
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ଏହି ଚିଠିରେ କହଛନ୍ତି ଯେ ଆସନ୍ତା ଫେବୃଆରୀ ୨୦୧୯ ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରରୁ ପଲିପ୍ରପିଲିନ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ।ଏହାସହ ପ୍ରସ୍ତାବିତ ପାରାଦୀପ ପ୍ଲାଷ୍ଟିକ ପାର୍କ ଏହି ପ୍ରକଳ୍ପରୁ କଞ୍ଚାମାଲ ପାଇପାରିବ। ମାତ୍ର ଏହି ସମୟ ସୁଦ୍ଧା ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବା ଆଶଙ୍କା ଥିବା ଶ୍ରୀ ପ୍ରଧାନ କହିଛନ୍ତି। ଭାରତୀୟ ତୈଳ ନିଗମ ଓ ଇଡକୋର ଜଏଣ୍ଟ ଭେଞ୍ଚର ତୁରନ୍ତ ପ୍ରସ୍ତୁତ ହେଲେ ହିଁ ପୁଞ୍ଜି ନିବେଶକାରୀମାନଙ୍କର ଆବଶ୍ୟକତାକୁ ପୂରଣ କରା ଯାଇପାରିବ ଓ ଏହି କାମକୁ ତ୍ୱରାନ୍ୱିତ କରା ଯାଇପାରିବ।
ଇତିମଧ୍ୟରେ ଭାରତୀୟ ତୈଳ ନିଗମ ଓଡିଶା ସରକାରଙ୍କୁ ସାମିଲ କରି ଚେନ୍ନାଇ, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱର ଆଦି ସ୍ଥାନରେ ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ରୋଡ ଶୋ’ ଆୟୋଜିତ କରିଛି।ଏହା ଦ୍ୱାରା ଅନେକ ପୁଞ୍ଜି ନିବେଶକାରୀ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପୁଞ୍ଜିନିବେଶ ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଛଅଟି କମ୍ପାନୀ ପ୍ରକଳ୍ପ ପାଇଁ ଭୂମି ଯୋଗାଇ ଦେବାକୁ ଆବେଦନ କରିଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି ଇତିମଧ୍ୟରେ ଭାରତୀୟ ତୈଳ ନିଗମ ଅଗଷ୍ଟ ୨୦୧୮ରୁ ଇଡକୋ ସହ ଜଏଣ୍ଟ ଭେଞ୍ଚର ପାଇଁ ନୀତି ଆୟୋଗର ଏନଓସି ଲାଭ କରି ସାରିଛି । ଏହାର ନାମ ପାରାଦୀପ ପ୍ଲାଷ୍ଟିକ ପାର୍କ ଲିମିଟେଡ ରହିବ ଓ ଏଥି ପାଇଁ ସାର ଓ ରସାୟନ ମନ୍ତ୍ରଣାଳୟ ଭିତ୍ତିଭୂମି ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଂଜୁର କରି ସାରିଛି।
ଏହି ପ୍ରକଳ୍ପ ପାଇଁ ଜଏଣ୍ଟ ଭେଞ୍ଚର ସ୍ୱାକ୍ଷର ପାଇଁ ଓଡିଶା ସରକାର ଅନୁମତି ଦେବା ମାତ୍ରେ ଆଇଓସିଏଲ ୩୨.୭୨ କୋଟି ଟଙ୍କା ଇକ୍ୟୁଟି ରାଶି ପ୍ରଦାନ କରିବ ବୋଲି ଶ୍ରୀ
ପ୍ରଧାନ କହିଛନ୍ତି। ଏହି ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ୨୦୧୭ ନଭେମ୍ବର ୧୬ରେ ରାଜ୍ୟ ସରକାରଙ୍କର ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ତଥା ତାଙ୍କ ନିଜ ଉପସ୍ଥିତିରେ ପେଟ୍ରୋକେମିକାଲ ଇନଭେଷ୍ଟର ସମ୍ମିଳନୀରେ ଏହି ପ୍ଲାଷ୍ଟିକ ପାର୍କ ପାଇଁ ସହମତି ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
from Odisha Reporter https://ift.tt/2raCkgf
No comments:
Post a Comment