
ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବର୍ଷକ ତଳେ ଦାଦନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାର ପ୍ରାଥମିକ ଭାବେ ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାର ୩୦ ପଞ୍ଚାୟତକୁ ଫୋକସ୍ ପଞ୍ଚାୟତ ଭାବେ ଚିହ୍ନଟ କରିଥିଲେ। ଏହାସହ ଏଥିପାଇଁ ପ୍ରାଥମିକ ଭାବେ ୧୩୪ କୋଟି ଟଙ୍କା ବି ଘୋଷଣା କରିଥିଲେ। କିନ୍ତୁ ଯୋଜନାର କାର୍ଯ୍ୟକାରିତା ତ ଦୂରର କଥା, ଯୋଜନା ଏବେ ଅନ୍ତର୍ଦ୍ଧାନ।
ସେପଟେ ଦାଦନଙ୍କ ନିର୍ଯାତନାର କାହାଣୀର ଅନ୍ତ ଘଟୁନଥିବାବେଳେ ଏହି ସମସ୍ୟା ରୋକିବାକୁ ନେଇ ଶ୍ରମ ବିଭାଗର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
୨୦୧୭ ଅକ୍ଟୋବର ୨୫ ତାରିଖରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, “ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ମଡେଲ ଜିଲ୍ଲା ଭାବେ ନିଆଯାଇଛି। ସରକାର ଏକ ପ୍ୟାକେଜ୍ ଦେଇଛନ୍ତି। ୩୦ଟି ପଞ୍ଚାୟତକୁ ୧୩୪ କୋଟି ଟଙ୍କା ପର୍ଯ୍ୟାୟ କ୍ରମେ ଦିଆଯିବ। ଏହି ପଞ୍ଚାୟତରେ ଚାଷ ପାଇଁ ବିହନ ଓ ଉପକରଣ ଯୋଗାଇ ଦିଆଯାଇଛି।”
ଦାଦନ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ଏ ଥିଲା ବର୍ଷକ ତଳେ ଶ୍ରମମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପରେ ଆଶା କରାଯାଉଥିଲା ସବୁ କିଛି ବଦଳି ଯିବ। କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ବନ୍ଦେଇପଦର ଗାଁରେ କାମ ଧନ୍ଦା ଅଭାବରୁ ହାତବାନ୍ଧି ବସିଛନ୍ତି ସ୍ଥାନୀୟ ଶ୍ରମିକ। ଗାଁର ଅନେକ ପରିବାର ଦାଦନ ଖଟିବାକୁ ଯାଇଥିବାରୁ ଘରେ ତାଟିକବାଟ ପଡ଼ିଛି। ବଳକା ଯେଉଁମାନେ ଅଛନ୍ତି, ଚାଷବେଉସା ଉଜୁଡ଼ି ଯିବା ପରେ ଦାଦନ ସର୍ଦ୍ଦାରର ଅପେକ୍ଷାରେ ଅଛନ୍ତି।
ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ପାଚେର ଗାଁ ଲୋକଙ୍କ ଅବସ୍ଥା ବି ସେଇୟା। ଜମିକୁ ପାଣି ଆସିବ, ଆଉ ଜଳ ଅଭାବରେ ଫସଲ ମରିବନି ବୋଲି ଆଶ୍ୱାସନା ଦିଆଯାଇଥିଲା। କିନ୍ତୁ, ସେମିତି କିଛି ନହେବାରୁ ଶେଷରେ ନିରୁପାୟ ହୋଇ ଦାନା ପାଇଁ ଦାଦନ ଯିବାକୁ ସଜବାଜ ହେଉଛନ୍ତି ଗାଁ ଲୋକେ।
ନିଜ ଦୁଃଖକୁ ନେଇ ଚୁପ ବସିନାହାନ୍ତି ଏହି ଗରିବ ପରିବାର। ନିଜ ହକ୍ ପାଇଁ ଆନ୍ଦୋଳନ ମଧ୍ୟ କରିଛନ୍ତି। ଯାହା ପାଟଣାଗଡ଼ରେ ଦେଖିବାକୁ ମିଳିଛି। ଦାଦନ ସମସ୍ୟାର ନିରାକରଣ ଦାବି କରି ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଏଠାରେ ରାସ୍ତାକୁ ଓହ୍ଲାଇଛନ୍ତି।
ସୂଚନାଯୋଗ୍ୟ, ଦାଦନ ସମସ୍ୟାର ନିରାକରଣ ପାଇଁ ଗତବର୍ଷ ଅକ୍ଟୋବର ମାସରେ ବଲାଙ୍ଗିର ଏବଂ ନୂଆପଡ଼ା ସମେତ ଅନ୍ୟ ଦାଦନ ପ୍ରବଣ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବୈଠକ କରିଥିଲା ଶ୍ରମ ବିଭାଗ। ବଲାଙ୍ଗିର ଓ ନୂଆପଡ଼ାର ୩୦ଟି ପଞ୍ଚାୟତକୁ ଫୋକସ ପଞ୍ଚାୟତ ଭାବେ ଚିହ୍ନଟ କରି ପ୍ରାଥମିକ ଭାବେ ୧୩୪ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ ଶ୍ରମମନ୍ତ୍ରୀ। କିନ୍ତୁ ଆଜିକୁ ବର୍ଷେ ବିତିଯାଇଥିଲେ ବି କାହା ପାଖକୁ କେତେ ଟଙ୍କା ଆସିଛି, ତାହାର ହିସାବ କାହା ପାଖରେ ନାହିଁ।
from Odisha Reporter http://bit.ly/2V4FY9b
No comments:
Post a Comment