ବ୍ୟର୍ଥ ଯିବକି ବିଜେଡି ମହିଳା ଶାଖା ପୁନର୍ଗଠନ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ବ୍ୟର୍ଥ ଯିବକି ବିଜେଡି ମହିଳା ଶାଖା ପୁନର୍ଗଠନ ?

bjd flag hosting

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ଦଶନ୍ଧି ପରେ ପୁନର୍ଗଠିତ ବିଜେଡି ମହିଳା ଶାଖାର ସ୍ଥିତି ଦଳର ଛାତ୍ର ଓ ଯୁବ ଶାଖା ଭଳି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଜେଡିର ଏହି ୩ଟି ଛାମୁଆ ଶାଖାର ସଂରଚନାର ଢାଞ୍ଚା ଏବଂ ସରକାରୀସ୍ତରରେ ସମାନ୍ତରାଳ ସଂଗଠନ ହିଁ ପରୋକ୍ଷରେ ଦଳର ପରିଚାଳନା ଶୈଳୀ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହାସହିତ ବିଜେଡି ଏବେ ସାଂଗଠନିକ ପରିଚାଳନା ପାଇଁ ସାମୂହିକ ନିଷ୍ପତ୍ତି ଆଧାରରେ କାର୍ଯ୍ୟ କରିବା ପରିବର୍ତ୍ତେ କର୍ପୋରେଟ ଶୈଳୀରେ କାର୍ଯ୍ୟ କରୁଥିବାର ସ୍ପଷ୍ଟ ଆଭାସ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଦଳ ଯେଉଁ ଢଙ୍ଗରେ ନିଜର ଛାମୁଆ ସଂଗଠନ(ଯୁବ,ଛାତ୍ର ଓ ମହିଳା)କୁ ପରିଚାଳନା କରିବାକୁ ଚାହୁଁଛି, ତାହା ବିଜେଡିକୁ ଏକ ରାଜନୀତିକ ଦଳ ପରିବର୍ତ୍ତେ ଏକ କର୍ପୋରେଟ୍ ହାଉସ ଭଳି ଗଢ଼ି ତୋଳିଛି। ଏସବୁ ଛାମୁଆ ସଂଗଠନଗୁଡ଼ିକର ସଂରଚନା ହିଁ ଏହାର ପରିଚାଳନାରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ଛାମୁଆ ସଂଗଠନ ଦାୟିତ୍ୱ ନୂଆ ନେତୃତ୍ୱ ହାତରେ ଦେବାବେଳେ ଦଳ ଉପରେ ମାତ୍ରାଧିକ ଚାପ ରହୁଥିବାର ଏକ ସନ୍ଦେଶ ଦେବାକୁ ଚେଷ୍ଟା ହେଉଛି। କିନ୍ତୁ ବାସ୍ତବପକ୍ଷେ ଦଳର ପରିଚାଳନା ଏବେ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ଢାଞ୍ଚାରେ ହେଉଥିବା ତଥା ସରକାରୀ କଳକୁ ଉପଯୋଗ କରାଯାଉଥିବାରୁ ଏସବୁ ଛାମୁଆ ସଂଗଠନର ଆବଶ୍ୟକତାକୁ ଦଳର ସୁପ୍ରିମୋ ଅନୁଭବ କରି ପାରୁନାହାନ୍ତି।

ଭୋଟ୍ ରାଜନୀତିରେ ଏହି ଛାମୁଆ ସଂଗଠନଗୁଡ଼ିକ ବିଶେଷ ଫଳପ୍ରଦ ହେଉନଥିବାରୁ ସରକାରୀସ୍ତରରେ ସମାନ୍ତରାଳ ସଂଗଠନ ସୃଷ୍ଟି କରାଯାଇଛି। ଦଳର ଯୁବ ଓ ଛାତ୍ର ସଂଗଠନର ଦୁର୍ବଳ ନେତୃତ୍ୱକୁ ଦୃଷ୍ଟିରେ ରଖି ୧୮ରୁ ୩୫ବର୍ଷ ବୟସର ଦଳୀୟ ଭୋଟ ବ୍ୟାଙ୍କକୁ ସରକାରୀସ୍ତରରେ ବିଜୁ ଯୁବ ବାହିନୀ ମାଧ୍ୟମରେ ପରିଚାଳନା କରାଯାଉଛି। ଗତବର୍ଷ ଏପ୍ରିଲରେ ଯୁବ ଓ ଛାତ୍ର ନେତୃତ୍ୱରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଦଳର ଦୁଇଜଣ ପ୍ରଭାବଶାଳୀ ଯୁବନେତା ସଞ୍ଜୟ ଦାସବର୍ମା(ପୂର୍ବତନ ଯୁବ ବିଜେଡି ସଭାପତି) ଓ ଅରୁଣ ସାହୁଙ୍କ ହାତରେ ଏହି ଦୁଇ ସଂଗଠନର ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ପରସ୍ପରର ବିରୋଧୀ ଓ ଅବିଶ୍ୱାସର ବାତାବରଣ ବିଜେଡିର ଏହି ଦୁଇ ସଂଗଠନରେ ଆରମ୍ଭରୁ ରହିଥିଲେ ମଧ୍ୟ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ସେଥିପ୍ରତି ଦୃଷ୍ଟି ଦେଇନଥିଲେ।

ଯେଉଁଥିପାଇଁ ଏହି ଦୁଇ ଛାମୁଆ ସଂଗଠନ ଏପର୍ଯ୍ୟନ୍ତ ସକ୍ରିିୟ ହୋଇପାରିନାହାନ୍ତି ଓ ଏହାର ନେତୃତ୍ୱ ନେଉଥିବା ଅମରେଶ ପତ୍ରୀ (ଯୁବ) ଓ ରାଣାପ୍ରତାପ ପାତ୍ର (ଛାତ୍ର)ଙ୍କ ଦୁର୍ବଳ ସାଂଗଠନିକ ଦକ୍ଷତାକୁ ପଦାରେ ପକାଇଛି। କର୍ପୋରେଟ ଶୈଳୀରେ ତୃତୀୟ ମହଲାର ନିର୍ଦ୍ଦେଶକୁ ପାଳନ କରି କେଉଁଠି ଯୁବ-ଛାତ୍ର ସମ୍ପର୍କ ଅଭିଯାନ, ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ ଭଳି ଅଧାପନ୍ତରିଆ କାର୍ଯ୍ୟରେ ଏହି ଦୁଇ ଛାମୁଆ ସଂଗଠନ ନିଜକୁ ସୀମିତ ରଖିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଞ୍ଜୟ ଓ ଅରୁଣଙ୍କ ନେତୃତ୍ୱ ସତ୍ତ୍ୱେ ଯୁବ ଓ ଛାତ୍ର ସଂଗଠନ ଠିକ୍ ଭାବେ କାମ କରିପାରୁନି ବୋଲି ସନ୍ଦେଶ ଦେଇ ତୃତୀୟ ମହଲା ନିଜର କର୍ପୋରେଟ୍ ଢାଞ୍ଚାକୁ କାଏମ ରଖିବାରେ ସକ୍ଷମ ହେଉଛି।

ଠିକ୍ ସେହି ଶୈଳୀରେ ଏବେ ମହିଳା ଶାଖା ପୁନର୍ଗଠିତ ହୋଇଛି। ମିନତୀ ବେହେରାଙ୍କୁ ଦଳର ସଭାନେତ୍ରୀ କରାଯାଇଥିଲେ ମଧ୍ୟ ୪ଜଣ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତି ଦିଆଯାଇଛି। ଦୀର୍ଘ ଦଶନ୍ଧି ଧରି ମହିଳା ଶାଖାକୁ ପଙ୍ଗୁ କରି ରଖିଥିବା ପ୍ରମିଳା ମଲ୍ଲିକଙ୍କୁ ମହିଳା ଶାଖାର ଉପଦେଷ୍ଟା କରାଯାଇଛି। ଯଦି ଭବିଷ୍ୟତରେ ଏହି ମହିଳା ଶାଖା ଠିକ୍ ଭାବେ କାର୍ଯ୍ୟ ନକରେ ତେବେ ସେଥିପାଇଁ ମହିଳା ବିଜେଡି ସଭାନେତ୍ରୀ ଓ ପ୍ରମିଳାଙ୍କ ଉପରେ ଦୋଷ ଲଦିବାର ମାର୍ଗକୁ ଉନ୍ମୁକ୍ତ ରଖାଯାଇଛି।

ଦଳର ମହିଳା ସାମୁଖ୍ୟର ପୁନର୍ଗଠନ କରି କାର୍ଯ୍ୟକାରୀ ସଭାନେତ୍ରୀମାନଙ୍କୁ ଦଳର ସ୍ଥାନୀୟ ସଂଗଠନ ସହ ମିଶି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦଳୀୟ ଫୋରମକୁ ଆଣିବାର ଦାୟିତ୍ୱ ନ୍ୟସ୍ତ ହୋଇଛି। ମିଶନ ଶକ୍ତି ଅଧୀନରେ ଥିବା ଏହି ମହିଳା ଏସଏଚଜିଗୁଡ଼ିକ ସରକାରୀସ୍ତରରେ ପରିଚାଳିତ ହେଉଥିବାବେଳେ ଦଳର ନେତ୍ରୀମାନେ ବି ପରୋକ୍ଷରେ ସରକାରୀ କଳର ଇଙ୍ଗିତରେ କାର୍ଯ୍ୟ କରିବା ପାଇଁ ପରିବେଶ ସୃଷ୍ଟି ହୋଇଛି।

ବିଜେଡି ପକ୍ଷରୁ ବୁଥ୍ କମିଟି ଓ ହାଉସଟ୍ୟାଗିଂ ପାଇଁ ସମସ୍ତ ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ବାରମ୍ବାର ତାଗିଦ୍ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନି। ଏବେ ଏହି ମହିଳା ଏସଏଚଜିଗୁଡ଼ିକୁ ଟ୍ୟାଗିଂ କରି ଦଳୀୟ ଫୋରମକୁ ଆଣିବା ଓ ସେମାନଙ୍କୁ ଭୋଟ ରାଜନୀତି ସହ ଯୋଡ଼ିବା ନିମନ୍ତେ ଦଳର ମହିଳା ଶାଖାକୁ ଦାୟିତ୍ୱ ନ୍ୟସ୍ତ ହୋଇଛି।

କିନ୍ତୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ତୃତୀୟ ମହଲା ପକ୍ଷରୁ ଯେପର୍ଯ୍ୟନ୍ତ ସାଂଗଠନିକ କାର୍ଯ୍ୟକୁ କର୍ପୋରେଟ ଶୈଳୀରେ କରାଯାଉଥିବ ସେପର୍ଯ୍ୟନ୍ତ ସଂଗଠନ ତୃଣମୂଳସ୍ତରରେ ସୁଦୃଢ଼ ହୋଇପାରିବ ନାହିଁ। ଯଦିଓ ସରକାରୀ କଳର ପ୍ରୟାସ ଓ ଭୂମିକା ଯୋଗୁ ଦଳକୁ ଭୋଟ୍ ରାଜନୀତିରେ ସଫଳତା ମିଳୁଛି,ତଥାପି ନିଜର ଛାମୁଆ ସଂଗଠନକୁ ଦୁର୍ବଳ କରି ରଖିବା ବିଜେଡି ପାଇଁ ନିଶ୍ଚିତ ଭାବେ ଆଗାମୀ ଦିନରେ ଏକ ବିଶାଳ ଚ୍ୟାଲେଞ୍ଜ ହେବ ।



from Odisha Reporter https://ift.tt/2PZsWdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages