
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରକ୍ଷିତ ହେବ ରେଳଯାତ୍ରା। ସେଥିପାଇଁ ବର୍ଷକ ଭିତରେ ୩୫ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ରେଲ୍ୱେ ସୁରକ୍ଷାକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ପିଏଫ୍ ଓ ଜିଆର୍ପିର ସମନ୍ୱୟ ବୈଠକରେ ଏପରି ପ୍ରସ୍ତାବ ଦିଆଯାଇଛି।
ସୁରକ୍ଷାକୁ ଆଖି ଆଗରେ ରଖି ଅଧିକାଂଶ ରେଳ ଷ୍ଟେସନରେ ବ୍ୟାଗେଜ ସ୍କାନର ଓ ମେଟାଲ ଡିଟେକ୍ଟର ଲଗାଇବା ସହ ଟ୍ରେନର ବଗିରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ସପ୍ତାହକ ମଧ୍ୟରେ ରାଉରକେଲାରେ ଲଗେଜ ସ୍କାନର କାର୍ଯ୍ୟକ୍ଷମ ହେବ।
ରାଜ୍ୟରେ ଛୋଟ ବଡ଼ ମିଶାଇ ୩୦୦ ରେଳ ଷ୍ଟେସନ ରହିଛି। ତା’ ମଧ୍ୟରୁ ମାତ୍ର ୯ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲାଗିଛି। ଦୁଇଟି ଷ୍ଟେସନରେ ବ୍ୟାଗେଜ ସ୍କାନର ରହିଛି। ଏହାଛଡା ନିଶା କାରବାର, ମାନବ ଚାଲାଣ ଆଦି ଘଟଣାକୁ ରୋକିବା ପାଇଁ ଆର୍ପିଏଫ୍ ଓ ଜିଆର୍ପିଏଫ୍କୁ ନେଇ ଏକ ସ୍ୱତନ୍ତ୍ର ଗୃପ୍ କରାଯିବ। ଯାହା କଟକ ଓ ରାଉଲକେଲା ଏସ୍ପିଙ୍କ ଅଧୀନରେ ରହିବ। ଏହାଦ୍ୱାରା ଗୁଇନ୍ଦା ସୁଚନା ଆଦାନ ପ୍ରଦାନ ହୋଇ ପାରିବ। ଏହା ଅପରାଧ ପ୍ରବଣ ଜୋନରେ ଟ୍ରେନ୍ ଗାର୍ଡ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି।
ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଏଥିସହ ରେଲ୍ୱେ ଥାନା, ଷ୍ଟାଫ୍ କ୍ୱାର୍ଟର୍ସ ଆଧୁନିକୀକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆରପିଏଫ୍ର ତିନି ଜଣ ଆଇଜି, ଜିଆର୍ପିର ଏଡିଜି ଓ ଦୁଇ ଜଣ ଏସ୍ପି ଉପସ୍ଥିତ ଥିଲେ।
from Odisha Reporter https://ift.tt/2rnSZgI
No comments:
Post a Comment