ରାଜ୍ୟରେ ୩୨ ଲକ୍ଷ ନା ୪୪ ଲକ୍ଷ ଚାଷୀ? କିଏ ମିଛ କହୁଛି- ମୁଖ୍ୟମନ୍ତ୍ରୀ ନା ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ରାଜ୍ୟରେ ୩୨ ଲକ୍ଷ ନା ୪୪ ଲକ୍ଷ ଚାଷୀ? କିଏ ମିଛ କହୁଛି- ମୁଖ୍ୟମନ୍ତ୍ରୀ ନା ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ଚାଷୀଙ୍କ କୃଷିଋଣ ଛାଡ଼, ଏମଏସପି ଉପରେ ବୋନସ ଓ ପେନସନ ଘୋଷଣା କରିବା ପରେ ବଢ଼ୁଥିବା ଚାପକୁ ଏଡ଼ାଇବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ‘କାଳିଆ’ ନାମରେ ୧୦ ହଜାର କୋଟି ଟଙ୍କାର ଏକ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିସେମ୍ବର ୨୪ତାରିଖ ଓଡ଼ିଶା ଗସ୍ତବେଳେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କିଛି ଘୋଷଣା କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତରବରିଆ ଭାବେ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଏହି ପ୍ୟାକେଜ୍ ଡିସେମ୍ବର ୨୬ତାରିଖ ବିଜେଡି ପ୍ରତିଷ୍ଠା ଦିବସରେ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଥିଲା।

ତେବେ ରାଜ୍ୟର ସମସ୍ତ ଗରିବ ଚାଷୀ ଏହି ଯୋଜନାର ସୁଫଳ ପାଇବେ କି ନାହିଁ ତାକୁ ନେଇ ଏବେଠୁ ସନ୍ଦେହ ଦେଖାଦେଲାଣି।

ନିର୍ବାଚନୀ ବର୍ଷରେ ତରବରିଆ ଭାବେ ପ୍ୟାକେଜ୍ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଯଦିଓ ଏହି ଯୋଜନାର ସୁଫଳ ୯୨% ଚାଷୀ ପାଇବେ ବୋଲି ସଫେଇ ଦେଇଛନ୍ତି ବାସ୍ତବରେ ରାଜ୍ୟରେ କେତେ ଚାଷୀ ପରିବାର ଅଛନ୍ତି ତାହା ଆଉ ଏକ ନୂଆ ବିବାଦ ସୃଷ୍ଟି କରିଛି। ରାଜ୍ୟରେ ୪୩. ୫୮ଲକ୍ଷ ଚାଷୀ ପରିବାର ଅଛନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ନଭେମ୍ବର ୨୦ ତାରିଖରେ ଏବଂ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ମାର୍ଚ୍ଚ ୨୩ରେ କହିଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁ ତଥ୍ୟ ଆଧାରରେ ଚାଷୀ ପରିବାର ସଂଖ୍ୟାକୁ ୩୨ ଲକ୍ଷ ମଧ୍ୟରେ ସୀମିତ ରଖିଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

farmerନିର୍ବାଚନୀ ବର୍ଷରେ କୃଷି ଋଣ ଛାଡ଼ ପାଇଁ ବିରୋଧୀ ଦଳ ପକ୍ଷରୁ ପଡୁଥିବା ଚାପ ଏବଂ ଚାଷୀ ଆନ୍ଦୋଳନର ଭୟକୁ ଦୃଷ୍ଟିରେ ରଖି ବିଜେଡି ସରକାର ଆଜି ତରବରିଆ ଭାବେ ୧୦ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ତେବେ ରାଜ୍ୟର ଯେତିକି ଚାଷୀଙ୍କୁ ନଜରରେ ରଖାଯାଇ ଏହି ପ୍ୟାକେଜ ପ୍ରସ୍ତୁତ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ହେବ। କେବଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସରକାର ଏଭଳି ଏକ ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ଯେକେହି ଅନୁଭବ କରିପାରିବେ।

ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଏହି ‘କାଳିଆ’ ଯୋଜନାର ଯଥାର୍ଥତା ସମ୍ପର୍କରେ ଯୁକ୍ତି ଦର୍ଶାଇ କହିଥିଲେ ଯେ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଚାଷୀ ପରିବାର ଋଣ ନେଇଥାନ୍ତି। ୧୨ ଲକ୍ଷ ଚାଷୀ ପରିବାର ଫସଲ ଋଣ ନେଇନାହାନ୍ତି। ଫସଲ ଋଣ ନେଇଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦% ନିୟମିତ ଋଣ ପରିଶୋଧ କରୁଛନ୍ତି। ଅର୍ଥାତ ରାଜ୍ୟର ୮ ଲକ୍ଷ ଚାଷୀ ପରିବାର ବିଭିନ୍ନ କାରଣରୁ ଋଣ ପରିଶୋଧ କରୁନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ ସ୍ୱୀକାର କରିଛନ୍ତି। ସେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ, ଋଣ ଛାଡ଼ ଦ୍ୱାରା ମାତ୍ର ୮ ଲକ୍ଷ ଚାଷୀ ପରିବାର ଉପକୃତ ହୋଇଥାନ୍ତେ। କୌଣସି ଭାଗଚାଷୀ କିମ୍ବା କୃଷି ଶ୍ରମିକ ଉପକୃତ ହୋଇନଥାନ୍ତେ। କାଳିଆ ଯୋଜନାରେ ୯୨ ପ୍ରତିଶତ ଚାଷୀ (ଉଭୟ ଋଣୀ, ଅଣଋଣୀ, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ) ଉପକୃତ ହେବେ।

ଅନ୍ୟପକ୍ଷରେ ବିଧାନସଭାରେ ନଭେମ୍ବର ୨୦ ତାରିଖରେ କଂଗ୍ରେସ ବିଧାୟକ ନବ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ରାଜ୍ୟରେ କୃଷି ଗଣନା ଅନୁସାରେ ମୋଟ ଚାଷୀଙ୍କ ସଂଖ୍ୟା ୪୮ ଲକ୍ଷ ୬୫ହଜାର ୮୫୦। ଏଥିରୁ ୨୦୧୭-୧୮ରେ ୧୨ଲକ୍ଷ ୮୫ହଜାର ଚାଷୀ ଧାନ ବିକ୍ରି ପାଇଁ ଯୋଗାଣ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିଲେ।

ତେବେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ଦସ୍ତଖତରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ସୁଦର୍ଶନ ବେହେରାଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୨୩ ତାରିଖରେ ପ୍ରକାଶିତ ରିପୋର୍ଟ “ସବ୍ ଷ୍ଟେଟ ଲେଭେଲ ଏଷ୍ଟିମେଟେସନ ଅନ୍ ଇନକମ ଆଣ୍ଡ ଇନଡେବ୍ଟନେସ ଅଫ ଏଗ୍ରିକଲଚରାଲ ହାଉସହୋଲଡ ଅଫ ରୁରାଲ ଓଡ଼ିଶା’ ଅନୁସାରେ ରାଜ୍ୟର ଗ୍ରାମାଞ୍ଚଳରେ ମୋଟ ୪୩.୫୮ଲକ୍ଷ ଚାଷୀ ପରିବାର ରହୁଛନ୍ତି। ଏଥିରୁ ୨୧.୫୭ ଲକ୍ଷ ପରିବାର ଋଣଗ୍ରସ୍ତ। ଏହି ମୋଟ ଚାଷୀ ପରିବାରଙ୍କ ମଧ୍ୟରୁ ୪୧ ପ୍ରତିଶତ ଓବିସି ବର୍ଗର ହୋଇଥିବାବେଳେ ୨୧ ପ୍ରତିଶତ ଆଦିବାସୀ, ୧୮ ପ୍ରତିଶତ ହରିଜନ ଓ ୨୦ ପ୍ରତିଶତ ଅନ୍ୟାନ୍ୟ ବର୍ଗର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏନଏସଏସ୍ ୭୦ତମ ରାଉଣ୍ଡ ସର୍ଭେ ଆଧାର ରାଜ୍ୟ ସରକାର ଏହି ରିପୋର୍ଟ ପ୍ରସ୍ତୁତ କରିଥିଲେ।

ଯଦି ରାଜ୍ୟର ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ବିଧାନସଭା ଓ ଏକ ରିପୋର୍ଟରେ ଚାଷୀ ପରିବାର ସଂଖ୍ୟା ୪୩ ଲକ୍ଷରୁ ଅଧିକ ବୋଲି କହିଛନ୍ତି, ତା’ହେଲେ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି ବୋଲି ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଲା କିଏ ? ସାମାଜିକ-ଅର୍ଥନୀତିକ ଜାତି ଗଣନା (ଏସଇସିସି) ରିପୋର୍ଟ ଅନୁସାରେ ରାଜ୍ୟର ମୋଟ ପରିବାରର ସଂଖ୍ୟା ପ୍ରାୟ ୯୮.୫୦ଲକ୍ଷ। ମୁଖ୍ୟମନ୍ତ୍ରୀ କାହା କଥାରେ ଚାଷୀଙ୍କ ସଂଖ୍ୟାରେ ଏତେ ପରିମାଣ ହ୍ରାସ କଲେ ?

ତେବେ ଚାଷୀଙ୍କ ଗଣନାର ବାସ୍ତବ ତଥ୍ୟ ଆସିପାରିଲେ ହିଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ବାସ୍ତବ ସୁଫଳ ଚାଷୀମାନଙ୍କୁ ମିଳିପାରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2EBbMNb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages