
ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଉଦଳା କୋର୍ଟରେ ସେମାନଙ୍କୁ ହାଜର କରାଯିବା ପରେ ଦୁଇଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବଜ୍ରକାପ୍ତା ଚାଲାଣ ପଛରେ କାହାର ହାତ ରହିଛି ଓ ଏହା କେତେ ଟଙ୍କାରେ ବିକ୍ରି ହେଉଛି – ତା’ର ଖୋଳତାଡ଼ କରିବା ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି।
ପଚରାଉଚରା ବେଳେ ବଜ୍ରକାପ୍ତା ବିଦେଶକୁ ଚାଲାଣ ହେଉଥିଲା କି ନାହିଁ, ତା’ର ଗୁମର ମଧ୍ୟ ଖୋଲିପାରେ। ରିମାଣ୍ଡରେ ଯାଇଥିବା ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଏହି ସବୁ ତଥ୍ୟ ବାହାର କରିବାକୁ ଚେଷ୍ଟା କରିବ। କୋଲକତାରୁ ଆସାମର ଗୁଆହାଟି, ମିଆଁମାର ଦେଇ କିପରି ଚାଇନା ଓ ସିଙ୍ଗାପୁରକୁ ଚାଲାଣ ହେଉଛି ବଜ୍ରକାପ୍ତା ? ଉଦଳାର ଏହି ଦୁଇ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଅନ୍ତଃରାଜ୍ୟ ଚୋରା ବ୍ୟବସାୟୀ ପାଖରେ ପହଞ୍ଚିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଏସଟିଏଫ୍।
ସୂଚନାଯୋଗ୍ୟ, ସମ୍ମୋହନ ବିଦ୍ୟା, ଚିକିତ୍ସା, ଅନ୍ଧବିଶ୍ୱାସ ଆଦି ବିଭିନ୍ନ କାମରେ ବଜ୍ରକାପ୍ତାର ହାଡ଼ ଓ କାତି ବ୍ୟବହାର ହେଉଥିବାରୁ ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ଚୋରା ଚାଲାଣ କରାଯାଉଛି। ଓଡିଶାରେ ଏକ କେଜି ବଜ୍ରକାପ୍ତା କାତିର ଦାମ ୧୦ ହଜାର ଟଙ୍କା ହୋଇଥିବାବେଳେ ବିଦେଶରେ ଏହା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି।
ନିକଟରେ ମୟୂରଭଞ୍ଜ ଉଦଳା ଅଞ୍ଚଳରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ଏହି ଦୁଇ ବଜ୍ରକାପ୍ତା ପାଇଁ ୨୨ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଏସ୍ଟିଏଫ୍ ସୂଚନା ଦେଇଥିଲା।
from Odisha Reporter https://ift.tt/2EnEx0G
No comments:
Post a Comment