
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ୬ ସହଯୋଗୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନ ଆତଙ୍କବାଦୀ ରହିଛି।
ଏହି ଆତଙ୍କବାଦୀମାନେ ଅନସାର ଗାଜୱତୁଲ ହିନ୍ଦ ସଂଗଠନର ସଦସ୍ୟ। ଏମାନଙ୍କ ସମ୍ପର୍କ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ସହ ରହିଥିଲା। ପାକିସ୍ତାନର ଆତଙ୍କବାଦୀ ଜଣଙ୍କ ଜାକିର ମୁସାର ଡାହାଣ ହାତ ଭାବେ କାର୍ଯ୍ୟ କରୁଥିବା ବେଳେ ତାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିଲା।
ଜମ୍ମୁ-କଶ୍ମୀର ଆଇଜି ସ୍ୱୟଂ ପ୍ରକାଶ ପାଣିଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ଘଟିଛି। ତ୍ରାଲର ଅରମପୋରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳରେ ସୁରକ୍ଷାକର୍ମୀମାନେ କର୍ଡନ କରି ସେମାନଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ। ହେଲେ ଆତଙ୍କବାଦୀମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ଗୁଳି କରି ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ୫ ଜଣ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ ପାକିସ୍ତାନ ବୋଲି ଜଣାପଡ଼ିଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଏନ୍କାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ପୁଲୱାମା ଜିଲ୍ଲାରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ସେହିପରି ଶ୍ରୀନଗର ଏବଂ ବହିନିହାଲ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି।
from Odisha Reporter http://bit.ly/2PTpWLD
No comments:
Post a Comment