
ଗୁରୁଦାସପୁର: କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ଏବେ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ କଶ୍ମୀରର ବିଭିନ୍ନ ସ୍ଥାନରେ ରହି ଆତଙ୍କର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ମୁସା ଏବେ ପଞ୍ଜାବକୁ ଆସିଥିବା ସୂଚନା ମିଳିଛି। ହଠାତ୍ ମୁସା କାହିଁକି ପଞ୍ଜାବ ଆସିଛି, ତାକୁ ନେଇ ସୁରକ୍ଷାକର୍ମୀମାନେ ଆଲର୍ଟ ହୋଇଛନ୍ତି। କୁହାଯାଉଛି, ପଞ୍ଜାବରେ ବଡ଼ଧରଣର ଆତଙ୍କବାଦୀ ହମ୍ଲା କରିବାକୁ ମୁସା ଏଠାକୁ ଆସିଛି ଏବଂ ସେ ଅମୃତସରରେ ରହି ନିଜ ଯୋଜନାକୁ ବାସ୍ତବ ରୂପ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି।
ମୁସା ହେଉଛି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରଖିଥିବା ତଥା କଶ୍ମୀରରେ ସକ୍ରିୟ ଥିବା ଅନସର ଘଝୱାତ୍ ଉଲ୍ ହିନ୍ଦ ଆତଙ୍କବାଦୀ ସଂଗଠନର ମୁଖ୍ୟ।
ଏବେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମୁସା ଅମୃତସରରେ ଥିବା ଜଣାପଡ଼ିଛି। ଏନେଇ ପଞ୍ଜାବ ପୁଲିସ୍ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ମୁସାର ଫଟୋକୁ ଚାରିଆଡ଼େ ଜାରି କରାଯାଇଛି। ଏଥିରେ ତାକୁ ମୋଷ୍ଟ ୱାଣ୍ଟେଡ୍ ବୋଲି ଦର୍ଶାଯାଇଛି। ଯଦି କେହି ମୁସା ସମ୍ପର୍କରେ ସୂଚନା ଦେବ, ତା’ହେଲେ ତାକୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଏହାବାଦ୍ ପଞ୍ଜାବରେ ଜୈଶର ୭ ଜଣ ଆତଙ୍କବାଦୀ ମଧ୍ୟ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ତେଣୁ ଏମାନଙ୍କୁ ସହାୟତା ଯୋଗାଇ ଦେବାକୁ ମୁସା ଏଠାକୁ ଆସିଥିବା ମଧ୍ୟ ପୁଲିସ୍ ଅନୁମାନ କରୁଛି। ଏସବୁ କାରଣ ପାଇଁ ସମଗ୍ର ପଞ୍ଜାବର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ୍ କରାଯାଉଛି।
from Odisha Reporter https://ift.tt/2KeW7nP
No comments:
Post a Comment