
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ଗଠନ କରିବେ। କିନ୍ତୁ ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ ଦେଇଛନ୍ତି ଓଡ଼ିଶାର କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।
ସେ କହିଛନ୍ତି, ବିଜେପି ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ କଂଗ୍ରେସ ମୁକ୍ତ ଭାରତ ଗଠନ କରିପାରିଲା ନାହିଁ। ମୁଁ ୫ଟି ଯାକ ରାଜ୍ୟର ଭୋଟରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେମାନେ ଗତ ୪ ବର୍ଷର ଶାସନ (କେନ୍ଦ୍ର ସରକାରଙ୍କ ଶାସନ)କୁ ଭଲ ଭାବେ ଅନୁଭବ କରିଛନ୍ତି ଓ ସେହି ଅନୁସାରେ ନିଜ ମତ ଦେଇଛନ୍ତି।
ନିରଞ୍ଜନ କହିଛନ୍ତି, ବିଶେଷ ଭାବେ ଖୁସି ଲାଗୁଛି ଯେ ଛତିଶଗଡ଼ରେ କଂଗ୍ରେସ ଜିତିଛି। ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା।
ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିଲା ପରେ ଆମେ ମହାନଦୀ ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହ ଆଲୋଚନା କରିବୁ ବୋଲି ନିରଞ୍ଜନ କହିଛନ୍ତି।
ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଛି। ସମ୍ପୂଣ୍ଣ ଫଳାଫଳ ଆସି ନଥିବା ବେଳେ ଟ୍ରେଣ୍ଡିଂକୁ ଦେଖିଲେ ଲାଗୁଛି ଛତିଶଗଡ଼ରେ କଂଗ୍ରେସ ବାଜି ମାରିବା ପକ୍କା। ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ଦଳ ଶେଷ ଖବର ସୁଦ୍ଧା ୬୩ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ୧୫ ବର୍ଷ ହେଲା ସେଠାରେ ଶାସନ କରି ଆସୁଥିବା ବିଜେପି ମାତ୍ର ୨୧ଟି ଆସନରେ ଆଗୁଆ ରହିଛି।
ଅନ୍ୟପକ୍ଷରେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟ କଡ଼ା ଟକ୍କର ଚାଲିଛି। ରାଜସ୍ଥାନରେ ବିଜେପି ଆଗୁଆ ରହିଥିବା ବେଳେ ମଧ୍ୟ ପ୍ରଦେଶରେ ଦୁଇ ଦଳ ମଧ୍ୟରେ ଆଗପଛ ଚାଲିଛି। ମିଜୋରାମରେ କଂଗ୍ରେସ ହାରିବା ସ୍ପଷ୍ଟ ହୋଇଯାଇଛି। ୪୦ ଆସନ ବିଶିଷ୍ଟ ମିଜୋରାମ୍ରେ ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍ (ଏମ୍ଏନ୍ଏଫ୍) ୨୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ୬ଟି ଆସନରେ ଆଗୁଆ ଚାଲିଛି। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଟିଆର୍ଏସ୍ ୮୬ ଆସନରେ ଆଗରେ ଅଛି। କଂଗ୍ରେସ ଓ ଟିଡିପି ମେଣ୍ଟ ମାତ୍ର ୨୧ଟି ଆସନରେ ଆଗୁଆ ରହିଛି।
from Odisha Reporter https://ift.tt/2QJiVBx
No comments:
Post a Comment