
ଅକଲାଣ୍ଡ: ଅଷ୍ଟ୍ରେଲିଆ ଟେଷ୍ଟ୍ ପୂର୍ବରୁ ଭାରତୀୟ ଟିମ୍ର କିଛି ସଦସ୍ୟ ନ୍ୟୁଜିଲ୍ୟାଣ୍ଡରେ ଏକ ଅନୌପଚାରିକ ୪ ଦିନିଆ ଟେଷ୍ଟ୍ ଖେଳିବାକୁ ଯାଇଛନ୍ତି। ଆଜିଠାରୁ ଇଣ୍ଡିଆ ‘ଏ’ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ତେବେ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍ରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ଓ ମୁରଲୀ ବିଜୟ ନ୍ୟୁଜିଲ୍ୟାଣ୍ଡ ମାଟିରେ ଫ୍ଲପ୍ ମାରିଛନ୍ତି।
ଅନ୍ୟପକ୍ଷେ ଯୁବ କ୍ରିକେଟର ପୃଥ୍ୱୀ ଶ’ ଏବଂ ହନୁମା ବିହାରୀ ସେମାନଙ୍କ ଚମକ ଦେଖାଇଛନ୍ତି।

ଆଜି ଭାରତ ପକ୍ଷରୁ ୬ ଜଣ ବ୍ୟାଟସ୍ମ୍ୟାନ୍ ବ୍ୟାଟିଂ କରିଥିବା ବେଳେ ୪ ଜଣ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ପାର୍ଥିବ ପଟେଲ୍ ୭୯ ରନ୍ କରି ଅପରାଜିତ ରହିଛନ୍ତି। ମ୍ୟାଚ୍ର ଶେଷ ବଲ୍ରେ ଜବରଦସ୍ତ ବ୍ୟାଟିଂ କରୁଥିବା ହନୁମା ବିହାରୀ ୮୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି।
ଭାରତ ଏ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୪୦ ରନ୍ କରିଛି। ପଟେଲ ଓ ବିହାରୀଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ ୬୫ ଓ ୧୯ ବର୍ଷୀୟ ପୃଥ୍ୱୀ ଶ’ ୬୨ ରନ୍ କରି ଆଉଟ୍ ହୋଇଛନ୍ତି।

ଟସ୍ ଜିତି ଭ୍ରମଣକାରୀ ଭାରତୀୟ ‘ଏ’ ଦଳ ବ୍ୟାଟିଂ କରିଥିଲା। ଶ’ ଓ ଅଭିଜ୍ଞ ମୁରଲୀ ବିଜୟ ଭଲ ଆରମ୍ଭ କରିଥିଲେ। ତେବେ ୨୮ ରନ୍ କରିଥିବା ମୁରଲୀ ବିଜୟ ବଡ଼ ସ୍କୋର କରିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ମୁମ୍ବାଇ ବ୍ୟାଟସ୍ମ୍ୟାନ୍ ଶ’ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲଙ୍କ ସହ ୫୦ ରନ୍ର ଭାଗୀଦାରି କରିବା ପରେ ବ୍ୟକ୍ତିଗତ ୬୨ ରନ୍ କରି ବାମହାତୀ ସ୍ପିନ୍ ବୋଲର ଥିଓ ଭାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ।

ଶ’ଙ୍କ ବିଦାୟ ପରେ ମୟଙ୍କଙ୍କ ସାଥ ଦେଇଥିଲେ ହନୁମା ବିହାରୀ। ଉଭୟ ତୃତୀୟ ୱିକେଟ୍ ପାଇଁ ୭୩ ରନ୍ର ଭାଗୀଦାରି କରିଥିଲେ। ମୟଙ୍କ ୧୦ଟି ଚୌକା ସହ ୨ଟି ଛକା ସହାୟତାରେ ୬୫ ରନ୍ କରିଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ରାହଣେ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କିନ୍ତୁ ୫ମ ୱିକେଟ୍ ପାଇଁ ହନୁମା ଓ ପଟେଲ ୧୩୮ ରନ୍ର ପାର୍ଟନରଶିପ୍ କରି ଦଳୀୟ ସ୍କୋରକୁ ୩୪୦ରେ ପହଞ୍ଚାଇଥିଲେ।

from Odisha Reporter https://ift.tt/2Bb23Lr
No comments:
Post a Comment