
ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହରଠାରେ ଗାଈଙ୍କ ମୃତ୍ୟୁକୁ ନେଇ ଘଟିଥିବା ଦଙ୍ଗା ଘଟଣାରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦଙ୍ଗାରେ ପ୍ରାଣ ହରାଇଥିବା ପୁଲିସ୍ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ କିଏ ମାରିଥିଲା, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଘଟଣାରେ ଜଣେ ଯବାନଙ୍କ ସଂପୃକ୍ତି ଥିବାର ତଥ୍ୟ ସାମ୍ନାକୁ ଆସିଛି। ପୁଲିସ୍ ଏବେ ଶ୍ରୀନଗରରେ ନିଯୁକ୍ତି ପାଇଥିବା ଯବାନ ଜିତୁ ଫୌଜି ଇନ୍ସପେକ୍ଟର ସୁବୋଧଙ୍କୁ ଗୁଳି କରିଥିଲେ ବୋଲି ସନ୍ଦେହ କରୁଛି। ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
ବୁଲନ୍ଦଶହର ଦଙ୍ଗା ବେଳେ ସାମ୍ନାକୁ ଆସିଥିବା ଏକାଧିକ ଭିଡିଓରେ ଜିତୁ ଫୌଜିଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଘଟଣା ପରେ ସେ ତୁରନ୍ତ ଜମ୍ମୁ-କଶ୍ମୀର ଚାଲି ଯାଇଥିଲେ। ଭିଡିଓରୁ ଜଣାପଡ଼ୁଛି ଯେ ଜିତୁଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକ ସୁବୋଧଙ୍କୁ ହତ୍ୟା କରାଯିବା ବେଳେ ସେଠାରେ ବାରମ୍ବାର ବୁଲାବୁଲି କରୁଥିଲେ।
ଏଥିସହ ଯେଉଁ ଲୋକମାନେ ପୁଲିସ୍ ଉପରକୁ ଟେକା ପଥର ଫିଙ୍ଗୁଥିଲେ ସେଥିରେ ମଧ୍ୟ ଜିତୁ ସାମିଲ ଥିଲେ। ତେଣୁ ପୁଲିସ୍ ଜିତୁଙ୍କୁ ଜେରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଦୁଇଟି ପୁଲିସ୍ ଟିମ୍ ତାଙ୍କୁ ଠାବ କରିବାକୁ ଜମ୍ମୁ-କଶ୍ମୀର ଯାତ୍ରା କରିଛି।
ଅନ୍ୟପକ୍ଷରେ ପୁଲିସ୍ ଜିତୁଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇ ସେଠାରେ ଭଙ୍ଗାରୁଜା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜିତୁଙ୍କ ମା’ କହିଛନ୍ତି, “ ପୁଲିସ୍ କିଛି ଭିଡିଓ ଆଣି ଦେଖାଇଥିଲା। କିନ୍ତୁ ସେଥିରେ ମୁଁ ମୋ ପୁଅକୁ ଚିହ୍ନ ପାରୁନାହିଁ।”
ସୋମବାର ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ଲୋକମାନେ ପୁଲିସ୍ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏଥିସହ ଗୁଳିମାଡ଼ ମଧ୍ୟ କରିଥିଲେ। ଗୁଳି ମାଡ଼ରେ ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2REOcD1
No comments:
Post a Comment