ଇତିହାସରେ ବିଲୁପ୍ତ ଭାବେ ଗଣନା ହେଉଥିବା ରଘୁନାଥ ବେଶ ପ୍ରଦର୍ଶନୀ ଆୟୋଜନ କରିଛଇ ନୀଳାଦ୍ରୀ ଆଧ୍ୟାତ୍ମିକ ଟ୍ରଷ୍ଟ ।

ରତ୍ନସିଂହାସନରେ ଆରୁଢ ଚତୁର୍ଦ୍ଧା ମୂର୍ତ୍ତି ରାମ, ଲକ୍ଷ୍ମଣ ଓ ଶାନ୍ତା(ଶ୍ରୀ ରାମଙ୍କ ଭଉଣୀ) ରୂପରେ ବିଦ୍ୟାମାନ ହୋଇଛନ୍ତି। ଶ୍ରୀ ବଳଭଦ୍ର ଲକ୍ଷ୍ମଣ ରୂପରେ ଓ ଶ୍ରୀ ଜଗନ୍ନାଥ ରାମ ରୂପେ ଧନୁ ଓ ତୀର ଧାରଣ କରି ବସିଛନ୍ତି। ଜଗନ୍ନାଥ ମହାପ୍ରଭୁ ଗୋଟିଏ ଗୋଡ ମୋଡି ବସିଥିବା ବେଳେ ତାଙ୍କ ଜାନୁରେ ମହାଲକ୍ଷ୍ମୀ ସୀତା ଭାବେ ବସିଛନ୍ତି। ସୁଭଦ୍ରାଙ୍କୁ ଶ୍ରୀରାମଙ୍କ ଭଗ୍ନୀ ଶାନ୍ତା ଭାବେ ବେଶ କରାଯାଇଛି। ଦେବୀ ସୁଭଦ୍ରା ଏକ ପଦ୍ମ କଢ ଧାରଣ କରି ଛିଡା ହୋଇଥିବା ମୁଦ୍ରାରେ ରହିଛନ୍ତି। ଶ୍ରୀ ସୁଦର୍ଶନ ସାଧା ବେଶରେ ରହିଥିବା ବେଳେ ରତ୍ନସିଂହାନ ତଳେ ରାମାୟଣରେ ବର୍ଣ୍ଣିତ ହନୁମାନ, ଜାମ୍ବବାନ୍‌, ଭରତ, ଶତ୍ରୁଘ୍ନ, ବ୍ରହ୍ମା, ଶିବ ଓ ବାନର ସେନାର ଅନ୍ୟ ଚରିତ୍ରମାନ ସ୍ଥାନ ପାଇଛନ୍ତି।

ବେଶ ବାଦ୍‌ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁଖିଲା ପ୍ରସାଦ ଓ ଆଧ୍ୟାତ୍ମିକ ଆଲୋଚନା ଚକ୍ରର ଆୟୋଜନ କରାଯାଉଛି। ପ୍ରତ୍ୟହ ସନ୍ଧ୍ୟାରେ ଏହି ଆଲୋଚନା ଚକ୍ର, ଭଜନ ସାମାରୋହ ଆୟୋଜିତ ହେଉଥିବା ବେଳେ ଶନିବାର ପୂର୍ବହ୍ନ ଅଧିବେଶନରେ ଭାରତର ପ୍ରସିଦ୍ଧ ମନ୍ଦିରମାନଙ୍କରେ ବେଶ ପରମ୍ପରା ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଗବେଷକ ଡକ୍ଟର ଭାସ୍କାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସଂସ୍କୃତି ଗେବେଷକମାନେ ନିଜ ସନ୍ଧର୍ଭ ପାଠ କରିଥିଲେ। ଓଡ଼ିଶାରୁ ଡକ୍ଟର ବିଜୟ ନାରାୟଣ ରାମାନୁଜ ଦାସ, ପ୍ରଫେସର ପ୍ୟାରୀ ପଟ୍ଟନାୟକ, ଅସିତ ମହାନ୍ତି ପ୍ରମୁଖ ନିଜ ମତ ରଖିଥିଲେ।

ଉଦ୍‌ଘାଟନୀ ଉତ୍ସବକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ନାଲ୍‌କୋ ସିଏମ୍‌ଡି ତପନ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

କ’ଣ ଏହି ରଘୁନାଥ ବେଶ

ପରମ୍ପରା ମୁତାବକ ପ୍ରତିବର୍ଷ ରାମାଭିଷେକ ସମୟରେ ଏହି ବେଶ ଶ୍ରୀଜିଉମାନଙ୍କୁ କରାଯିବାର ବିଧି ରହିଛି। ଜଗନ୍ନାଥାଦି ବିଗ୍ରହମାନଙ୍କୁ ରାମ ବେଶରେ ସଜାଇ ଦିଆଯାଏ ଓ ରାଜାଭିଷେକ ନୀତି ସମ୍ପନ୍ନ ହୁଏ।  କିନ୍ତୁ ସ୍ୱାଧୀନତା ପରେ ଏହି ବେଶ ଥରୁଟିଏ ମଧ୍ୟ ହୋଇ ନାହିଁ। ଏହା ଏକ ବ୍ୟୟବହୂଳ ବେଶ ଓ ଏଥିରେ ଉତ୍ତରଭାରତରୁ ସଂଖ୍ୟାଧିକ ଯାତ୍ରୀଙ୍କ ଆଗମନ ହେଉଥିବାରୁ ଏହି ବେଶ କରାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡି ପାରୁ ନାହାନ୍ତି ବୋଲି ଚର୍ଚ୍ଚା ହୁଏ।

ଇତିହାସ

କେତେକଙ୍କ ମତରେ ଏହି ବେଶର ଆରମ୍ଭ କର୍ତ୍ତା ହେଉଛନ୍ତି ରାମାନୁଜାଚାର୍ଯ୍ୟ। କିନ୍ତୁ ଦ୍ୱାଦଶ ଶତାଦ୍ଦୀ ପରଠାରୁ ଏହି ବେଶ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ନାହିଁ । ଗବେଷକ ସ୍ୱର୍ଗିୟ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଖ୍ରୀଷ୍ଟିୟ ଶୋଷଡ ଶତାଦ୍ଦୀରେ ଏହି ବେଶ ଆରମ୍ଭ ହୋଇଥିଲା। ଓଡ଼ିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକାରେ ଏ ସମ୍ପର୍କିତ ଶେଷ ଖବର ପ୍ରକାଶିତ ହୋଇଥିଲା। ଏହାର ତଥ୍ୟକୁ ଆଧାର କରି କୁହାଯାଏ ଯେ, ୧୯୦୫ ଏପ୍ରିଲ ୬ ତାରିଖରେ ଏହି ବେଶରେ ଶେଷ ଥର ପାଇଁ ଶ୍ରୀଜିଉମାନେ ଦର୍ଶନ ଦେଇଥିଲେ। ସେ ସମୟରେ ଏହି ବେଶ ଦର୍ଶନ ପାଇଁ କେବଳ ମନ୍ଦିର ବେଢାରେ ୬୦ ହଜାର ଲୋକ ରହିଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା। ଯାହାକୁ ଦେଖି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ବ୍ୟବସ୍ଥା ଫେଲ୍‌ ହୋଇଯାଇଥିଲା। ଏମିତି ବି କୁହାଯାଏ ଯେ, ରତ୍ନଭଣ୍ଡାରେ ନିର୍ଦ୍ଧିଷ୍ଟ ଗୋଟିଏ କୋଠରୀରେ ଦୁମୂଲ୍ୟ ମଣି ମାଣିକ୍ୟ ରହିଛି। ଯାହା କେବଳ ରଘୁନାଥ ବେଶରେ ହିଁ ବ୍ୟବହାର ହୋଇଥାଏ।

କେତେଥର ହୋଇଛି ଏହି ବେଶ

୧୫୭୭ ମସିହା, ୧୭୩୯ ମସିହା, ୧୮୦୯ ମସିହା(୧୨୧୬ ସାଲ), ୧୮୪୨(୧୨୪୯ ସାଲ), ୧୮୫୦ ମସିହା, ୧୮୯୩  ଓ ୧୮୯୬(ଗଜପତି ମୁକୁନ୍ଦ ଦେବଙ୍କ ସମୟରେ) ଓ ୧୯୦୫ ମସିହାରେ ଏହି ବେଶ ହୋଇଥିବା ବିଭିନ୍ନ ଦସ୍ତାବିଜ୍‌ରୁ ପ୍ରମାଣ ମିଳେ।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ଏହି ମୂର୍ତ୍ତି ବି ସଜ୍ଜିତ ହୁଅନ୍ତି

ରତ୍ନ ସିଂହାସନାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ସିଂହାସନ ତଳେ ଭରତ, ବିଭିଷଣ, ସୁଷେଣ, ଦଧିମୁଖ, ନଳ, ଜାମ୍ବବାନ, ଶତ୍ରୁଘ୍ନ, ସୁବ୍ରୀବ, ଅଙ୍ଗଦ, ବାୟୁମୁଖ, ହନୁମାନ, ନୀଳ, ନାରଦ, ଇନ୍ଦ୍ର, ମ୍ରହ୍ମା, କୁବେ, ନୈରୁତ, ବଶିଷ୍ଟ, ବାମଦେବ, ଜାବାଳୀ, କଷ୍ୟପ, କାତ୍ୟାୟନ, ସୁଯଜ୍ଞ, ଗୌତମ, ବିଜୟ, ବାୟୁ, ଗବୟ, ଋଷଭ, ଦ୍ୱିବିଧ, ନିୟୁଧ, ସୁମନ୍ତ ପ୍ରଭୃତ୍ତି ରାମାୟଣ ବର୍ଣ୍ଣିତ ଚରିତ୍ରଗୁଡିକ ସ୍ଥାନୀତ ହୋଇଥାନ୍ତି।



from Odisha Reporter https://ift.tt/2qFFPLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages