ବିଜେଡି ବିବ୍ରତ: ନେତାଙ୍କ ଉପରେ ବଢ଼ିଲା ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ବିଜେଡି ବିବ୍ରତ: ନେତାଙ୍କ ଉପରେ ବଢ଼ିଲା ଚାପ

bjd-office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସଦ୍ୟ ସମାପ୍ତ ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ ବିରୋଧୀ ବିଜେପିକୁ ନିରୁତ୍ସାହିତ କରିଥିଲେ ଓଡ଼ିଶାରେ କ୍ଷମତାସୀନ ବିଜେଡି ଅଧିକ ପରିମାଣରେ ବିବ୍ରତ ହୋଇପଡ଼ିଛି। ଭୋଟରଙ୍କ ମୁଡକୁ ଆଗୁଆ ପରଖିବା ପାଇଁ ସର୍ଭେ ସଂସ୍ଥା ଓ ସରକାରୀ ବ୍ୟବସ୍ଥା ଉପରେ ବିଜେଡି ଭରସା ନକରି ଏବେ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି। ଦଳ ଏବେ ୫ଜଣିଆ ୱାର୍ଡ କମିଟି ଗଠନ ସହ ହାଉସଟ୍ୟାଗିଂ କରିବା ପାଇଁ ଦଳୀୟ ବିଧାୟକ ଓ ନେତାମାନଙ୍କ ଉପରେ ଜୋରଦାର ଚାପ ପକାଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନୀ ଫଳାଫଳକୁ ନେଇ ବିଜେଡି ଆଶଙ୍କିତ ହୋଇପଡ଼ିଛି। ମଧ୍ୟପ୍ରଦେଶକୁ ଗତ ୧୫ବର୍ଷ ମଧ୍ୟରେ ‘ବିମାରୁ’ ରାଜ୍ୟରୁ ବିକାଶଶୀଳ ରାଜ୍ୟରେ ପରିଣତ କରାଇଥିବା ଶିବରାଜ ସିଂହ ଚୌହ୍ୱାନ ଓ ଛତିଶଗଡରେ ଡଃ ରମଣ ସିଂହଙ୍କ ବିରୋଧରେସେଭଳି କୌଣସି ଦୁର୍ନୀତି ଅଭିଯୋଗ ନଥିବା ସତ୍ତ୍ୱେ ଏହି ଦୁଇ ନେତାଙ୍କ ନେତୃତ୍ୱଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଉଭୟ ବିକାଶ ଓ ନିର୍ମଳ ଭାବମୂର୍ତ୍ତିର ଫାଇଦା ବିଜେପିକୁ ମିଳିପାରିନି। ଏହି ଦୁଇ ରାଜ୍ୟରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ଘୋଷଣା କରିନଥିବା ସତ୍ତ୍ୱେ ବିଜେପିକୁ କ୍ଷମତାକୁ ହଟାଇବା ନିମନ୍ତେ ଭୋଟରମାନେ ପରିବର୍ତ୍ତନ ଆଶାରେ କଂଗ୍ରେସ ସପକ୍ଷରେ ଭୋଟଦାନ କରିଥିଲେ। ଏହି ସମୀକରଣ ହିଁ ଏବେ ବିଜେଡି ପାଇଁ ରାଜ୍ୟରେ ଚିନ୍ତାର କାରଣ ହୋଇଛି।

ରାଜ୍ୟରେ ବିଭିନ୍ନସ୍ତରରେ ବୃଦ୍ଧି ପାଉଥିବା ଦୁର୍ନୀତି, ଅଣଓଡ଼ିଆ ଅଫିସରଙ୍କ ଏକଛତ୍ରବାଦୀ ପ୍ରଶାସନିକ ନୀତି, ଚାଷୀ-ଶିକ୍ଷକ-ବେକାର-ଭୂମିହୀନ ଓ ମହିଳା ବର୍ଗଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶ ମଧ୍ୟରେ ବିଜେଡି ପକ୍ଷରୁ ହେଉଥିବା ବିଭିନ୍ନ ପର୍ଯ୍ୟାୟର ସର୍ଭେ ରିପୋର୍ଟ ଏବେ ଦଳର ଚିନ୍ତା ବଢ଼ାଇଛି। କେବଳ ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟର ବାକି ଜିଲ୍ଲାଗୁଡ଼ିକରେ ବିଜେଡିର ଏବେ ଭଲ ସ୍ଥିତି ନଥିବା ଦଳର ଆଭ୍ୟନ୍ତରୀଣ ସର୍ଭେରୁ ଜଣାପଡ଼ିଛି। ଏଭଳି ସ୍ଥିତିରୁ ଫାଇଦା ନେବା ପାଇଁ ବିଜେପି ତା’ର ସମସ୍ତ ସଂଗଠନକୁ ଉପଯୋଗ କରିବାରେ ଲାଗିଛି। ବିଶେଷକରି ବିଜେପିର ବ୍ରେନ୍ କୁହାଯାଉଥିବା ଆରଏସଏସ ଏବେ ଓଡ଼ିଶାରେ ସାଂଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଦଳ ୱାର୍ଡସ୍ତରର କମିଟି ସହ ଯୋଗସୂତ୍ର ରକ୍ଷା କରିବାର ମାର୍ଗ ପ୍ରଶସ୍ତ କରିଥିବା ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି-ଆରଏସଏସର ଏହି ଆଭିମୁଖ୍ୟ ଓ ସଦ୍ୟ ସମାପ୍ତ ହୋଇଥିବା ୫ ରାଜ୍ୟର ନିର୍ବାଚନୀ ଫଳାଫଳକୁ ବିଶ୍ଲେଷଣ କରି ବିଜେଡି ଏବେ ତୃଣମୂଳସ୍ତରରେ ୱାର୍ଡକମିଟି ଗଠନ ଉପରେ ଗୁରୁତ୍ୱ ଦେବାରେ ଲାଗିଛି। ଶିବରାଜ ଓ ରମଣଙ୍କର ବିକାଶମୂଳକ କାର୍ଯ୍ୟକ୍ରମ ଓ ନିର୍ମଳ ଭାବମୂର୍ତ୍ତି ସତ୍ତ୍ୱେ ବିଜେପିକୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସଫଳତା ମିଳିପାରି ନଥିବାରୁ ଏହା ବିଜେଡିକୁ ଅଧିକ ବିବ୍ରତ କରିଛି। ଯଦିଓ ସେସବୁ ରାଜ୍ୟରେ ଚାଷୀ, ଦଳିତ ଓ ବେକାର ଯୁବକ ଯୁବତୀ ସମସ୍ୟାକୁ ଅଣଦେଖା କରି ବିକାଶ କାର୍ଯ୍ୟକ୍ରମ,ଲୋକପ୍ରିୟ ଯୋଜନା ଓ ନିର୍ମଳ ଭାବମୂର୍ତ୍ତି ମାଧ୍ୟମରେ ନିର୍ବାଚନୀ ସଫଳତା ହାସଲ କରିବାକୁ ବିଜେପି ଚାହିଁଥିଲା। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଠିକ ସେଭଳି ପନ୍ଥା ଅବଲମ୍ବନ କରୁଥିବାରୁ ପୁନର୍ବାର କ୍ଷମତାସୀନ ହେବାକୁ ନେଇ ଆଉ ନିଶ୍ଚିତ ହୋଇପାରୁନି।

ବିଜେପିର ସହଯୋଗୀ ସଂସ୍ଥା ଓ ସଂଗଠନ ଗୁଡ଼ିକ ଏବେ ଓଡ଼ିଶାରେ ୱାର୍ଡସ୍ତରରେ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିବାବେଳେ କ୍ଷମତାବିରୋଧୀ ଓ ପରିବର୍ତ୍ତନର ହାୱା ରାଜ୍ୟରେ ବୋହିବାର ଆଶଙ୍କା କରି ବିଜେଡି ଏବେ ୱାର୍ଡକମିଟି ଓ ହାଉସଟ୍ୟାଗିଂ ଉପରେ ଗୁରୁତ୍ୱ ଦେଇଛି। ନବୀନ ନିବାସରୁ ଦଳୀୟ ନେତାମାନଙ୍କୁ ଯଥାଶୀଘ୍ର ୫ଜଣିଆ ୱାର୍ଡକମିଟି ଗଠନ କରି ସେମାନଙ୍କୁ ୱାର୍ଡରେ ଥିବା ଘରଗୁଡ଼ିକ ସହ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକା ତୁରନ୍ତ ନବୀନ ନିବାସରେ ଦାଖଲ କରିବାକୁ କୁହାଯାଇଛି।ଏପରିକି ଏହି ୱାର୍ଡକମିଟି ତାଲିକାକୁ ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ଯାଞ୍ଚ କରିବେ ବୋଲି ଦଳୀୟ ନେତାମାନଙ୍କୁ ସନ୍ଦେଶ ଦିଆଯାଇଛି। ଦଳର ଆଇଟି ଟିମ୍ ଏହି ୱାର୍ଡ କମିଟିଗୁଡ଼ିକର ସତ୍ୟାସତ୍ୟ ମଧ୍ୟ ଯାଞ୍ଚ କରିବ।

ବିଜେଡି ଏବେ କେବଳ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟ ଭରସାରେ ନିର୍ବାଚନ ରଣାଙ୍ଗନକୁ ନ ଓହ୍ଲାଇ ୱାର୍ଡ କମିଟି ଓ ହାଉସଟ୍ୟାଗିଂକୁ ଗୁରୁତ୍ୱ ଦେଉଛି। ବିଜେପି ଏବେ ସମଗ୍ର ରାଜ୍ୟରେ ୩୭,୬୦୬ ବୁଥ୍ କମିଟିକୁ ବିଭିନ୍ନ ପର୍ଯ୍ୟାୟରେ ସୁଦୃଢ଼ କରିବାରେ ଲାଗିଥିବାରୁ ଏହାର ମୁକାବିଲା ନିମନ୍ତେ ବିଜେଡି ଏବେ ନିଜର ମହିଳା ଶାଖାକୁ ମଧ୍ୟ ୱାର୍ଡ ଓ ପଞ୍ଚାୟତସ୍ତରରୁ ସୁଦୃଢ଼ କରିବାରେ ଲାଗିଛି। ବିଜେଡି ମହିଳା ଶାଖା ମାଧ୍ୟମରେ ଦଳ ରାଜ୍ୟରେ ଗଠନ ହୋଇଥିବା ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବି ପହଞ୍ଚିବାକୁ ପ୍ରୟାସ ଆରମ୍ଭ କରିଦେଇଛି । ଏବେ ହାତରେ ସମୟ କମ୍ ଥିବାବେଳେ ବିଜେଡି ପାଇଁ ଏସବୁ ରଣନୀତି ମାଧ୍ୟମରେ ଆଶାନୁରୂପ ସଫଳତା ହାସଲ କରିବା ବି କାଠିକର ପାଠ ହୋଇଛି।



from Odisha Reporter https://ift.tt/2S68NAx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages