
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଏଲିଟ୍ ପର୍ଯ୍ୟାୟ ଗ୍ରୁପ୍ “ସି”ର ଉତ୍ତର ପ୍ରଦେଶ ବିପକ୍ଷରେ ଓଡ଼ିଶା ଏକ ଶୋଚନୀୟ ପରାଜୟ ବରଣ କରିଛି। ସ୍ଥାନୀୟ କିଟ୍ ଷ୍ଟାଡିୟମରେ ଓଡ଼ିଶା ମ୍ୟାଚ୍ ଖେଳୁଥିଲେ ହେଁ ଘରୋଇ ପରିବେଶର ଫାଇଦା ଉଠାଇ ନ ପାରି ଚଳିତ ରଣଜୀ ସିଜିନ୍ରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମ୍ୟାଚ୍ଟିକୁ ସହଜରେ ୧୦ ୱିକେଟ୍ରେ ଜିତି ନେଇଛି।
ଆଜି ମ୍ୟାଚର ଶେଷ ଦିବସରେ ଜିତିବାକୁ ଉତ୍ତର ପ୍ରଦେଶ ଆଗରେ ୪୪ ରନ୍ ଟାର୍ଗେଟ ଥିବା ବେଳେ ଏହାକୁ ଦଳ ବିନା କୌଣସି କ୍ଷତିରେ ହାସଲ କରି ନେଇଛି। ଏହି ବିଜୟ ସହ ଉତ୍ତର ପ୍ରଦେଶ ଚଳିତ ରଣଜୀ ସିଜିନ୍ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।
ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୫୬ କରିଥିବା ବେଳେ ଉତ୍ତର ପ୍ରଦେଶ ଅଧିନାୟକ ଅକ୍ଷଦୀପଙ୍କ ଆକର୍ଷଣୀୟ ୧୫୯କୁ ଆଧାର କରି ୪୩୭ ରନ୍ କରିଥିଲା। ଫଳରେ ଦଳ ୧୫୧ ରନ୍ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ତଥାପି ଓଡ଼ିଶା ପକ୍ଷରୁ ଅଭିଜ୍ଞ ଦ୍ରୁତ ବୋଲର୍ ବସନ୍ତ ମହାନ୍ତି ଏକାକୀ ୬ ଜଣ ଉତ୍ତର ପ୍ରଦେଶର ବ୍ୟାଟସ୍ମ୍ୟାନ୍ଙ୍କୁ ଆଉଟ୍ କରିଥିଲେ।
ପ୍ରଥମ ଇନିଂସ୍ ପରି ଓଡ଼ିଶା ଦ୍ୱିତୀୟ ଇନିଂସ୍ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୭ ୱିକେଟ୍ ହରାଇ ୧୮୦ ରନ୍ କରିପାରିଥିଲା। ଆଜି ସକାଳୁ ଦଳୀୟ ସ୍କୋରରେ ମାତ୍ର ୪୧ ରନ୍ ଯୋଡ଼ି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସନ୍ଦୀପ ପଟ୍ଟନାୟକ ୪୬ ଓ ଶାନ୍ତନୁ ମିଶ୍ର ୩୭ ରନ୍ କରିଥିଲେ।
ସେହିପରି ଉତ୍ତର ପ୍ରଦେଶ ପକ୍ଷରୁ ଶିଭମ ମାଭି ୫ଟି ଓ ଅଙ୍କିତ ରାଜପୁତ ୪ଟି ୱିକେଟ୍ ନେଇଥିବା ବେଳେ ୟଶ ଦୟାଲ ଗୋଟିଏ ୱିକେଟ ଦଖଲ କରିଥିଲେ।
ଓଡ଼ିଶା ଉତ୍ତର ପ୍ରଦେଶକୁ ଦେଇଥିବା ୪୪ ରନ୍ର ଟାର୍ଗେଟକୁ ଦଳ ମାତ୍ର ୧୨.୫ ଓଭର୍ରେ ହାସଲ କରି ୧୦ ୱିକେଟ୍ରେ ବିଜୟୀ ହୋଇଥିଲା।
ଓଡ଼ିଶା ଏହା ପୂର୍ବରୁ ହରିଆଣା ସହ ମ୍ୟାଚ୍ ଡ୍ର ରଖି ୧ ପଏଣ୍ଟ ପାଇଥିଲା। ଫଳରେ ଦଳ ଏବେ ରଣଜୀ ତାଲିକାର ୭ ନଂ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ବୋନସ୍ ପଏଣ୍ଟ ସହ ମ୍ୟାଚ୍ ଜିତିଥିବାରୁ ଦଳକୁ ୪ ପଏଣ୍ଟ ମିଳିଛି। ଗତ ମ୍ୟାଚ୍ରେ ମଧ୍ୟ ଦଳ ଜିତିଥିଲା। ଦଳ ଏବେ ସୁଦ୍ଧା ୭ ପଏଣ୍ଟ ହାସଲ କରିସାରିଛି।
ଓଡ଼ିଶା ନଭେମ୍ବର ୨୦ରୁ ଆସାମ ବିପକ୍ଷରେ ମ୍ୟାଚ୍ ଖେଳିବ। ଏହା ଗୌହାଟୀର ନେହୁରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
from Odisha Reporter https://ift.tt/2Dr2Dqb
No comments:
Post a Comment