
ନୂଆଦିଲ୍ଲୀ: ଦେଶର ଯେକୌଣସି ଲୋକଙ୍କ କମ୍ପ୍ୟୁଟର ଏବେ ସରକାର ଚାହିଁଲେ ଯାଞ୍ଚ କରିପାରିବେ। ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏପରି ନିୟମ କରିଥିବା ବେଳେ ଏହାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ବିଶେଷ କରି କଂଗ୍ରେସ ଏହି ନିୟମକୁ ଢାଲ କରି କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ହେଲେ କଂଗ୍ରେସର ଅସଲ ମୁଖା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଖୋଲି ଦେଇଛନ୍ତି। ଏପରି କମ୍ପ୍ୟୁଟର ଉପରେ ନଜର ରଖିବା ନିୟମ ଏବେକାର ନୁହେଁ। ୨୦୦୯ରୁ ଏପରି ବ୍ୟବସ୍ଥା ରହି ଆସିଛି। ଅର୍ଥାତ ୟୁପିଏ ଅମଳରୁ ହିଁ ଦେଶର ତଦନ୍ତକାରୀ ସଂସ୍ଥାକୁ ଯେ କୌଣସି ବ୍ୟକ୍ତିଙ୍କ କମ୍ପ୍ୟୁଟର ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା ବୋଲି ଜେଟଲୀ ପରୋକ୍ଷରେ ସୂଚାଇ ଦେଇଛନ୍ତି।
କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଜେଟଲୀ ରାଜ୍ୟସଭାରେ କହିଛନ୍ତି ଯେ “୨୦୦୯ରେ ଦେଶରେ ଯେଉଁ ନିୟମ ପ୍ରଚଳିତ ଥିଲା, ତାହା ଡିସେମ୍ବର ୨୦ରେ ପୁନଃ ବିଜ୍ଞପ୍ତି ଦ୍ୱାରା ପ୍ରକାଶ କରାଯାଇଛି। ଯେଉଁଠି ତିଳ ମଧ୍ୟ ନାହିଁ ଆମେ ସେଠାରେ ତାଳ ସୃଷ୍ଟି କରିବାକୁ ଚେଷ୍ଟା କରୁଛେ। ”
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଦେଶର ସୁରକ୍ଷିତ ପ୍ରତି ବିପଦ ପହଞ୍ଚିବାର ଆଶଙ୍କା ସୃଷ୍ଟି ହେଲେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ, ଏନ୍ଆଇଏ, କ୍ୟାବିନେଟ୍ ସଚିବ(ର’), ଡିରେକ୍ଟରେଟ୍ ଅଫ୍ ସିଗନାଲ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍ କମିଶନର ଯେ କୌଣସି ବ୍ୟକ୍ତି କିମ୍ବା ସର୍ଭିସ ପ୍ରୋଭାଇଡରଙ୍କ କମ୍ପ୍ୟୁଟର ଚାହିଁଲେ ଯାଞ୍ଚ କରିପାରିବ। ଏଥିସହ ଏଥିରେ ଥିବା ତଥ୍ୟକୁ ତର୍ଜମା କରିପାରିବ କିମ୍ବା ନିଜ ପାଖକୁ ଆଣିପାରିବେ।
ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଏବଂ ସର୍ଭିସ ପ୍ରୋଭାଇଡର ସମସ୍ତ ପ୍ରକାରର ବୈଷୟିକ ସହାୟତା କରିବେ। ଯଦି କେହି ଏଥିରେ ଅସହଯୋଗ କରେ, ତା’ହେଲେ ତାଙ୍କୁ ୭ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।
ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସିପିଆଇ(ଏମ୍), ଟିଏମ୍ସି, ସପା, ଆରଜେଡି ଓ ଏଆଇଏମ୍ଆଇଏମ୍ ତୀବ୍ର ନିନ୍ଦା କରିବା ସହ ଏହା ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ତଥା ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି।
from Odisha Reporter http://bit.ly/2BAKUKl
No comments:
Post a Comment