ମହାପ୍ରଭୁଙ୍କୁ ବି ଛାଡ଼ିଲେନି: ଦାରୁ ଚୟନରେ ଫିକ୍ସିଂ ହୋଇଥିଲା, ଟଙ୍କା ନେଇ ଗଛ ବାଛିଥିଲେ ଦଇତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ମହାପ୍ରଭୁଙ୍କୁ ବି ଛାଡ଼ିଲେନି: ଦାରୁ ଚୟନରେ ଫିକ୍ସିଂ ହୋଇଥିଲା, ଟଙ୍କା ନେଇ ଗଛ ବାଛିଥିଲେ ଦଇତା !

ପୁରୀ (ଓଡ଼ିଶା ରିପୋର୍ଟର): “୨୦୧୫ ମସିହାରେ ଶ୍ରୀଜୀଉଙ୍କର ନବକଳେବର ହୋଇଥିଲା। ଏଥିରେ ହୋଇଥିଲା ବଡ଼ ଧରଣର ଫିକ୍ସିଂ। ଦଇତାମାନେ ପଇସା ନେଇ ଦାରୁ ଚୟନ କରିଥିଲେ।” ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଆଜି ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ମାତ୍ର ଏପରି ଅଭିଯୋଗକୁ ଦଇତାପତି ନିଯୋଗ ଅମୂଳକ ବୋଲି କହିଥିବାବେଳେ ଚୁପ୍ ରହିଛି ଶ୍ରୀମନ୍ଦିର ପ୍ରଶାସନ।

୨୦୧୫ ମସିହାରେ ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ହୋଇଥିଲା ଫିକ୍ସିଂ। ଯିଏ ଟଙ୍କା ଦେଲା, ତାଙ୍କ ଗଛ ଦାରୁ ଭାବେ ଚିହ୍ନଟ ହୋଇଥିଲା। ମହାରଣା ସେବାୟତ କୃଷ୍ଣଚନ୍ଦ୍ରଙ୍କ ଏଭଳି ସଂଗୀନ୍ ଅଭିଯୋଗ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଶହ ଶହ ବର୍ଷ ଧରି ନବକଳେବର ପ୍ରକ୍ରିୟାକୁ ନେଇ ରହିଥିବା ପ୍ରଗାଢ଼ ଧାର୍ମିକ ବିଶ୍ୱାସ ଉପରେ ପ୍ରଚଣ୍ଡ ଆଘାତ ଲାଗିଛି।

ଖାଲି ସେତିକି ନୁହେଁ, ଚିହ୍ନଟ ହୋଇଥିବା ଦାରୁ ପୋଲା ଥିଲା ବୋଲି ମଧ୍ୟ କହିଛନ୍ତି କୃଷ୍ଣଚନ୍ଦ୍ର। ଯାହାଦ୍ୱାରା ଶ୍ରୀବିଗ୍ରହଙ୍କ ନିର୍ମାଣ ସମୟରେ ମହାରଣା ସେବକମାନେ ଅସୁବିଧାରେ ପଡ଼ିଥିଲେ। ତା’ସହ କେବଳ ସୁଦର୍ଶନଙ୍କ ଦାରୁ ଛାଡ଼ି ଜଗତସିଂହପୁର ଜିଲ୍ଲାରୁ ଅନ୍ୟ ତିନି ତିନିଟି ଦାରୁ ମିଳିବା ଘଟଣା ପଛରେ ପ୍ରଶ୍ନ ଉଠାଇବା ସହ ଅର୍ଥ କାରବାର ହୋଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି କୃଷ୍ଣଚନ୍ଦ୍ର।

ମହାରଣା ସେବାୟତ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଏତିକିରେ ସରିନି। ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ପ୍ରସଙ୍ଗରେ ସେ କହିଛନ୍ତି, ବିଶ୍ୱକର୍ମା ମହାରଣାଙ୍କ ପକ୍ଷରୁ କୌଣସି ବିଳମ୍ବ ହୋଇନଥିଲା। ଦଇତାଙ୍କର ସବୁ ଭୁଲ୍। ଘଟ ପରିବର୍ତ୍ତନର ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ଶ୍ରୀବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ସାରି ଦେଇଥିଲେ। ତେଣୁ ବିଶ୍ୱକର୍ମାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର।

ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ସବୁ ଅଭିଯୋଗକୁ ଅମୂଳକ ବୋଲି କହିବା ସହ, ଶ୍ରୀବିଗ୍ରହ ନିର୍ମାଣରେ କୃଷ୍ଣଚନ୍ଦ୍ର ସହଯୋଗ କରିନଥିଲେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି। ଆଉ ଏହି ଆରୋପ-ପ୍ରତ୍ୟାରୋପ ଉପରେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଛି ଶ୍ରୀମନ୍ଦିର ପ୍ରଶାସନ।

ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି- “ଶ୍ରୀବିଗ୍ରହ ନିର୍ମାଣରେ ଆମେ କାହିଁକି ବିଳମ୍ୱ କରିବୁ? ଆମେ ଯେଉଁ ହିସାବରେ ଶ୍ରୀବିଗ୍ରହ ନିର୍ମାଣ କରିବା କଥା କରିଛୁ। ଆମ ବିରୋଧରେ ମିଥ୍ୟା ଖବର ପ୍ରଚାର କରାଯାଉଛି। ସବୁ ଭୁଲ୍‌ ପଛରେ ଦଇତାମାନେ ହିଁ ରହିଛନ୍ତି।”

ଦଇତାପତି ନିଯୋଗ ସହ-ସମ୍ପାଦକ ବିନାୟକ ଦାସ ମହାପାତ୍ର କହିଛନ୍ତି- “ନୀତି ନିୟମ ଅନୁସାରେ ଦାରୁ ଚୟନ ହୋଇଛି। କୃଷ୍ଣଚନ୍ଦ୍ର ଶ୍ରୀବିଗ୍ରହ ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ଅସହଯୋଗ କରିଥିଲେ। କୌଣସି କାର୍ଯ୍ୟ ସେ କରିନଥିଲେ। ନୂଆ ପିଲାମାନେ ସବୁ କାମ କରିଥିଲେ। ତେଣୁ ଆମକୁ ସବୁ କାମ ବୁଝିବାକୁ ପଡ଼ୁଥିଲା। ଦାରୁ ଦୟନରେ ବିଭ୍ରାଟ ହୋଇଥିବା ପ୍ରସଙ୍ଗ, ସେ ଆଗରୁ କାହିଁକି କହୁନଥିଲେ? ଏବେ କାହିଁକି କହୁଛନ୍ତି?”

ଗୋଟିଏ ପଟେ ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେଉନଥିବା ବେଳେ, ଗତକାଲି ଶ୍ରୀମନ୍ଦିର ପ୍ରଶାସନ, ୧୦ ଜଣ ସେବାୟତ ଓ ଜଣେ ମହାରଣା ସେବାୟତଙ୍କୁ ନୋଟିସ୍ ଜାରି କରିଛି। ଏଭଳି ସମୟରେ ଦେବୀ ସୁଭଦ୍ରାଙ୍କ ମୁଖ୍ୟ ମହାରଣାଙ୍କ ସଂଗୀନ ଅଭିଯୋଗ, କୁହେଳିକାକୁ ବଢ଼େଇଛି। କେବଳ ଜଗତସିଂହପୁର ଜିଲ୍ଲାରୁ ୩ଟି ଦାରୁ ଚୟନ ପଛରେ ଫିକ୍ସିଂ ହୋଇଥିଲା କି ନାହିଁ, ଏହାର ତଦନ୍ତ ହେବା ଜରୁରୀ ହୋଇପଡ଼ିଛି।



from Odisha Reporter https://ift.tt/2QHVrtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages