
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୃଷ୍ଟିହୀନ ଭୋଟରଙ୍କ ପାଇଁ ଖୁସି ଖବର। ଏଣିକି ଭୋଟ ଦେବା ସମୟରେ ସେମାନେ ଆଉ ପ୍ରିଜାଇଡିଂ ଅଫିସର ବା ଅନ୍ୟ କାହାର ସହାୟତା ନେବେନି। ଏବେ ବ୍ରେଲ୍ ବ୍ୟାଲଟ୍ ପେପର ବ୍ୟବହାର କରାଯିବ। ଯାହାଫଳରେ ସେମାନେ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜେ ଭୋଟ୍ ଦେଇପାରିବେ। ନିର୍ବାଚନରେ ସ୍ଵଚ୍ଛତା ଆଣିବା ଲାଗି ଏଭଳି ଯୋଜନା ଚାଲିଥିବା କହିଛନ୍ତି ନିର୍ବାଚନ ଅଧିକାରୀ।
ଏହି ଖବର ପ୍ରକାଶ ପାଇବା ପରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ପୂର୍ବରୁ ଅନ୍ୟ ଲୋକଙ୍କ ସହାୟତାରେ ଭୋଟ ଦେଉଥିବାରୁ ଭୋଟର ସ୍ୱଚ୍ଚତା ନେଇ ସନ୍ଦେହ ଉପୁଜୁଥିଲା। ହେଲେ ଆସନ୍ତା ନିର୍ବାଚନରେ ବ୍ରେଲ୍ ବ୍ୟାଲଟ୍ ପେପର ବ୍ୟବହାର ହେବାକୁ ଥିବାରୁ ନିଜେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ପାରିବେ ବୋଲି କହିଛନ୍ତି ଦୃଷ୍ଟିହୀନ।
ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ବ୍ରହ୍ମପୁରରେ ଥିବା ଲୁଇ ବ୍ରେଲ୍ ପ୍ରେସ୍ରେ ଛପା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ବ୍ୟାଲଟ୍ ପେପରର ଅବିକଳ ନକଲ ଛପା ହୋଇ ସରକାରଙ୍କୁ ପଠାଯାଇଛି। ପ୍ରଥମେ ୧୬ଟି ପ୍ରାର୍ଥୀଙ୍କ ନାମ ଥିବା ୫୦୦ଟି ବ୍ରେଲ୍ ବ୍ୟାଲଟ୍ ପେପର ଓ ପରେ ୬୪ ପ୍ରାର୍ଥୀଙ୍କ ନାମ ଥିବା ୫୦୦ଟି ବ୍ରେଲ୍ ବ୍ୟାଲଟ୍ ପେପର ନିର୍ବାଚନ ଅଧିକାରୀଙ୍କୁ ପଠାଯାଇଛି। ତେବେ ଏହି କାର୍ଯ୍ୟ ପାଇଁ ଅଧିକ କର୍ମଚାରୀ ଆବଶ୍ୟକ ବୋଲି କହିଛନ୍ତି ଲୁଇ ବ୍ରେଲ୍ ପ୍ରେସ୍ ମ୍ୟାନେଜର ପ୍ରକାଶ ରଥ।
from Odisha Reporter https://ift.tt/2LoaN4B
No comments:
Post a Comment