
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ରେ ବିଜେଡି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମକୁ ବିରୋଧ କରି ଧାରଣାରେ ବସିବାରୁ ସରପଞ୍ଚଙ୍କୁ ମାଡ଼ ମରାଯାଇଛି। ଏପରିକି ସରପଞ୍ଚଙ୍କ ସହିତ ବସିଥିବା ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ସୌମ୍ୟ ରଞ୍ଜନ ପ୍ରଧାନ। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟରେ ସ୍ଥାନୀୟ ବିଡିଓଙ୍କ ଅସହଯୋଗ ଯୋଗୁ ପଞ୍ଚାୟତରେ ଦେଖାଦେଇଥିବା ସମସ୍ୟା ସମାଧାନ କରିପାରୁ ନାହାନ୍ତି ସୌମ୍ୟ। ଯାହାଫଳରେ ପଞ୍ଚାୟତବାସୀ ପାନୀୟ ଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି। ରାସନ୍କାର୍ଡ଼, ଭତ୍ତା ଓ ବିଜୁ ପକ୍କା ଘର ଦଳୀୟ ଭିତ୍ତିରେ ଦିଆଯାଉଥିବା ସୌମ୍ୟ ସୋଶାଲ ମିଡ଼ିଆରେ ଲେଖି ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ବିଡିଓ ଉକ୍ତ ପଞ୍ଚାୟତର ସମସ୍ୟା ସାମାଧାନ କରୁନଥିଲେ।
ଆଜି ବିଡିଓ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ କରିବାକୁ ଯାଇଥିଲେ। ଏହାକୁ ବିରୋଧ କରି ସୌମ୍ୟ କଳାବ୍ୟାଜ ପିନ୍ଧି ସମର୍ଥକଙ୍କ ସହ ଧାରଣାରେ ବସିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେଡି କର୍ମୀମାନେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ସୌମ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସୌମ୍ୟଙ୍କ ସହିତ ବସିଥିବା ମହିଳାଙ୍କୁ ଟଣାଓଟରା ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ସୌମ୍ୟ ଓ ମହିଳାମାନେ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2rMYJRj
No comments:
Post a Comment