
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍।
ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, ରାୟପୁର ଓ ହାଇଦ୍ରାବାଦ ତଥା ଭୁବନେଶ୍ୱର ପାଇଁ ଯାତ୍ରୀଙ୍କ ଆଗ୍ରହ ରହିଛି। ବର୍ତ୍ତମାନ ସୁଦ୍ଧା ତିନୋଟି ବିମାନସେବା ପ୍ରଦାନକାରୀ ସଂସ୍ଥା ସିଡ୍ୟୁଲ୍ ତଥା ବୋଇଂ ବିମାନ ଉଡ଼ାଣ ପାଇଁ ଟେଣ୍ଡର ପକାଇଥିବା ସୂଚନା ମିଳିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ଉଡ଼ାଣ ଆରମ୍ଭ ହେଲେ ଏହା ପୁଣି ପଶ୍ଚିମ ଓଡ଼ିଶା ପାଇଁ ଗୋଟିଏ ବଡ଼ ଗେଟ୍ ୱେ ହୋଇପାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।
ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ଗଭର୍ନମେଣ୍ଟ ଆଭିଏସନ୍ ଆଣ୍ଡ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍, ‘ଗତି’ ରେ ଉଡ଼ାଣ ପାଇଁ ସେଭଳି ସୁବିଧା ମିଳୁନାହିଁ। କାରଣ ଭୁବନେଶ୍ୱର ବିମାନବନ୍ଦରରେ ଟ୍ରେନିଂ ଫ୍ଲାଇଟ୍ ଉଡ଼ାଣ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଝାରସୁଗୁଡ଼ାରେ ‘ଗତି’ର ଏକ ସାଟେଲାଇଟ୍ ବେସ୍ କରିବାକୁ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଖୁବ୍ ଶୀଘ୍ର ସେଠାରେ ‘ଗତି’ର ଟ୍ରେନିଂ ଫ୍ଲାଇଟ୍ ଉଡ଼ାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ‘ଉଡ଼େ ଦେଶକି ଆମ୍ ନାଗରିକ’ (ଉଡ଼ାନ୍) ଯୋଜନାରେ ଏଠାରୁ ବିମାନସେବା ଆରମ୍ଭ କରିଥିଲା ଏୟାର ଓଡ଼ିଶା। କିନ୍ତୁ ଏୟାର ଓଡ଼ିଶା ନିୟମିତ ବିମାନ ନ ଉଡ଼ାଇବା ଯୋଗୁ ପୁଣି ଥରେ ଟେଣ୍ଡର ଆହ୍ୱାନ କରାଯାଇଥିଲା।
from Odisha Reporter https://ift.tt/2SdtlXS
No comments:
Post a Comment