
ନୂଆଦିଲ୍ଲୀ: ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକ ଦୀର୍ଘ ୧୫ ଦିନ ହେଲା ଫସି ରହିଥିଲେ ହେଁ ସେମାନଙ୍କୁ ଏଯାଏ ଉଦ୍ଧାର କରାଯାଇପାରି ନାହିଁ। ସେମାନେ ଜୀବିତ ନା ମୃତ ସେକଥା ମଧ୍ୟ ଏଯାଏ ଉଦ୍ଧାରକାରୀ ଦଳ ଜାଣିପାରୁନାହାନ୍ତି।
ଆଜି ଭାରତୀୟ ବାୟୁସେନାର ହର୍କୁଲେସ ବିମାନରେ ୭ଟି ଅତ୍ୟାଧୁନିକ ଯନ୍ତ୍ରପାତି ଓ ହାଇ ପାୱାର ପମ୍ପ ଗୁଆହାଟୀ ବିମାନବନ୍ଦରରୁ ଘଟଣାସ୍ଥଳରେ ପହଞ୍ଚିଛି। ବିମାନବନ୍ଦରରୁ ଲୁମଥାରୀ ଗାଁରେ ସେଗୁଡ଼ିକୁ ରଖାଯାଇଛି।
ଏନ୍ଡିଆର୍ଏଫ୍ ଟିମ୍ ସହ କୋଲ ଇଣ୍ଡିଆ ଏବଂ ଓଡ଼ିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି। ଏଥିସହ ଭାରତୀୟ ନୌସେନାର ଏକ ଟିମ୍ ବିଶାଖାପାଟନମ୍ରୁ ମେଘାଳୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି। ଉଦ୍ଧାର କାର୍ଯ୍ୟରେ ଅଣ୍ଡର ୱାଟର ଡ୍ରୋନ ମଧ୍ୟ ନିୟୋଜିତ କରାଯାଇଛି।

ଅନ୍ୟପକ୍ଷରେ ଖଣିର ପ୍ରବେଶ ପଥରୁ ଦୁର୍ଗନ୍ଧ ବାହାରୁଥିବାରୁ ଶ୍ରମିକ ବଞ୍ଚିଥିବା ସମ୍ଭାବନା କମ୍ ବୋଲି ଉଦ୍ଧାରକାରୀ ଦଳ ଆଶଙ୍କା କରିଛନ୍ତି।
ଅତି ସରୁ ମୁହଁ ବା ରାଟ୍ ହୋଲ କୁହାଯାଉଥିବା ସାନ୍ କୋଇଲା ଖଣିକୁ ଗତ ୧୩ ତାରିଖରେ ୧୫ ଜଣ ଶ୍ରମିକ ଯାଇଥିଲେ। କୋଇଲା ଖୋଳୁ ଖୋଳୁ ଏମାନେ ନିକଟରେ ଥିବା ଲିଟେନ ନଦୀ ଗର୍ଭକୁ ଖୋଳି ଦେଇଥିଲେ। ଫଳରେ ଖଣି ପାଣିରେ ଭରିଯାଇଥିଲା।
ଜଳ ନିଷ୍କାସନ କରି ଏମାନଙ୍କୁ ଉଦ୍ଧାର କରିବାକୁ ୧୫ ଦିନ ହେଲା ଏନ୍ଡିଆରଏଫ୍ ଟିମ୍ ପମ୍ପ ବ୍ୟବହାର କରୁଥିଲେ ହେଁ ପାଣିକୁ କାଢ଼ିବାକୁ ଅସମର୍ଥ ହୋଇଛି। ଆଜି ବାୟୁସେନାର ସୁପର ହର୍କୁଲେସ ବିମାନ ଆଜି ଭୁବନେଶ୍ୱର ପହଞ୍ଚି ଅଗ୍ନିଶମ ଟିମ୍ ସହ ହାଇପାୱାର ପମ୍ପ ନେଇ ମେଘାଳୟ ଯାଇଥିଲା।
କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁରୋଧକ୍ରମେ ଓଡ଼ିଶାର ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୧ ଜଣିଆ ଟିମ୍କୁ ରାଜ୍ୟ ସରକାର ସେଠାକୁ ପଠାଇଛନ୍ତି।

ସେହିପରି ଖଣିରୁ ପାଣି କାଢ଼ିବା ଲାଗି ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ, ପାଇପ ଓ ଅନ୍ୟାନ୍ୟ ଯନ୍ତ୍ରପାତି ନିଆଯାଇଛି।
ସେପଟେ ଉଦ୍ଧାର କାମରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛି କଂଗ୍ରେସ। ଅନ୍ୟପକ୍ଷରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
୨୦୧୪ରୁ ଏଭଳି ସରୁ ମୁହଁ ଥିବା ଖଣିକୁ ବ୍ୟାନ କରାଯାଇଥିଲେ ହେଁ ଲୁଛାଛପାରେ ଏଠାରେ ଏଭଳି ବିପଜ୍ଜନକ ଖନନ କାର୍ଯ୍ୟ ଜାରି ରହିଛି।
from Odisha Reporter http://bit.ly/2LK4j05
No comments:
Post a Comment