
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀ ସାମ୍ୱାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ କ୍ଷମା ଦେଇଛି ବିଧାନସଭା। ଗୃହ କମିଟି ପ୍ରସ୍ତାବ ଆଧାରରେ ତାଙ୍କୁ କ୍ଷମା କରିଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି-“ଗତ ମାସ ୨୩ ତାରିଖରେ ଆୟର ଗୃହ କମିଟି ଆଗରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଯାହା ଅଭିଯୋଗ ଥିଲା, ପ୍ରଥମେ ପଢ଼ି ଶୁଣାଇ ଦିଆଯାଇଥିଲା। ଅଭିଯୋଗକୁ ସେ ମାନି ନେବା ସହିତ କ୍ଷମାପ୍ରାର୍ଥନା କରିଥିଲେ। ମୋର ନିର୍ବୋଧତା ପାଇଁ କ୍ଷମା ମାଗୁଛି ବୋଲି ଆୟର କହିଥିଲେ। ଦୋଷ ସ୍ୱୀକାର କରିବା ଓ କ୍ଷମା ମାଗିବାର ସତ୍ୟାସତ୍ୟ ଜାଣିବା ପାଇଁ ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ କୁହାଯାଇଥିଲା। କମିଟିର ପରାମର୍ଶ କ୍ରମେ ସେ ପୁନର୍ବାର ସତ୍ୟପାଠ ଦାଖଲ କରିଥିଲେ। ଏଥିରୁ କମିଟି ଉପଲବ୍ଧି କରିଥିଲେ ଯେ, ଆୟର ସ୍ୱଇଚ୍ଛାରେ କ୍ଷମା ପ୍ରାର୍ଥନା କରୁଛନ୍ତି। ସେଥିପାଇଁ ତାଙ୍କୁ କ୍ଷମା ଦିଆଯାଇଛି।”
ସେ କହିଛନ୍ତି-“ଆୟରଙ୍କୁ ଆଣିଥିବା ବ୍ୟକ୍ତି ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ସୂଚନା ଦେବାର ଥିଲା ବୋଲି କମିଟି ଟିପ୍ପଣୀ ଦେଇଥିଲା। ଆମେ(କମିଟି) ଗୃହକୁ ପୁନର୍ବାର ଅନୁରୋଧ କରିଥିଲୁ ଯେ, ରାଜ୍ୟ ସରକାର ଓଡ଼ିଶା କଳା ଓ ସଂସ୍କୃତି ସମ୍ପର୍କିତ ପୁସ୍ତକ ଆୟରଙ୍କୁ ଯୋଗାଇଦେବେ। ଯାହାଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆୟରଙ୍କର ଜ୍ଞାନ ହେବ।”
ଅଭିଜିତ ଆୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ ଜାମିନ୍ ଖାରଜ ହୋଇଥିବା ବେଳେ ସେ ଜାମିନ ପାଇଁ ହାଇକୋର୍ଟ ଯାଇଛନ୍ତି।
from Odisha Reporter https://ift.tt/2OOSOEu
No comments:
Post a Comment