
ନୂଆଦିଲ୍ଲୀ:ରାଫେଲ୍ ଡିଲ୍ କୁ ନେଇ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ଏହା ଅଧିକ ବିତର୍କିତ ହେଉଛି। ଆରୋପ ପ୍ରତ୍ୟାରୋପ ସହ ବାକ୍ ଯୁଦ୍ଧ ବି ଚରମ ସୀମାରେ ପହଞ୍ଚିଛି। କିଏ ସତ ଆଉ କିଏ ମିଛ କହୁଛି ତା’ର ପ୍ରମାଣ ଦେବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ବ୍ୟସ୍ତ। କୋର୍ଟଙ୍କ ରାୟ ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲି କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ମୋଦିଙ୍କୁ ପାଲଟା ଆକ୍ରମଣ କରି ରାଫେଲ ଡିଲ୍ ନେଇ ସରକାର ସତ କୁହନ୍ତୁ ବୋଲି ଦାବି କରିଛି କଂଗ୍ରେସ।
ତେବେ ଉତ୍ତରପ୍ରଦେଶ ରାଏବରେଲି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧିଙ୍କ ଗଡ଼ରେ ଜନସଭା କରି ରାଫେଲ ପ୍ରସଙ୍ଗରେ କଂଗ୍ରେସ ମିଛ ପରେ ମିଛ କହୁଥିବା ଅଭିଯୋଗ ଆଣିଛନ୍ତି ।ବାୟୁସେନାକୁ ସଶକ୍ତ କରିବାକୁ କଂଗ୍ରେସ କେବେ ପ୍ରୟାସ କରିନାହିଁ ବୋଲି କହିଛନ୍ତି ପିଏମ୍॥
ପ୍ରତିରକ୍ଷା ଡିଲ୍ ନେଇ କଂଗ୍ରେସର କଳାଇତିହାସ ରହିଥିବା କଥା କହିଛନ୍ତି ମୋଦି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଭିଭିଆଇପିଙ୍କ ଲାଗି ହେଲିକପ୍ଟ୍ର କ୍ରୟରେ ହୋଇଥିବା ଦୁର୍ନୀତି କଥା ବି ଉଠାଇ ପ୍ରଧାନମନ୍ତ୍ରୀ କଟାକ୍ଷ କରିଥିଲେ। ଜବାବରେ କଂଗ୍ରେସ ମଧ୍ୟ ମୋଦିଙ୍କୁ ପାଲଟା ଆକ୍ରମଣ କରିବାକୁ ପଛାଇ ନାହିଁ । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଭ୍ରମିତ କରିଥିବା କଥା ଦୋହରାଇଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା।
ସେପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ। ସୁପ୍ରିମକୋର୍ଟ ନିଜ ରାୟରେ ପାରା ୨୫ରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ସିଧାସଳଖ ପ୍ରମାଣ କରୁଛି ଯେ, ସରକାର ମିଛ କହୁଛନ୍ତି। ଜାତୀୟ ସୁରକ୍ଷାର ଆଳ ଦେଖାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରାଫେଲ ଡିଲ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରା ଯାଇନାହିଁ । କିନ୍ତୁ ରାଫେଲ ଡିଲ ସମ୍ପର୍କିତ ସମସ୍ତ ତଥ୍ୟ ସିଏଜି ନିକଟରେ ଦାଖଲ କରାଯିବା ସହ ପିଏସି ପକ୍ଷରୁ ଏନେଇ ଅନୁଧ୍ୟାନ କରାଯାଇଥିବା କୋର୍ଟ ରାୟରେ ଉଲ୍ଲେଖ କରାଯାଇଛି।
from Odisha Reporter https://ift.tt/2QzgaDF
No comments:
Post a Comment