
ପୁରୀ(ଓଡ଼ିଶା ରିପୋର୍ଟର): ଧାର୍ମିକ ସହର ପୁରୀରେ ଦେଖା ଦେଇଛି ଅଶାନ୍ତିର ବାତାବରଣ। କଥା କଥାକେ ଫୁଟୁଛି ଗୁଳି। ହତ୍ୟା, ରାହାଜାନୀ ଓ ଆକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଯାହାକୁ ନେଇ ଆତଙ୍କିତ ସହରବାସୀ ଓ ପର୍ଯ୍ୟଟକ। ଆଇନଶୃଙ୍ଖଳା ରକ୍ଷାରେ ପୁଲିସ୍ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅଭିଯୋଗ ହୋଇଛି।
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଅକ୍ଟୋବର ୩ ତାରିଖରେ ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ହୋଇଥିଲା। ଏହା ପରଠାରୁ ସତେ ଯେମିତି ଆଇନଶୃଙ୍ଖଳା ପରିସର ବାହାରକୁ ଚାଲି ଯାଇଛି ଶ୍ରୀକ୍ଷେତ୍ର। ଡିସେମ୍ବର ୧୦ ତାରିଖରେ ଚିତ୍ରକର ସାହିରେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା। ୧୭ ତାରିଖରେ ରେଲୱେ ଡାକ୍ତର ସଞ୍ଜୀବ ସାହୁଙ୍କ ପତ୍ନୀଙ୍କୁ ବୀଭତ୍ସ ହତ୍ୟା, ୨୫ ତାରିଖ ବଡ଼ଦିନ ସକାଳେ ଗୁଣ୍ଡିଚା ଘର ନିକଟରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିଦିନ ଜଗନ୍ନାଥ ଦର୍ଶନ ପାଇଁ କଟକରୁ ଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଲୁଟ୍ କରାଯାଇଥିଲା। ଏପରିକି ତାଙ୍କ ଛୁରାମାଡ଼ ଓ ଲୁହା ରଡ୍ରେ ଆକ୍ରମଣ ମଧ୍ୟ କରାଯାଇଥିଲା। ଏଥିରୁ ପୁଲିସ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ପୁରୀ ବାସିନ୍ଦା।
ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଲା ହୋଟେଲ ବ୍ୟବସାୟୀ ସଂଘ
ତେବେ ଆଗକୁ ନୂଆ ବର୍ଷ। ଦେଶ ବିଦେଶରୁ ପର୍ଯ୍ୟଟକ ଓ ଭକ୍ତଙ୍କ ସୁଅ ଛୁଟିଛି ପୁରୀକୁ। ସହରକୁ ନୂଆବର୍ଷ ଦିନ ପ୍ରାୟ ୬ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆକଳନ କରୁଛି। ହେଲେ ସହରରେ ଯେଉଁଭଳି ଅପରାଧ ବୃଦ୍ଧି ସାଙ୍ଗକୁ ଏହା ଅପରାଧୀଙ୍କ ଚରାଭୂଇଁ ପାଲଟିଛି, ତାହା ନିୟନ୍ତ୍ରଣ ନହେଲେ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଏଥିରେ ବେଶୀ କ୍ଷତି ହୋଟେଲ ବ୍ୟବସାୟରେ ହେବ। ଏପରି ସାଂଘାତିକ ଅଭିଯୋଗ ଆଣି ପୁରୀ ହୋଟେଲ ମାଲିକ ସଂଘ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖିଛନ୍ତି।
ସେପଟେ ପୁରୀ ପୁଲିସ କହିଛି ଅପରାଧ ନିୟନ୍ତ୍ରଣ ପାଇଁ ସେମାନେ ଅଧିକ ତତ୍ପର ହେବେ।
from Odisha Reporter http://bit.ly/2CBf2Xn
No comments:
Post a Comment