
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରାସ୍ତାକାମ ସାଙ୍ଗକୁ ଜୋରସୋରରେ ଚାଲିଛି ସହରର ସୌନ୍ଦର୍ଯ୍ୟକରଣ। ତେବେ ଏସବୁ ଭିତରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବିଦେଶୀ ଚିତ୍ରଶିଳ୍ପୀଙ୍କ ଥ୍ରୀ-ଡି ପେଣ୍ଟିଂ।
ଶୀତୁଆ ରାତିର ଶୂନଶାନ୍ ରାସ୍ତା ଉପରେ ପଡ଼ିଥିବା ବହଳ ଅନ୍ଧାର ଭିତରେ ରାଜଧାନୀକୁ ରଙ୍ଗିନ୍ କରିବା ପାଇଁ ବାହାରି ପଡ଼ିଛନ୍ତି ବିଦେଶିନୀ। ହାତରେ ରଙ୍ଗତୁଳୀ ଧରି ଫ୍ଲାଏ ଓଭର କାନ୍ଥରେ ଆଙ୍କି ଚାଲିଛନ୍ତି ମନର ମାନଚିତ୍ର। ଶୀତକୁ ଖାତିର ନକରି ରାତିରେ ରାଜଧାନୀର ମୁକୁଳା ଛାତିରେ ବୋଳି ଚାଲିଛନ୍ତି ଭଳିକି ଭଳି ରଙ୍ଗ। ରାତି ଯେତିକି ବଢୁଥାଏ, ବିଦେଶିନୀଙ୍କ ହାତର ସ୍ପର୍ଶ ଓ ରଙ୍ଗର ରୋଲରରେ ସେତିକି ରଙ୍ଗିନ୍ ହେଉଥାଏ ରାଜଧାନୀ।
୨୦ ଫୁଟ୍ ଉଚ୍ଚ କାନ୍ଥବାଡ଼କୁ ରଙ୍ଗିନ୍ କରୁଥିବା ୫୩ ବର୍ଷୀୟା ତ୍ରାସି ଲି ଷ୍ଟମଙ୍କ ତୂଳୀ ଚାଳନା ଲୋକଙ୍କୁ ତାଜୁବ କରି ରଖିଛି। ତ୍ରାସିଙ୍କ ତୂଳୀରେ ଜୀବନ ପାଉଥିବା ଥ୍ରୀଡି ପେଣ୍ଟିଙ୍ଗ ଲୋକଙ୍କୁ ଘଡ଼ିଏ ଅଟକାଇବା ସହ ଫଟୋ ଉଠାଇବାକୁ ବାଧ୍ୟ କରୁଛି। ରାତିରେ ରାଜଧାନୀର ପରିବେଶ ସାଥ୍ ଦେଉଥିବାରୁ ଚିତ୍ର କରିବାରେ କୌଣସି ଅସୁବିଧା ହେଉନଥିବା କହିଛନ୍ତି ଚିତ୍ରଶିଳ୍ପୀ ତ୍ରାସି ଲି ଷ୍ଟମ।
ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ହେଉଥିବା ଓ୍ୱାଲ୍ ପେଣ୍ଟିଂକୁ ଆକର୍ଷଣୀୟ କରିବାକୁ ମନଧ୍ୟାନ ଲଗାଇ ଦେଇଛନ୍ତି ବିଶ୍ୱସ୍ତରର ୪ ବିଦେଶୀ ଥ୍ରୀଡି ଚିତ୍ରଶିଳ୍ପୀ। ଭୁବନେଶ୍ୱରର ପ୍ରମୁଖ ଛକ ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିବାର ଓ ଆଇଡି ମାର୍କେଟ୍ରେ ବିଭିନ୍ନ ଥିମ୍କୁ ନେଇ ଚାଲିଛି ଥ୍ରୀ-ଡି ଓ୍ୱାଲ୍ ପେଣ୍ଟିଂ।
ବିଶ୍ୱ ସ୍ତରର ପର୍ଯ୍ୟଟକ ଓ ଖେଳାଳୀଙ୍କ ମନମୋହିବାକୁ ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ୧୫ ତାରିଖ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ବିଦେଶୀଙ୍କ ସହ କାମ କରି ଅନେକ କିଛି ଶିଖୁଥିବାକୁ ମିଳୁଥିବା କହିଛନ୍ତି ସ୍ଥାନୀୟ ଚିତ୍ରକର ଓ ଛାତ୍ରଛାତ୍ରୀ। ତେବେ ରାତିରେ କାମକରୁଥିବା ଚିତ୍ରଶିଳ୍ପୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଚିତ୍ରଶିଳ୍ପୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2z2KATY
No comments:
Post a Comment