
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସାବଧାନ! ରାସ୍ତାରେ ବୁଲୁଛନ୍ତି କଲରାପତରିଆ ବାଘ। ଏନେଇ ଭିଡ଼ିଓ ଭାଇରାଲ୍ ହେବା ପରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକେ ରାସ୍ତାରେ ଯିବାକୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।
ଗତକାଲି କେତେକ ଯୁବକ କାଲ୍କୁଲଟ୍ ଜଙ୍ଗଲ ରାଣିସିଲେଟ୍କୁ ବଣଭୋଜି କରିବା ପାଇଁ ଯାଇଥିଲେ। ଭୋଜି ସାରି ଫେରିଲା ବେଳକୁ ଗୋଳାବାରୁଦ କାରଖାନା ରାସ୍ତା ଉପରେ ୨ଟି କଲରାପତରିଆ ବାଘ ବସିଥିବା ସେମାନେ ଦେଖିବାକୁ ପାଇଥିଲେ। ପରେ ଗାଡ଼ି ଲାଇଟ୍ ପକାଇ ବାଘ ଦୁଇଟିର ଭିଡିଓ ଶୁଟିଂ କରିଥିଲେ। ତା’ପରେ ସେହି ଭିଡିଓକୁ ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ।
ସେହି ଭିଡିଓ ଏବେ ହ୍ୱାସ୍ପଆପ୍ରେ ଘୂରି ବୁଲୁଛି। ଉକ୍ତ ଭିଡିଓଟି ରାଣିସିଲେଟ୍ ଅଞ୍ଚଳର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ରାଣିସିଲେଟ୍କୁ ପିକ୍ନିକ୍ କରିବା ପାଇଁ ଲୋକେ ଯିବାକୁ ନିରାପଦ ମଣୁ ନାହାନ୍ତି।
ଏନେଇ ଟିଟିଲାଗଡ଼ ରେଞ୍ଜର ଜିତେନ୍ଦ୍ରିୟ ନନ୍ଦ କହିଛନ୍ତି-“ରାଣିସିଲେଟ୍ ଜଙ୍ଗଲରେ ବାଘ ଥିବା ନେଇ ମୋ ପାଖରେ କିଛି ଖବର ନାହିଁ। କିନ୍ତୁ କଲରାପତରିଆ ବାଘ ଥିବା ଶୁଣିଛୁ। ସେଥିପାଇଁ ବଡମାଲ୍ ସେକ୍ସନ୍ରେ ୪ଟି କ୍ୟାମେରା ଲଗାଯାଇ ଥିଲା। ସେହି କ୍ୟାମେରା ଖୋଲି ଖରିଆରକୁ ପଠାଯାଇଛି। ତେବେ ରାସ୍ତାରେ କଲରାପତରିଆ ବାଘ ବୁଲୁଥିବା ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିବା ମୁଁ ଜାଣିଛି। ପ୍ରକୃତରେ ସେହି ଭିଡିଓଟି ଟିଟିଲାଗଡ଼ ନା ଅନ୍ୟ କେଉଁ ଅଞ୍ଚଳର, ତାହା ଜଣାପଡ଼ିନାହିଁ।”
ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ଗୋଳାବାରୁଦ କାରଖାନାକୁ ଯାଇଥିବା ପାଇପ୍ ଉପରେ ଏକ କଲରାପତରିଆ ବାଘ ବସିଥିଲା। ଦିନ ଦି’ପହରରେ ବାଘ ବସିଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ପରେ ବାଘଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା।
from Odisha Reporter https://ift.tt/2rDvIap
No comments:
Post a Comment